ରାଉରକେଲା:27//8,(ଉତ୍କଳ ସମାଚାର) ସହରର ଅନ୍ୟତମ ପୁରାତନ ସାହିତ୍ୟ ଅନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ଓ ଦେବେନ୍ଦ୍ର ସ୍ମୃତି ନ୍ୟାସ ର ମିଳିତ ଆନୁକୂଲ୍ୟରେ ଦେବେନ୍ଦ୍ର କୁମାର ଦାଶ ସ୍ମାରକୀ ବକ୍ତୃତାମାଳା ଓ ଗ୍ରନ୍ଥ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ପ୍ରତାପ କୁମାର ସ୍ୱାଇଁଙ୍କ ସଭାପତିତ୍ବ, ସାଧାରଣ ସମ୍ପାଦକ ରାଧାମୋହନ ନାୟକଙ୍କ ଆବାହକତ୍ବ ତଥା ଝିଲିମା ମହାନ୍ତି ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆଲୋଚିକା ଭାବେ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଡ ସବିତା ପ୍ରଧାନ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗ ଓଡ଼ିଆ ଗଳ୍ପରେ ମୂଲ୍ୟବୋଧ ର ପ୍ରଖ୍ୟାପନ ସମ୍ପର୍କରେ ଆଲୋଚନା କରିଥିଲେ। ସେ ତାଙ୍କ ବକ୍ତବ୍ୟରେ କହିଲେ ଯେ ଦେବେନ୍ଦ୍ର ବାବୁ ଜଣେ ନିରପେକ୍ଷ, ସତ୍ୟାନ୍ବେଷୀ ଗବେଷକ ତଥା ମହାବିଦ୍ୟାଳୟର ପ୍ରଶାସନିକ ଦକ୍ଷତା ଓ ଦୂରଦୃଷ୍ଟି ସମ୍ପନ୍ନ ଓଡ଼ିଆ ସାହିତ୍ୟ ଅନୁରାଗୀ ବ୍ୟକ୍ତିତ୍ଵ ଥିଲେ। କାହାଣୀ ଯେତେବେଳେ ସାହିତ୍ୟରେ ପରିଣତ ହୁଏ ସେତେବେଳେ ସେ ପାଠକକୁ ପ୍ରେରିତ କରେ। ଗଳ୍ପ ଭିତରେ ମାନବୀୟ ମୂଲ୍ୟବୋଧ ଓ ଶିଶୁ ସାହିତ୍ୟରେ ଉପଦେଶ ରହିଲେ ତାହା ଅଧିକ ଗ୍ରହଣୀୟ ହୁଏ। ଏହାସହ ସେ ଗଳ୍ପରେ ବାହ୍ୟସ୍ତର, କାହିଁକି ଓ ଗଭୀର ସ୍ତର ସମ୍ପର୍କରେ ମାର୍ମିକ ଆଲୋଚନା କରିଥିଲେ। ଏହି ଅବସରରେ ନଗେନ୍ କୁମାର ଦାସଙ୍କ ସମ୍ପାଦିତ ଦେବେନ୍ଦ୍ର ଦୃଷ୍ଟି-ତୃତୀୟ ଭାଗକୁ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା। କାର୍ଯ୍ୟକ୍ରମରେ ଡ ଖଗେଶ୍ବର ମେହେରଙ୍କୁ ଦେବେନ୍ଦ୍ର କୁମାର ଦାଶ ସ୍ମୃତି ସମ୍ମାନ ସହ ୨୦ ହଜାର ନଗଦ ଅର୍ଥରେ ପୁରସ୍କୃତ କରାଯାଇଥିଲା। ଏହି ସବୁ କାର୍ଯ୍ୟକ୍ରମରେ ଦେବେନ୍ଦ୍ର କୁମାର ଙ୍କ ପୁତ୍ର ସଙ୍କେତ ସୁନନ ଦାଶ, ପୁତ୍ରବଧୂ ନିବେଦିତା ଦାଶ,ଡ ସନ୍ତୋଷ ରଥ,ଗୈ।ରାଙ୍ଗଚନ୍ଦ୍ର ଦାଶ ପ୍ରମୁଖଙ୍କ ସହ ସଂଘର ସମସ୍ତ କର୍ମକର୍ତ୍ତା ଓ ସହରର ବହୁ ସାହିତ୍ୟିକ,କବି, ପ୍ରାବନ୍ଧିକ ଯୋଗଦେଇଥିଲେ। ସାଂସ୍କୃତିକ ସମ୍ପାଦକ ଅଶୋକ କୁମାର ପଟ୍ଟନାୟକ ମାନପତ୍ର ପଠନ କରିଥିବା ବେଳେ ସଭାପତି ଶ୍ରୀ ସ୍ବାଇଁ ସ୍ବାଗତ ଅଭିଭାଷଣ ଓ ଶେଷରେ ସମ୍ପାଦକ ଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସୁଲଗ୍ନା,ସାଇପ୍ରତିଭା, ମମତା ପ୍ରମୁଖ ସହଯୋଗ କରିଥିଲେ।

