ଉମରକୋଟ, ନରସିଂବାଘ:3//8,(ଉତ୍କଳ ସମାଚାର): ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସମ୍ପର୍କ କେବଳ ଗୁରୁ-ଶିଷ୍ୟରେ ସୀମିତ ନୁହେଁ, ବରଂ ସେଥିରେ ସନ୍ତାନ ଓ ଅଭିଭାବକ ସମ୍ପର୍କର ମମତା ମଧ୍ୟ ଲୁକାଇଥାଏ। ଏହାର ଜୀବନ୍ତ ଉଦାହରଣ ଦେଖିବାକୁ ମିଳିଛି ଉମରକୋଟ ମୁନିସିପାଲଟି ଅନ୍ତର୍ଗତ ୱାର୍ଡ ନମ୍ବର–୬ ର ସରକାରୀ ଉନ୍ନତ ଉଚ୍ଚ ବିଦ୍ୟାଳୟ, ନୂଆଗୁଡା–୭ ଗ୍ରାମରେ।ଦୀର୍ଘ ୧୦ ବର୍ଷରୁ ଅଧିକ ସମୟ ଧରି ନିଜ କର୍ତ୍ତବ୍ୟକୁ ନିଷ୍ଠା ଓ ଦାୟିତ୍ୱବୋଧ ସହ କରିଆସୁଥିବା ଶିକ୍ଷକ ଶ୍ରୀ ସ୍ବପନ କୁମାର ବିଶ୍ୱାସଙ୍କ ଚାକିରୀ ଜୀବନର ଶେଷ ଦିନ ଅବସରରେ ସମଗ୍ର ବିଦ୍ୟାଳୟ ପରିସର ଭାବବିହ୍ୱଳ ପରିବେଶରେ ମୁଗ୍ଧ ହୋଇପଡିଥିଲା। ସେ ଗ୍ରାମର ପ୍ରତ୍ୟେକ ପରିବାର ସହ ଗଢ଼ିଥିବା ସୁସମ୍ପର୍କ ଓ ଛାତ୍ରଛାତ୍ରୀଙ୍କୁ ନିଜ ସନ୍ତାନ ଭାବି ଦିଆଯାଇଥିବା ଶିକ୍ଷା ସବୁଙ୍କ ହୃଦୟକୁ ଛୁଇଁଯାଇଥିଲା।ବିଦ୍ୟାଳୟକୁ ପ୍ରବେଶ କରିବା ସମୟରେ ଛାତ୍ରଛାତ୍ରୀମାନେ ଶ୍ରୀ ବିଶ୍ୱାସଙ୍କୁ ଭବ୍ୟ ସ୍ବାଗତ କରିଥିଲେ। ଏହା ସହ ଗ୍ରାମର ମୁଖ୍ୟ ବ୍ୟକ୍ତିବର୍ଗ ଓ ପଲ୍ଲୀ ମଙ୍ଗଳ ସମିତିର ସଦସ୍ୟମାନେ ମଞ୍ଚରେ ସମ୍ମାନିତ କରି ତାଙ୍କୁ ଶୁଭ ବିଦାୟ ଜଣାଇଥିଲେ। ଏହି ଅବସରରେ ଅନେକ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଭାବବିହ୍ୱଳ ହୋଇ ପଡିଥିଲେ।ଚନା ଅନୁଯାୟୀ, ଶ୍ରୀ ସ୍ବପନ କୁମାର ବିଶ୍ୱାସ ୨୮ ନଭେମ୍ବର ୧୯୮୬ ରେ ପରସଲା ଯୁ.ପି ବିଦ୍ୟାଳୟରୁ ନିଜ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ସେ ତାଙ୍କ ସେବାକାଳୀନ ସମୟରେ ସର୍ବମୋଟ ୭ଟି ବିଦ୍ୟାଳୟରେ କାର୍ଯ୍ୟ କରି ଶିକ୍ଷା କ୍ଷେତ୍ରରେ ଅମୂଲ୍ୟ ଅବଦାନ ରଖିଛନ୍ତି।ଏହି ବିଦାୟ ଅବସର କେବଳ ଏକ ଔପଚାରିକ କାର୍ଯ୍ୟକ୍ରମ ନୁହେଁ, ବରଂ ଏକ ଭାବନାମୟ ମୁହୂର୍ତ୍ତ ଥିଲା, ଯାହା ଗୁରୁ-ଶିଷ୍ୟ ସମ୍ପର୍କର ଗଭୀରତାକୁ ପୁଣିଥରେ ପ୍ରମାଣିତ କରିଦେଲା।
