ରାଉରକେଲା ୨୮/୭,(ଉତ୍କଳ ସମାଚାର) ଗତ ରାତିରେ ରାଉରକେଲା ସହରର ପ୍ରବଳ ବର୍ଷା ଯୋଗୁଁ ବେଦବ୍ଯାସ ଟିସିଆଇ ରୋଡର ଓଭର ବ୍ରିଜ୍ ତଳ ଅଞ୍ଚଳ ରାସ୍ତାଟି ବର୍ଷା ପାଣିରେ ବୁଡ଼ି ଯାଇଛି। ଫଳରେ ରାସ୍ତାର ତଳ ଅଂଶ ସମ୍ପୂର୍ଣ୍ଣ ବର୍ଷା ପାଣିରେ ପୂର୍ଣ୍ଣ ହୋଇଯାଇଥିଲା। ବର୍ଷା ପାଣି ନିଷ୍କାସନ ନହେବା ଯୋଗୁଁ ରାସ୍ତାଟି ମଇଳା ପାଣିରେ ପୂର୍ଣ୍ଣ ହୋଇଯାଇଥିଲା ଏବଂ ଗାଡ଼ି ଚାଳକଙ୍କ ସମେତ ଗାଡ଼ି ଚାଳକମାନଙ୍କୁ ସେହି ରାସ୍ତା ଦେଇ ଯାତାୟାତ କରିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ବିଶେଷକରି ଏହି ରାସ୍ତା ଦେଇ ଯାଉଥିବା କଳୁଙ୍ଗା ସମେତ ଆଇଡିସି ଶିଳ୍ପାଞ୍ଚଳ, ଫାର୍ସାଟୋଲା ଏବଂ ଝାଡ଼ତରଙ୍ଗ ଅଞ୍ଚଳକୁ ଯାଉଥିବା ଲୋକମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ବିଶେଷକରି ସ୍କୁଲ ଛାତ୍ରଛାତ୍ରୀ ଏବଂ ଛୋଟ ପିଲାମାନେ ସେହି ରାସ୍ତା ଦେଇ ଯାତାୟାତ କରିବା ସମୟରେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏ ଦିଗରେ ରାଉରକେଲା ପ୍ରଶାସନର ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ପାଣି କିପରି ନିଷ୍କାସନ କରାଯିବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇନଥିଲା। ଏସବୁ ଅଞ୍ଚଳରେ ଡ୍ରେନେଜ୍ ସିଷ୍ଟମ୍ ଅତି ଖରାପ ହୋଇଥିବା ଦୃଷ୍ଟିରୁ ବର୍ଷା ପାଣି ଜମି ରହୁଛି। ତେଣୁ ବଡ଼ ଡ୍ରେନ୍ ତିଆରି କରି ଡ୍ରେନେଜ୍ ବ୍ୟବସ୍ଥାକୁ ସଠିକ ଭାବରେ ପରିଚାଳନା କରାଯିବା ପାଇଁ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ପକ୍ଷରୁ ଦାବି କରାଯାଇଛି। ଏଥିସହିତ ପାଣି ନିଷ୍କାସନ ପ୍ରତି ବିଶେଷ ଧ୍ୟାନ ଦିଆଯିବା ଉଚିତ୍ ବୋଲି ମତ ପ୍ରକାଶ ପାଇଛି। ଏହି ଅଞ୍ଚଳରେ ଏକ ବଡ଼ ଇଂରାଜୀ ମାଧ୍ୟମ ସ୍କୁଲ ସହିତ ଶିଳ୍ପାଞ୍ଚଳ ରହିଛି। ପ୍ରତ୍ୟେକ ଦିନ ବହୁ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ସମେତ ସ୍ଥାନୀୟ ଲୋକମାନେ ଯାତାୟାତ କରନ୍ତି। ସେହିପରି ସୋମବାର ରାତିରେ ଲଗାତାର ବର୍ଷା ଯୋଗୁଁ, ରାଉରକେଲା ସହରର ଇସ୍ପାତ ସହରାଞ୍ଚଳରେ ଥିବା କେତେକ ବସ୍ତି ଅଞ୍ଚଳରେ ଘରେ ପାଣି ପ୍ରବେଶ କରିଥିବା ସୂଚନା ମିଳିଛି। ବହୁ ସ୍ଥାନରେ ଡ୍ରେନ୍ ପାଣି ବସ୍ତିରେ ଥିବା ଘର ଭିତରକୁ ପ୍ରବେଶ କରିଥିବା ସୂଚନା ଆସିଛି। ରାଉରକେଲା ମହାନଗର ନିଗମର ସଫେଇ ଠିକାଦାରମାନେ ଡ୍ରେନେଜ୍ ସିଷ୍ଟମ୍ ସମେତ ଡ୍ରେନ୍ ସଫା କରିବା ଉପରେ ବିଶେଷ ଧ୍ୟାନ ଦେବା ପାଇଁ ଦାବି କରାଯାଇଛି। ଆଜି ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲା, ଝାରସୁଗୁଡ଼ା, ସମ୍ବଲପୁର ଏବଂ ବରଗଡ ଜିଲ୍ଲାରେ ପ୍ରବଳ ବର୍ଷା ସହିତ ବିଜୁଳି ଘଡଘଡି ପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବିଶେଷ ସତର୍କ ସୂଚନା ବା ରେଡ୍ ଆଲର୍ଟ ଜାରି କରାଯାଇଛି।

