ସମ୍ବଲପୁର,୧୮/୦୮(ଉତ୍କଳ ସମାଚାର),(ସରୋଜ ସାହୁ): ପରିବେଶ ସୁରକ୍ଷା ସହ ସବୁଜିମା ବୃଦ୍ଧି ଲକ୍ଷ୍ୟରେ ରୋଟାରୀ କ୍ଲବ୍ ସମ୍ବଲପୁର ଓ ଆଇଆଇଏମ୍ ସମ୍ବଲପୁରର ମିଳିତ ସହଯୋଗରେ ଆଇଆଇଏମ୍ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ମିୟାୱାକି ପଦ୍ଧତି ରେ ଏହି ଅଭିଯାନ ରେ ମୋଟ ୧୨୨୩ଟି ଚାରା ରୋପଣ କରାଯାଇଛି। ମିୟାୱାକି ହେଉଛି ଜାପାନୀ ବନସୃଜନ ପ୍ରଯୁକ୍ତି, ଯାହା ଅଳ୍ପ ସମୟ ମଧ୍ୟରେ ଘଞ୍ଚ ଓ ସ୍ଥାନୀୟ ପ୍ରଜାତିର ଜଙ୍ଗଲ ସୃଷ୍ଟି କରିବାରେ ସହାୟକ ହୋଇଥାଏ। ଏହି ପଦ୍ଧତିରେ ରୋପଣ କରାଯାଇଥିବା ଚାରାଗୁଡ଼ିକ ମଧ୍ୟରୁ ଅଧିକାଂଶ ଫଳଦାୟକ ଓ ଔଷଧୀୟ ପ୍ରଜାତିର। ଏହା ଭବିଷ୍ୟତରେ ପରିସରର ଜୈବ ବିବିଧତା ବୃଦ୍ଧି ସହ ପରିବେଶ ଓ ସ୍ୱାସ୍ଥ୍ୟକୁ ସକାରାତ୍ମକ ଭାବେ ପ୍ରଭାବିତ କରିବ ବୋଲି ଆଶା କରାଯାଇଛି। ଆଇଆଇଏମ୍ ସମ୍ବଲପୁରରେ ଗତ ତିନି ବର୍ଷ ଧରି ରୋଟାରୀ କ୍ଲବ୍ ପକ୍ଷରୁ ମିୟାୱାକି ପଦ୍ଧତିରେ ବୃକ୍ଷରୋପଣ କରା ଯାଇଆସୁଛି। ଏହି ନିରନ୍ତର ପ୍ରୟାସ ଦ୍ୱାରା ଆଇଆଇଏମ୍ ପରିସରକୁ ଅଧିକ ସବୁଜ, ସୁନ୍ଦର ଓ ପରିବେଶ ଅନୁକୂଳ କରିବାର ଉଦ୍ୟମ ଜାରି ରହିଛି। କାର୍ଯ୍ୟକ୍ରମରେ ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୟସୱାଲ ଏବଂ ମୁଖ୍ୟ ପ୍ରଶାସନିକ ଅଧିକାରୀ ଅମୃତ ମହାନ୍ତି ଉପସ୍ଥିତ ରହି ବୃକ୍ଷରୋପଣରେ ଅଂଶ ଗ୍ରହଣ କରିଥିଲେ। ରୋଟାରୀ କ୍ଲବ୍ ସମ୍ବଲପୁର ପକ୍ଷରୁ ସଭାପତି ରୋଟାରିଆନ୍ ଚିନ୍ମୟ ଶତପଥୀ, ସମ୍ପାଦକ ରୋଟାରିଆନ୍ ସୁକାନ୍ତ କୁମାର ମେହେର, ପୂର୍ବତନ ସଭାପତିଙ୍କ ସମେତ ବହୁ ସଦସ୍ୟ ଓ ସଦସ୍ୟା ଯୋଗ ଦେଇଥିଲେ।ଏହିଅବସରରେ ଆଇଆଇଏମ୍ ସମ୍ବଲପୁର ର କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ଉତ୍ସାହପୂର୍ଣ୍ଣ ସହଯୋଗ ଲକ୍ଷ୍ୟ କରା ଯାଇଥିଲା

