ରାଉରକେଲା:6//8,(ଉତ୍କଳ ସମାଚାର) ଶ୍ରାବଣ ମାସର ପବିତ୍ର ଅବସରରେ ମା ବୈଷ୍ଣୋ ଦେବୀ କାଉଡ଼ିଆ ସଂଘ, ରାଉରକେଲାର ସମସ୍ତ ପଦାଧିକାରୀ, କର୍ମକର୍ତ୍ତା ଓ ଶିବଭକ୍ତ ଶ୍ରଦ୍ଧାଳୁମାନେ ଅତ୍ୟନ୍ତ ଉତ୍ସାହ, ଭକ୍ତି ଏବଂ ଧାର୍ମିକ ଆସ୍ଥା ସହିତ ବାବାଧାମ (ବୈଦ୍ୟନାଥ ଧାମ, ଦେବଘର) ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଯାତ୍ରା ଆରମ୍ଭ ହେବା ପୂର୍ବରୁ ସମସ୍ତ ଶ୍ରଦ୍ଧାଳୁ ଭଗବାନ ଶିବଙ୍କ ପୂଜାର୍ଚ୍ଚନା କରି ଏକ ସୁଖଦ ଏବଂ ମଙ୍ଗଳମୟ ଯାତ୍ରା ପାଇଁ କାମନା କରିଥିଲେ। ଏହାପରେ “ବୋଲ୍ ବମ୍”, “ହର-ହର ମହାଦେବ” ଏବଂ “ଜୟ ବାବା ବୈଦ୍ୟନାଥ” ର ଜୟଧ୍ୱନିରେ ସମାବେଶର ପରିବେଶ ଭକ୍ତିମୟ ହୋଇଉଠିଥିଲା।ସଂଘର ସଦସ୍ୟମାନେ ଜଣାଇଛନ୍ତି ଯେ, ସମସ୍ତ କାଉଡ଼ିଆ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ସୁଲତାନଗଞ୍ଜରୁ ପବିତ୍ର ଗଙ୍ଗାଜଳ ସଂଗ୍ରହ କରି ପଦଯାତ୍ରା ମାଧ୍ୟମରେ ଆସି ଜୁଲାଇ ୧୨ ତାରିଖରେ ବାବା ବୈଦ୍ୟନାଥ ମନ୍ଦିରରେ ଭଗବାନ ଶିବଙ୍କ ଜଳାଭିଷେକ କରିବେ। ଜଳାଭିଷେକ ସହିତ ରୁଦ୍ରାଭିଷେକ, ସ୍ୱତନ୍ତ୍ର ପୂଜାର୍ଚ୍ଚନା ତଥା ବିଶ୍ୱ କଲ୍ୟାଣ, ଦେଶର ଉନ୍ନତି, ରାଉରକେଲା ସହରର ସୁଖ-ସମୃଦ୍ଧି ଏବଂ ସମସ୍ତ ଶ୍ରଦ୍ଧାଳୁଙ୍କ ମଙ୍ଗଳ ପାଇଁ କାମନା କରାଯିବ।ଯାତ୍ରା ସମୟରେ ଶ୍ରଦ୍ଧାଳୁମାନେ ସମ୍ପୂର୍ଣ୍ଣ ଶ୍ରଦ୍ଧା, ଶୃଙ୍ଖଳା ଏବଂ ସେବା ଭାବନା ସହିତ ଯାତ୍ରା ସମ୍ପନ୍ନ କରିବେ। ସଂଘ ପକ୍ଷରୁ କାଉଡ଼ିଆମାନଙ୍କ ପାଇଁ ଆବଶ୍ୟକୀୟ ଚିକିତ୍ସା, ଖାଦ୍ୟ, ପାନୀୟ ଜଳ, ବିଶ୍ରାମ ଏବଂ ସୁରକ୍ଷା ସମ୍ବନ୍ଧୀୟ ବ୍ୟବସ୍ଥା ମଧ୍ୟ କରାଯାଇଛି, ଯାହାଫଳରେ ଯାତ୍ରାଟି ସୁରକ୍ଷିତ ଏବଂ ଶୃଙ୍ଖଳିତ ଭାବରେ ସମ୍ପୂର୍ଣ୍ଣ ହୋଇପାରିବ।ସଂଘର ପଦାଧିକାରୀମାନେ କହିଛନ୍ତି ଯେ, ଶ୍ରାବଣ ମାସରେ ବାବା ବୈଦ୍ୟନାଥ ଧାମରେ ଜଳାଭିଷେକ କରିବାର ଏକ ସ୍ୱତନ୍ତ୍ର ଧାର୍ମିକ ମହତ୍ତ୍ୱ ରହିଛି। ବିଶ୍ୱାସ ରହିଛି ଯେ, ଶୁଦ୍ଧ ମନରେ ଭଗବାନ ଶିବଙ୍କ ଜଳାଭିଷେକ କଲେ ଭକ୍ତଙ୍କର ସମସ୍ତ ମନସ୍କାମନା ପୂର୍ଣ ହୋଇଥାଏ ଏବଂ ଜୀବନରେ ସୁଖ, ଶାନ୍ତି ତଥା ସମୃଦ୍ଧିର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ।ଯାତ୍ରାରେ ସାମିଲ ହୋଇଥିବା ସମସ୍ତ ଶ୍ରଦ୍ଧାଳୁ ଜୁଲାଇ ୧୩ ତାରିଖରେ ଜଳାଭିଷେକ ସମ୍ପନ୍ନ କରିବା ପରେ ରାଉରକେଲାକୁ ଫେରିବେ। ଏହି ଅବସରରେ ସଂଘର ସଦସ୍ୟମାନେ ସହରବାସୀଙ୍କୁ ଶିବଭକ୍ତି, ପାର୍ସ୍ୱିକ ଭାଇଚାରା, ସାମାଜିକ ସଦ୍ଭାବ ଏବଂ ସ୍ୱଚ୍ଛତାର ବାର୍ତ୍ତା ଦେବା ସହିତ ଭଗବାନ ଭୋଳାନାଥଙ୍କ ନିକଟରେ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ପାଇଁ କାମନା କରିଛନ୍ତି।

