ରାଉରକେଲା ୧୨/୮,(ଉତ୍କଳ ସମାଚାର) ଆଜି ସୁନ୍ଦରଗଡ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ପାନପୋଷ ଉପଖଣ୍ଡରେ ଗୋ-ମାତା ସୁରକ୍ଷା ଯୋଜନା ଅନ୍ତର୍ଗତ ବୁଲା ଗାଈ ଗୋରୁମାନଙ୍କୁ ରିଫ୍ରାକ୍ଟିଭ ରେଡିୟମ୍ ବେଲଟ୍ ପିନ୍ଧାଯିବାର କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ରାଉରକେଲା ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନାଃ ଦସ୍ତଗୀର୍, ପାନପୋଷ ଏସ୍ ଡି ଭି ଓ ଡାକ୍ତର ପ୍ରସନ୍ନ କୁମାର ମହାରଣା, ରାଉରକେଲା ମହାନଗର ନିଗମ ଉପ-ଆୟୁକ୍ତ ତରୁଣକାନ୍ତ, ରାଉରକେଲା ଏମ୍ ଭି ଆର୍ ମାନସ ପୃଷ୍ଟିଙ୍କ ସମେତ ପାନପୋଷ ଉପଖଣ୍ଡର ବିଭିନ୍ନ ବ୍ଲକର ପ୍ରାଣୀ ଚିକିତ୍ସକ, ଆନିମାଲ ହେଲପ୍ ଲାଇନ୍ କର୍ମଚାରୀ ଏବଂ ଆର୍ ଏମ୍ ସି କର୍ମଚାରୀମାନେ ଉପସ୍ଥିତ ରହି ଏହି କାର୍ଯ୍ୟକୁ ପରିଚାଳନା କରିଥିଲେ। ରାସ୍ତାରେ ଘଟୁଥିବା ଦୁର୍ଘଟଣା ଯୋଗୁଁ ମନୁଷ୍ଯ ଏବଂ ଗାଈଗୋରୁଙ୍କ ପ୍ରାଣହାନୀ ଘଟୁଥିବାରୁ, ସେମାନଙ୍କର ଜୀବନରକ୍ଷା କରିବା ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି। ଆଗାମୀ ଦିନରେ ଜାତୀୟ ରାଜପଥ ଏବଂ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ୩୦୦୦ ବୁଲା ଗାଈଗୋରୁଙ୍କୁ ଏହି ବେଲଟ୍ ପିନ୍ଧାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

