ରାଉରକେଲା ୧୩//୮,(ଉତ୍କଳ ସମାଚାର) ୧୦ ବର୍ଷରୁ ଉର୍ଦ୍ଧ୍ବ ହେବ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ୍ ଗଠିତ ହୋଇଥିଲେ ମଧ୍ୟ ସହରର ଡ୍ରେନେଜ୍ ସିଷ୍ଟମ୍ ଦେଖିଲେ ଏହାକୁ ସ୍ମାର୍ଟ ସିଟି ଡ୍ରେନେଜ୍ ସିଷ୍ଟମ୍ କେହି କହିବେ ନାହିଁ ବୋଲି ଆଜି ଅଭିଯୋଗ କରିଛନ୍ତି ବର୍ଷା ପାଣିରେ ବୁଡ଼ି ରହିଥିବା ସ୍ମାର୍ଟ ସିଟି ମୁଖ୍ୟ ରାସ୍ତାକୁ ଲାଗିରହିଥିବା ଘରର ଜନସାଧାରଣ। ସେମାନେ ଅଭିଯୋଗ କରିଛନ୍ତି ଯେ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ଡ୍ରେନର ପୁନଃ ନିର୍ମାଣ ସମୟରେ ଏହାକୁ ଜବରଦଖଲ କରି ରଖିଥିବା ବ୍ୟବସାୟୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଡେନକୁ ଅଣଚଉଡା କରି ନିର୍ମାଣ କରାଯାଇଥିବା ଦୃଷ୍ଟିରୁ ଏପରି ପରିସ୍ଥିତି ଉପୁଜିଛି। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାକୁ ବିଶେଷ ସତର୍କ ସୂଚନା ଜାରି କରାଯାଇଥିବା ବେଳେ, ଝାରସୁଗୁଡା, ସମ୍ବଲପୁର, ବରଗଡ, ଦେଓଗଡ, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଏବଂ କଟକ ଜିଲ୍ଲାକୁ ସତର୍କ ସୂଚନାଜାରି କରାଯାଇଛି।ବୁଧବାର ରାତି ୨ଟା ଠାରୁ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ଲାଗି ରହିଥିଲା ବେଳେ ଗୁରୁବାର ଦିନ ୧୧ଟା ସମୟ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ଫଳରେ ରାଉରକେଲା ସହରର ପାନପୋଷ ଓ୍ବାଟକୋ କଲୋନୀ (ପିଏଚ୍ଇଡି) ଅଞ୍ଚଳରେ ଥିବା ସରକାରୀ ବାସଗୃହରେ ବର୍ଷା ପାଣି ପଶିଥିବା ବେଳେ ଛେଣ୍ଡ କଲୋନୀର ଆରଡିଏ କଲୋନୀ, କୋ-ଅପରେଟିଭ କଲୋନୀ, ବାସନ୍ତୀ କଲୋନୀ, ବିରଜାପାଲ୍ଲୀ, ଉଦିତନଗର, ବିର୍ସା ଡାହର ରୋଡର ପଣ୍ଡା କଲୋନୀ, ଡେଲି ମାର୍କେଟର ମାଛ ମାର୍କେଟ, ପ୍ଲାଣ୍ଟସାଇଟ୍ ରୋଡ୍, ନୂଆ ବସ ଷ୍ଟାଣ୍ଡ ଅଞ୍ଚଳର ଗୁରୁଦ୍ଵାର ରୋଡ, ଗାନ୍ଧୀ ରୋଡ୍ ଅଞ୍ଚଳରେ ଥିବା ଘରମାନଙ୍କରେ ବର୍ଷାପାଣି ପଶିବା ଫଳରେ ଘରେ ଭିତରେ ଥିବା ଆସବାବପତ୍ର ନଷ୍ଟ ହେବା ସହିତ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।ରାଉରକେଲା ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନାଃ ଦସ୍ତଗୀର୍ ଆଜି ପୂର୍ବାହ୍ନରେ ଖବର ପାଇବା ପରେ ମହାନଗର ନିଗମ କର୍ମଚାରୀଙ୍କ ସହିତ ମୁଖ୍ୟରାସ୍ତା ଅଞ୍ଚଳରେ ପହଁଞ୍ଚି ଜେସିବି ଲଗାଇ ଡେନ୍ ଉପରେ ଥିବା ସ୍ଲାବକୁ ହଟାଇ ବର୍ଷାପାଣି ଯିବାପାଇଁ ପଥ ପରିଷ୍କାର କରାଇଥିଲେ।


