ରାଉରକେଲା:16//8,(ଉତ୍କଳ ସମାଚାର)ରାଉରକେଲାର ଉଦିତନଗର ପଡ଼ିଆଠାରେ ୮୦ ତମ ସ୍ଵାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ସ୍ଵାଧୀନତା ଦିବସ ଅବସରରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନାଃ ଦସ୍ତଗୀର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ l ଏହି ଅବସରରେ ମୁଖ୍ୟ ଅତିଥି ସୁଶ୍ରୀ ଦୀନାଃ ଦସ୍ତଗୀର୍ ତାଙ୍କ ଅଭିଭାଷଣରେ ଭାରତର ସ୍ବାଧୀନତା ସଂଗ୍ରାମରେ ସାମିଲ ହୋଇଥିବା ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ ଓ ବଳିଦାନକୁ ମନେପକାଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ରାଉରକେଲାର ଏକ ସ୍ବତନ୍ତ୍ର ପରିଚୟ ରହିଛି l ରାଉରକେଲା ବିକାଶ ଦିଗରେ ସରକାର ଅନେକ ଯୋଜନା କରିଛନ୍ତି l ରାଉରକେଲାରେ ଶିଳ୍ପ , ସ୍ବାସ୍ଥ୍ୟ, ଶିକ୍ଷା ଓ କ୍ରୀଡା କ୍ଷେତ୍ରରେ ବିକାଶ ହୋଇଛି l ୨୦୨୩ରେ ପୁରୁଷ ହକି ବିଶ୍ୱକପ୍, ହକି ପ୍ରୋଲିଗ, ହକି ଇଣ୍ଡିଆ ଲିଗ ରାଉରକେଲାରେ ସଫଳତାର ସହିତ ଆୟୋଜନ ପରେ ରାଉରକେଲା କ୍ରୀଡା ହବ ହୋଇପାରିଛି l ରାଉରକେଲାର ଖେଳାଳି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଦେଶର ପ୍ରତିନିଧିତ୍ୱ କରି ସୁନ୍ଦରଗଡ଼ ଜିଲ୍ଲା ସହିତ ରାଉରକେଲା ପାଇଁ ଗୌରବ ଆଣିଛନ୍ତି। ଏହା ବ୍ୟତୀତ ସେ ଆହୁରି କହିଥିଲେ ଯେ ରାଉରକେଲା ମହାନଗର ନିଗମ ପ୍ରୟାସରେ ସହରର ପରିମଳ ବ୍ୟବସ୍ଥା ସୁଦୂଢ ହୋଇପାରିଛି l ସହରରେ ସ୍ବଚ୍ଛତା ଦିଗରେ କରାଯାଉଥିବା ବିଭିନ୍ନ ପଦକ୍ଷେପ ଯୋଗୁଁ ଦେଶର ୧୫ ସ୍ବଛ ସହର ମଧ୍ୟରେ ସ୍ଥାନ ପାଇଛି l ରାଉରକେଲାକୁ ଏକ ସ୍ବଚ୍ଛ ଓ ସୁନ୍ଦର ସହର ଗଠନ ଦିଗରେ ସମସ୍ତେ ସହଯୋଗ କରନ୍ତୁ ବୋଲି ସୁଶ୍ରୀ ଦୀନାଃ ଦସ୍ତଗୀର୍ ଆହ୍ବାନ ଦେଇଥିଲେ l ଏହା ସହିତ ସେ କହିଥିଲେ ଯେ ଗୁରୁବାର ହୋଇଥିବା ଲଗାଣ ବର୍ଷା ରାଉରକେଲାକୁ ବିଶେଷ ପ୍ରଭାବିତ କରିଥିଲା l ଏହିପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରାଉରକେଲା ସହରବାସୀଙ୍କ ଧୈର୍ଯ୍ୟ ଓ ସହଯୋଗରେ ଖୁବ୍ କମ୍ ସମୟ ମଧ୍ୟରେ ଏହାର ମୁକାବିଲା କରାଯାଇପାରିଥିଲା l ଏହି ସମୟରେ ପ୍ରଶାସନ ସହିତ ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ, ସାଧାରଣ ଜନତା, ସଫେଇ କର୍ମଚାରୀଙ୍କ ସହଯୋଗ ପ୍ରଶଂସନୀୟ lରିଜର୍ଭ ପୋଲିସର ଇନିସପେକ୍ଟର ସମିତ ସାମଲଙ୍କ ନେତୃତ୍ୱରେ ପ୍ୟାରେଡ୍ ଆୟୋଜିତ ହୋଇଥିଲା। ପ୍ୟାରେଡରେ ୫୪ଟି ଦଳ ଅଂଶ ଗ୍ରହଣ କରିଥିଲେ। ପ୍ୟାରେଡ୍ ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ଯ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୯ ଜଣ କ୍ରୀଡ଼ା ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା। ଏଥିସହ ସ୍କୁଲ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସ୍ଵାଧୀନତା ଦିବସ ପାଳନ ସମାରୋହରେ ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ୱାଧୱାନି, ଡିଏଫ୍ଓ ରାଉରକେଲା ରବିକାନ୍ତ ମୀନା, ପାନପୋଷ ଉପଜିଲ୍ଲାପାଳ ଚନ୍ଦ୍ରକାନ୍ତ ମଲ୍ଲିକ, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କା ପ୍ରମୁଖ ଉପସ୍ଥିତ ଥିଲେ। ସ୍ଵାଧୀନତା ଦିବସ ପାଳନ ଅବସରରେ ରାଉରକେଲା ସ୍ଵତନ୍ତ୍ର ଜେଲର ଅନ୍ତେବାସୀଙ୍କ ସମେତ ରାଉରକେଲା ସରକାରୀ ଚିକିତ୍ସାଳୟର ରୋଗୀମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା l ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ମହେନ୍ଦ୍ର ମିଶ୍ର ମଂଚ ପରିଚାଳନା କରିଥିଲେ। କାଯ୍ୟକ୍ରମରେ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ବହୁ ସଂଖ୍ଯାରେ ଜନସାଧାରଣ ଉପସ୍ଥିତ ଥିଲେ।

