ନବରଙ୍ଗପୁର,6//8,(ଉତ୍କଳ ସମାଚାର)ନରସିଂବାଘ ଉତ୍କଳ ସମାଚାର ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ସାନଟେମରା ଉଚ୍ଚ ବିଦ୍ୟାଳୟ ହଷ୍ଟେଲରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ହଷ୍ଟେଲରେ ମୌଳିକ ସୁବିଧାର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣକୁ ବିରୋଧ କରି ୧୮୦ରୁ ଅଧିକ ଛାତ୍ର ଅନ୍ତେବାସୀ ଏକାସାଙ୍ଗରେ ହଷ୍ଟେଲ ଛାଡ଼ି ଘରମୁହାଁ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।ସୂଚନା ଅନୁଯାୟୀ, ଛାତ୍ରମାନେ ହଷ୍ଟେଲ ଛାଡ଼ିବା ପରେ ପ୍ରାୟ ୧୨ କିଲୋମିଟର ପର୍ଯ୍ୟନ୍ତ ପାଦେ ପାଦେ ଯାଇଥିଲେ। ରାସ୍ତାରେ ଛାତ୍ରମାନଙ୍କ ଏହି ଦୃଶ୍ୟ ଦେଖି ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଆଶ୍ଚର୍ୟ ସୃଷ୍ଟି ହୋଇଥିଲା। ଛାତ୍ରମାନଙ୍କ ଅଭିଯୋଗ ଅନୁସାରେ, ହଷ୍ଟେଲରେ ଯୋଗାଯାଉଥିବା ଖାଦ୍ୟର ମାନ ନିମ୍ନମାନର ଥିବା ସହିତ ରହିବା ପାଇଁ ଆବଶ୍ୟକ ମୌଳିକ ସୁବିଧା ମଧ୍ୟ ଅପର୍ଯ୍ୟାପ୍ତ ଥିଲା। ଏହି ସମସ୍ୟାକୁ ନେଇ ଦୀର୍ଘଦିନ ଧରି ଅସନ୍ତୋଷ ଥିବାରୁ ସେମାନେ ଏପରି ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିବା କହିଛନ୍ତି।ଖବର ପାଇ ଛାତ୍ରମାନଙ୍କ ପରିବାର ସଦସ୍ୟମାନେ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ସେମାନଙ୍କୁ ନିଜ ନିଜ ଘରକୁ ନେଇଯାଇଥିଲେ। ଏପରିକି ଘଟଣାକୁ ନେଇ ଅଭିଭାବକମାନଙ୍କ ମଧ୍ୟରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି।ଅନ୍ୟପଟେ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରଜ ଲକ୍ଷ୍ମୀ ମହାରଣା ସମସ୍ତ ଅଭିଯୋଗକୁ ସଂପୂର୍ଣ୍ଣ ଖଣ୍ଡନ କରିଥିବା ବେଳେ, ହଷ୍ଟେଲରେ କିଛି ଅବ୍ୟବସ୍ଥା ଥିବା କଥାକୁ ସ୍ୱୀକାର କରିଛନ୍ତି। ତେବେ ଛାତ୍ରମାନଙ୍କୁ ପକା ଚାଉଳ ଦିଆଯାଉଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି।ଘଟଣାକୁ ନେଇ ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ମିଳିନଥିବା ବେଳେ, ସ୍ଥାନୀୟ ଲୋକମାନେ ଶୀଘ୍ର ତଦନ୍ତ କରି ଛାତ୍ରମାନଙ୍କ ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି।
