ରାଉରକେଲା ୩୧/୮,(ଉତ୍କଳ ସମାଚାର) ସର୍କିଟ ହାଉସରୁ ପିସ୍ତଲ ଓ ଗୁଳିଗୁଳା ଜବତ୍ ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରକାଶ ପାଶୱାନଙ୍କ ସମେତ ୧୨ ଅଭିଯୁକ୍ତଙ୍କୁ ଗିରଫ ପରେ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଅଗଷ୍ଟ ୨୮ ତାରିଖ ଦିନ ବିରୋଧିଙ୍କ ପ୍ରତି ଦେଇଥିବା ବିବୃତ୍ତି ଏବଂ ଜାଳିଦେବା ପୋଡିଦେବା ଧମକ ପରେ ଗତକାଲି ଜିଲ୍ଲା କଂଗ୍ରେସ ପକ୍ଷରୁ ତାଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ବେଳେ ଆଜି ଜୁଏଲ ଓରାମଙ୍କ ସପକ୍ଷରେ ଆଗକୁ ବାହାରି ଶୋଭାଯାତ୍ରା କରିବା ସହିତ ରାଉରକେଲା ଜିଲ୍ଲା ପୋଲିସ୍ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଓରାମ ସମାଜ ଯୁବ ମଞ୍ଚ।ଲଘୁଚାପ ଜନିତ ଲଗାଣ ବର୍ଷା ସତ୍ତ୍ବେ ଓରାମ ସମାଜ ଯୁବ ମଞ୍ଚ ପକ୍ଷରୁ ବିର୍ସା ମୁଣ୍ଡା ଛକରୁ ଏହି ଶୋଭାଯାତ୍ରା ବାହାରି ରାଉରକେଲା ମୁଖ୍ଯ ରାସ୍ତା ଦେଇ ଉଦିତନଗର ସ୍ଥିତ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ଶୋଭାଯାତ୍ରାକାରୀ ହାତରେ ପ୍ଲା-କାର୍ଡ ଧରି ଜୁଏଲ ଓରାମଙ୍କ ସପକ୍ଷରେ ସ୍ଲୋଗାନ ଦେଇ ଏହି ଶୋଭାଯାତ୍ରାରେ ସାମିଲ୍ ହୋଇଥିଲେ। ଶୋଭାଯାତ୍ରା ଉଦିତନଗର ସ୍ଥିତ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ ଜୁଏଲଙ୍କ ସପକ୍ଷରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିକ୍ଷୋଭ ପ୍ରଦର୍ଶନ ସମୟରେ ଓରାମ ସମାଜ ଯୁବ ମଞ୍ଚ ପକ୍ଷରୁ ଜୁଏଲ ଓରାମଙ୍କ ସପକ୍ଷରେ ସ୍ଲୋଗାନ ମାନ ଦିଆଯିବା ସହିତ ଶ୍ରୀ ଜୁଏଲ ଓରାମଙ୍କୁ ଅସମ୍ମାନ କଦାପି ସହ୍ୟ କରାଯିବ ନାହିଁ, ତାଙ୍କ ବିରୋଧରେ କୌଣସି ମାନହାନି ମନ୍ତବ୍ୟ ଦିଆଯାଇପାରିବ ନାହିଁ ଏବଂ ଜୁଏଲ ଓରାମ ଜିନ୍ଦାବାଦ ସ୍ଲୋଗାନ ଦେଇଥିଲେ। ଏହି ଶୋଭାଯାତ୍ରା ଓ ବିକ୍ଷୋଭରେ ଓରାମ ସମାଜ ଯୁବ ମଞ୍ଚର ସଭାପତି ମାଙ୍ଗେ ଏକ୍କା ଏବଂ ବୀରମିତ୍ରପୁର ପୂର୍ବତନ ବିଧାୟକ ଶଙ୍କର ଓରାମ ପ୍ରମୁଖ ସାମିଲ ହୋଇଥିଲେ। ଓରାମ ସମାଜ ଯୁବ ମଞ୍ଚ ପକ୍ଷରୁ ଶୋଭାଯାତ୍ରା ଏବଂ ବିକ୍ଷୋଭକୁ ଦେଖି ଜିଲ୍ଲା ପୋଲିସ୍ କାର୍ଯ୍ଯାଳୟ ସମ୍ମୁଖରେ ବାରିକେଟ୍ ସହିତ ପୋଲିସ୍ ମୁତୟନ କରାଯାଇ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

