ସମ୍ବଲପୁର,୦୭/୦୯(ଉତ୍କଳ ସମାଚାର),(ସରୋଜ ସାହୁ):ଏନଏଲସି ଇଣ୍ଡିଆ ଲିମିଟେଡ୍ ଦ୍ୱାରା ପରିଚାଳିତ ଓଡିଶାର ସମ୍ବଲପୁର ଏବଂ ଝାରସୁଗୁଡ଼ା ଜିଲ୍ଲାର ସୀମାନ୍ତରେ ଥିବା ତଲାବିରା ୨ ଓ ୩ ବ୍ଲକକୁ ନେଇ ଗଠିତ ଓପନକାଷ୍ଟ (ଉନ୍ମୁକ୍ତ) କୋଇଲା ଖଣିରେ ଜଳ ଓ ଶିଳ୍ପ ବର୍ଜ୍ୟ ପ୍ରଦୂଷଣ ଏବଂ ଏହାର ପ୍ରଭାବରେ ବିଶ୍ୱପ୍ରସିଦ୍ଧ ହୀରାକୁଦ ଜଳ ଭଣ୍ଡାର ପ୍ରତି ସୃଷ୍ଟି ହୋଇଥିବା ବିପଦକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ ପାଇଛି I ଏହା ସହିତ କ୍ଷତିପୂରଣ, କୋଇଲା ଦୁର୍ନୀତି, ଡମ୍ପିଂ ୟାର୍ଡରେ ନିଆଁ ଏବଂ ସ୍ଥାନୀୟ ନିଯୁକ୍ତି ଭଳି ଗୁରୁତର ଅଭିଯୋଗ ଉପରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ସମ୍ବଲପୁର ଉର୍ନୟନ କର୍ତୃପକ୍ଷର ପୂର୍ବତନ ଅଧକ୍ଷ ଶ୍ରୀ ଜୟବ୍ରତ ଦେ ଏହି ସମସ୍ୟା ଗୁଡ଼ିକୁ ଆସନ୍ତାକାଲି ୮ ତାରିଖ ମଙ୍ଗଳବାର ଅନୁଷ୍ଠିତ ହେବାକୁ ଥିବା ଆରପିଡିଏସି ବୈଠକରେ ଏକ ଆପାତକାଳୀନ ଏଜେଣ୍ଡା ଭାବେ ସାମିଲ କରିବା ସହ ଘଟଣାର ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ କରି କଠୋର ପଦକ୍ଷେପ ଗ୍ରହଣ କରିବାକୁ ଦୃଢ଼ ଦାବି କରିଛନ୍ତି I ଅଭିଯୋଗ ଅନୁଯାୟୀ, ଶିଳ୍ପାନୁଷ୍ଠାନରୁ ନିର୍ଗତ ବିଷାକ୍ତ ଜଳ ଓ ବର୍ଜ୍ୟବସ୍ତୁ ସ୍ଥାନୀୟ ପରିବେଶକୁ ଦୂଷିତ କରିବା ସହ ହୀରାକୁଦ ଜଳ ଭଣ୍ଡାର ଉପରେ ଏହାର ଘାତକ ପ୍ରଭାବ ପକାଉଛି I ଏହା ଦ୍ଵାରା ସ୍ଥାନୀୟ ଜଳସମ୍ପଦ ଏବଂ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି। ଏହା ବ୍ୟତୀତ ପ୍ରଭାବିତ ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ନକରାଯିବା ଏବଂ ଓଡ଼ିଶା ସରକାରଙ୍କ ନିୟମ ଅନୁଯାୟୀ ସ୍ଥାନୀୟ ଯୁବକଯୁବତୀଙ୍କୁ ନିଯୁକ୍ତି ନମିଳିବା ନେଇ ଦୀର୍ଘ ଦିନ ହେବ ଅସନ୍ତୋଷ ପ୍ରକାଶ ପାଇଆସୁଛି I ଶ୍ରୀ ଦେ ଚେତାବନୀ ଦେଇଛନ୍ତି ଯେ, ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଯଦି ପ୍ରଶାସନ ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ ନକରେ ଏବଂ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ ନକରେ, ତେବେ ଆଗାମୀ ଦିନରେ ଏହା ଏକ ବଡ଼ ଜନଆନ୍ଦୋଳନର ରୂପ ନେଇପାରେ। ସ୍ଥାନୀୟ ଲୋକଙ୍କ ସ୍ୱାର୍ଥ ରକ୍ଷା ଓ ପରିବେଶ ସୁରକ୍ଷା ପାଇଁ ଆରପିଡିଏସି ବୈଠକରେ ଏହାକୁ ପ୍ରାଥମିକତା ଦେବାକୁ ସେ ଉତ୍ତରାଞ୍ଚଳ ରାଜସ୍ବ କମିଶନଙ୍କୁ ଏକାଧିକ ଅଭିଯୋଗ ପତ୍ର ପ୍ରେରଣ ପୂର୍ବକ ଅନୁରୋଧ କରିଛନ୍ତି I

