ପାପଡାହାଣ୍ଡି,22//8,(ଉତ୍କଳ ସମାଚାର): ପାପଡାହାଣ୍ଡି ଓ ମାଥିଲି ଗୁଳିକାଣ୍ଡର ଅମର ଶହୀଦ ଓ ସଂଗ୍ରାମୀମାନଙ୍କ ସ୍ମୃତିକୁ ଉଜ୍ଜୀବିତ କରିବା ତଥା ଦେଶାତ୍ମବୋଧର ଚେତନାକୁ ନୂତନ ପିଢ଼ି ମଧ୍ୟରେ ସଞ୍ଚାର କରିବା ଉଦ୍ଦେଶ୍ୟରେ ‘କ୍ରାନ୍ତିଧ୍ବନୀ’ ଦେଶାତ୍ମବୋଧକ କବିତା ପାଠୋତ୍ସବ ଆୟୋଜିତ ହୋଇଛି। ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର ଓ ଦେଶିଆ କୁଟୁମର ମିଳିତ ଆନୁକୂଲ୍ୟରେ ଶନିବାର ପାପଡାହାଣ୍ଡି ବ୍ଲକ୍ ସମ୍ମିଳନୀ କକ୍ଷରେ ଏହି ସାହିତ୍ୟିକ ଓ ସ୍ମୃତିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।କାର୍ଯ୍ୟକ୍ରମର ପ୍ରଥମ ସତ୍ରରେ ପୂର୍ବତନ ସାଂସଦ ନବରଙ୍ଗପୁର ଶ୍ରୀ ପର୍ଶୁରାମ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶହୀଦ ଓ ସଂଗ୍ରାମୀମାନଙ୍କ ତ୍ୟାଗ, ଦେଶପ୍ରେମ ଓ ଅଦମ୍ୟ ସାହସକୁ ସ୍ମରଣ କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ ଲେଖକ ଡାକ୍ତର ସୁରେନ୍ଦ୍ରନାଥ ଦାଶ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ସାହିତ୍ୟ ମାଧ୍ୟମରେ ଐତିହାସିକ ସ୍ମୃତି ଓ ଦେଶାତ୍ମବୋଧକ ଚେତନାକୁ ଜୀବନ୍ତ ରଖିବାର ଆବଶ୍ୟକତା ଉପରେ ମତ ରଖିଥିଲେ।ସମ୍ମାନିତ ଅତିଥି ଭାବେ ପାପଡାହାଣ୍ଡିର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ କପିଳଦେବ ସାହୁ ଏବଂ ବରିଷ୍ଠ ସାମ୍ବାଦିକ ତଥା ପଞ୍ଚାୟତ ସମିତି, ପାପଡାହାଣ୍ଡିର ଉପାଧ୍ୟକ୍ଷ ଶ୍ରୀ ସୁଶାନ୍ତ କୁମାର ବେହେରା ଯୋଗଦେଇଥିଲେ। ଦେଶିଆ କୁଟୁମର ସଭାପତି ଶ୍ରୀ ସାଇମନ ବିଡିକା ସଭାମୁଖ୍ୟ ଭାବେ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ।ଦ୍ୱିତୀୟ ସତ୍ରରେ ଦେଶାତ୍ମବୋଧକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀ ସୁବାସ ଚନ୍ଦ୍ର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟା ଶ୍ରୀମତୀ ଜେମାମଣି ବିଷୋୟୀ ସଭାପତିତ୍ୱ କରିଥିଲେ। ଏହି ସତ୍ରରେ ସାନା ସାହୁ ଓ ସହଦେବ ପରିଡାଙ୍କ ସମେତ ବହୁ କବି ଦେଶାତ୍ମବୋଧକ କବିତା ପାଠ କରି ଶହୀଦମାନଙ୍କ ତ୍ୟାଗ ଓ ସ୍ୱାଧୀନତା ସଂଗ୍ରାମର ସ୍ମୃତିକୁ କବିତାର ଭାବ ଓ ଭାଷାରେ ଉଦ୍ଭାସିତ କରିଥିଲେ।ନାରାୟଣ ପଣ୍ଡା, ସନ୍ତୋଷ ଖମାରୀ, ସୁଧିରାଜ ରାଉତ, ଗୁରୁଦାସୀ ମଣ୍ଡଳ, ମିତ୍ରଭାନୁ ସତନାମୀ ଓ ଅନେକ କବି ନିଜର କବିତା ପାଠ କରିଥିଲେ।କାର୍ଯ୍ୟକ୍ରମର ସଂଯୋଜନା ସୁଶ୍ରୀ ଚନ୍ଦନା ମଲ୍ଲିକ, ବାସନ୍ତୀ ଲତା ଜେନା ଓ ଜାହ୍ନବୀ ପଣ୍ଡା କରିଥିଲେ। ଦେଶିଆ କୁଟୁମର ଉପସଭାପତି ଶ୍ରୀ ଚନ୍ଦ୍ରଶେଖର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।‘କ୍ରାନ୍ତିଧ୍ବନୀ’ ମାଧ୍ୟମରେ ପାପଡାହାଣ୍ଡି ଓ ମାଥିଲିର ଐତିହାସିକ ସଂଗ୍ରାମର ସ୍ମୃତିକୁ ସାହିତ୍ୟ ଓ କବିତା ମାଧ୍ୟମରେ ଜନମାନସରେ ପୁନର୍ବାର ଉଚ୍ଚାରିତ କରିବା ସହିତ ଯୁବପିଢ଼ି ମଧ୍ୟରେ ଦେଶପ୍ରେମ, ତ୍ୟାଗ ଓ ସ୍ୱାଭିମାନର ଚେତନା ଜାଗ୍ରତ କରିବାର ଏକ ସାର୍ଥକ ପ୍ରୟାସ ବୋଲି ଉପସ୍ଥିତ ସାହିତ୍ୟପ୍ରେମୀମାନେ ମତ ପ୍ରକାଶ କରିଥିଲେ।

