ରାଉରକେଲା ୨୧/୮,(ଉତ୍କଳ ସମାଚାର) ଦେଶ ଓ ରାଜ୍ୟର ଭିଭିଆଇପିଙ୍କ ରହଣୀ ସ୍ଥଳ ପାନପୋଷ ସର୍କିଟ ହାଉସର ୧୦୭ ନମ୍ବର ରୁମରୁ ଜବତ୍ ପିସ୍ତଲ, କାର୍ଟିଜ ଓ ଜୀବନ୍ତ ଗୁଳି ସମେତ ୭ ଅଭିଯୁକ୍ତଙ୍କ ଗିରଫ୍ ପରେ, ସୁନ୍ଦରଗଡ ସାଂସଦ ତଥା କେନ୍ଦ୍ର ଆଦିବାସୀ କଲ୍ଯାଣ ମନ୍ତ୍ରୀ ଜୁଏଲ ଓରାମଙ୍କ ରାଉରକେଲା ମହାନଗର ନିଗମ ପ୍ରତିନିଧି ପ୍ରକାଶ ପାଶ୍ୱାନଙ୍କ ସମ୍ପୃକ୍ତିକୁ ନେଇ ପ୍ରଶ୍ନ ଉଠିବା ପରେ, ପ୍ରକାଶ ପାଶ୍ୱାନଙ୍କୁ ଗୁରୁବାର ଦିନ ଭାରତୀୟ ଜନତା ପାର୍ଟିରୁ ନିଲମ୍ବିତ କରାଯାଇଛି। ଏହି ଘଟଣାକୁ କେନ୍ଦ୍ର କରି ସୁନ୍ଦରଗଡ ଜିଲ୍ଲାର ଜନସାଧାରଣଙ୍କ ପକ୍ଷରୁ ପ୍ରକାଶ ପାଶ୍ୱାନଙ୍କ ଗିରଫ ଦାବି କରାଯିବା ସହ ସୁନ୍ଦରଗଡ ସାଂସଦ ତଥା କେନ୍ଦ୍ର ଆଦିବାସୀ କଲ୍ଯାଣ ମନ୍ତ୍ରୀ ଜୁଏଲ ଓରାମଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କୃତ ଦାବି କରି, ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଏକ ସ୍ମାରକପତ୍ର ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ଯେ, ପାନପୋଷ ଉପଖଣ୍ଡ ଅଧୀନରେ ପରିଚାଳିତ ସରକାରୀ ସର୍କିଟ ହାଉସର ରୁମ ନମ୍ବର ୧୦୭ରୁ ଗତ ୧୪/୮/୨୦୨୬ ତାରିଖ ଦିନ ପୋଲିସ ଅଚାନକ ଚଢ଼ାର କରି ୩ ଜଣ ଅସାମାଜିକ ବ୍ୟକ୍ତିମାନଙ୍କୁ ଗିରଫ କରିଥିଲା । ଗିରଫ ବ୍ୟକ୍ତିମାନଙ୍କ ଠାରୁ ପୋଲିସ ବନ୍ଧୁକ ଓ ଜୀବନ୍ତ ଗୁଳି ଆଦି ଜବତ କରିଥିଲା । କେବଳସେତିକି ନୁହେଁ ଗିରଫ ବ୍ୟକ୍ତିଙ୍କ ସୂଚନା ଆଧାରରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆହୁରି ୪ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ମଧ୍ୟ ବନ୍ଧୁକ ଓ ଜୀବନ୍ତ ଗୁଳି ମଧ୍ଯ ଜବତ କରିଥିଲା ।ଏ ସମ୍ବନ୍ଧରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ସର୍କିଟ ହାଉସ୍ ବୁକିଙ୍ଗ କରିଥିବା ଜନୈକ ବିଜେପି ଯୁବନେତାଙ୍କୁ ଗିରଫ ନକରିବା କାରଣ କଣ ତାହା ଆଜି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯେହେତୁ ଉକ୍ତ ଯୁବନେତା ଜଣଙ୍କ ରାଜ୍ୟ ପଦାଧିକାରୀ ଦାୟୀତ୍ବରେ ଥିବା ବେଳେ ବର୍ତ୍ତମାନ ସୁନ୍ଦରଗଡ ଲୋକସଭା ସାଂସଦ ଜୁଏଲ ଓରାମଙ୍କ ରାଉରକେଲା ମହାନଗର ନିଗମର ପ୍ରତିନିଧି ଭାବେ କାର୍ଯ୍ୟରତ । ଏଥିପାଇଁ ବୋଧେହୁଏ ପୋଲିସ୍ ଉକ୍ତ ଯୁବନେତାଙ୍କ ଉପରେ ହାତ ମାରିବାର ସାହାସ କରିପାରୁନଥିଲେ । ତେବେ ଉକ୍ତ ଯୁବନେତା ପ୍ରକାଶ ପାଶ୍ୱାନଙ୍କୁ ଦଳରୁ ନିଲମ୍ବିତ କରାଯାଇଥିବା ନେଇ ରାଜ୍ୟ ମିଡ଼ିଆ ସେଲ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ରାଜ୍ୟ ବିଜେପିର ଏହି ପଦକ୍ଷେପ ବୋଧହୁଏ ଯୁବନେତା ପ୍ରକାଶଙ୍କୁ ଗିରଫ ହେବା ପାଇଁ ସହାୟକ ହେବ। ତେବେ ଯାହାଙ୍କ ଯୋଗୁଁ ପ୍ରକାଶଙ୍କ ଦୌରାତ୍ମ୍ୟ ବଢି ଯାଇଥିଲା ଏପରିକି ଅସାମାଜିକ ଲୋକଙ୍କ ସହିତ ସମ୍ପର୍କ ରଖିପାରୁଥିଲା, ସେହି ନେତା ତଥା ସୁନ୍ଦରଗଡ ଲୋକସଭା ସାଂସଦ ଜୁଏଲ ଓରାମଙ୍କୁ ଦଳରୁ ନିଲମ୍ବିତ କରାଯିବା ସହିତ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଯିବା ପାଇଁ ସୁନ୍ଦରଗଡ ଜନସାଧାରଣଙ୍କ ପକ୍ଷରୁ ଦାବି କରାଯାଉଛି। ଏଥିସହିତ ବନ୍ଧୁକ ବେପାରୀଙ୍କ ସହିତ ପ୍ରକାଶ ପାଶ୍ୱାନ ଏବଂ କେନ୍ଦ୍ରମନ୍ତ୍ରୀଙ୍କ କି ସମ୍ପର୍କ ଥିଲା, ଯାହା ତାଙ୍କ ଦ୍ବାରା ସର୍କିଟ ହାଉସରେ ବୁକିଙ୍ଗ ହୋଇଥିବା ଏକ ରୁମରେ ବନ୍ଧୁକଧାରୀ କିପରି ପ୍ରବେଶ କଲେ ଜୁଏଲଙ୍କ ସହ ବନ୍ଧୁକଧାରୀମାନଙ୍କ ସମ୍ପର୍କ କଣ ? ଏ ସମସ୍ତ ବିଷୟରେ ସିବିଆଇ ଦ୍ବାରା ତଦନ୍ତ କରାଇବା ପାଇଁ ସୁନ୍ଦରଗଡ଼ ଜନସାଧାରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିବା ସ୍ମାରକପତ୍ର ସମୟରେ ଦିଲ୍ଲୀପ ଲାଲଜୀ, ହରମୋନ ଲୁଗୁନ, ରୋଶନୀ ଏକ୍କା, ହଜଓ୍ବାବା ଶେଖ୍, ଦୀପକ ସମାସୀ, ରୋହିତ ଓରାମ, ଶିବରାଜ ବେହେରା, ସଞ୍ଜୀବ ତିର୍କୀ ପ୍ରମୁଖ।

