ରାଉରକେଲା ୧୧/୯,(ଉତ୍କଳ ସମାଚାର) କେନ୍ଦ୍ର ସରକାରଙ୍କ ଦ୍ବାରା ଏମ୍ଏମଡିଆର୍ ବିଲ୍ ସଂଶୋଧନକୁ ନେଇ ସମଗ୍ର ରାଜ୍ୟରେ ବିଭିନ୍ନ ଦଳ ପକ୍ଷରୁ ବିରୋଧ ତେଜିବାରେ ଲାଗିଛି। ସୁନ୍ଦରଗଡ ଜିଲ୍ଲାର କୋଇଡ଼ାରେ ଅଗଷ୍ଟ ୨୮ ତାରିଖରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ବିରାଟ ସାଧାରଣ ସଭା କରାଯିବା ସହିତ ଏମ୍ଏମଡିଆର୍ ବିଲକୁ ଏକ କଳା କାନୁନ୍ ବୋଲି ଆଖ୍ୟା ଦିଆଯାଇଛି। ସୁନ୍ଦରଗଡ ଜିଲ୍ଲାର ଇଣ୍ଡିଆ ମେଣ୍ଟର ସିପିଆଇ, ସିପିଆଇ (ଏମ୍), ଜେଏମ୍ଏମ୍ ଏବଂ କଂଗ୍ରେସ ପକ୍ଷରୁ ଏହି ଆନ୍ଦୋଳନ ଡାକରା ଦିଆଯାଇଛି। ଣ୍ଡିଆ ମେଣ୍ଟ ଏହି ଏମ୍ଏମଡିଆର୍ ବିଲ୍ ବିରୋଧରେ କୁହାଯାଇଛି ଯେ, ନିଜ ରାଜ୍ୟର ଖଣିଖାଦାନ ଉପରେ ରାଜ୍ୟ ସରକାର ଆଉ ଟିକସ୍, ଶୁକ୍ଳ ଏବଂ ସେସ୍ ଆଦାୟ କରିପାରିବେ ନାହିଁ। ଫଳରେ ଓଡ଼ିଶା ବର୍ଷକୁ ଅତି କମ୍ରେ ପ୍ରାୟ ୧୧୨,୦୦୦ କୋଟି ରାଜସ୍ବ ହରାଇବ। ଖଣିମାଲିକମାନଙ୍କ ଉପରେ ପୂର୍ବରୁ ବଜେୟା ଥିବା ପ୍ରାୟ ୧.୧୦ ଲକ୍ଷ କୋଟି ଟଙ୍କା ରାଜସ୍ବ ରାଜ୍ୟ ଆଉ ଆଦାୟ କରିପାରିବ ନାହିଁ। ଏହା ଦ୍ବାରା ଓଡ଼ିଶାର ଆର୍ଥିକ ସ୍ନାୟତ୍ତତା କ୍ଷୁର୍ଣ୍ଣ ହେବ। ଓଡ଼ିଶା ସମେତ ଖଣିଜ ସମୃଦ୍ଧ ରାଜ୍ୟଗୁଡ଼ିକ ବ୍ୟାପକ ରାଜସ୍ବ କ୍ଷତି ସହିବେ। ରାଜ୍ୟର ବିକାଶ କାର୍ଯ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହେବ। ସ୍ବାସ୍ଥ୍ୟ, ଶିକ୍ଷା ଓ ଭିତ୍ତିଭୂମି କ୍ଷେତ୍ରରେ ରାଜ୍ୟର ସମ୍ବଳ ବ୍ୟବହାର କ୍ଷମତା କମିବ। ବେରୋଜଗାରୀ ଓ ଦାରିଦ୍ର୍ୟ ସମସ୍ୟା ମୁକାବିଲାରେ ଖଣିଜ ରାଜସ୍ବର ଭୂମିକା ହ୍ରାସ ପାଇବ। ଓଡ଼ିଶାର ଜମି, କିନ୍ତୁ ଓ ଓଡ଼ିଆ ପାଇବେନି ଲାଭ ! ଓଡ଼ିଶାରେ ଖଣିଜ ଉତ୍ତୋଳନ ପ୍ରଭାବରୁ ପ୍ରଦୂଷଣ ବଢ଼ିବ, ଲୋକମାନେ ବିସ୍ଥାପିତ ହେବେ ଓ ଅନ୍ୟାନ୍ୟ ସମସ୍ୟା ବଢ଼ିବ। ଅନ୍ୟପଟେ ଖଣିମାଲିକ ଓ କେନ୍ଦ୍ର ସରକାର ଲାଭବାନ ହେବେ। ଓଡ଼ିଶାର ସମ୍ପଦରୁ ଉତ୍ପନ୍ନ ଅର୍ଥ ଅନ୍ୟ ରାଜ୍ୟଙ୍କୁ ମିଳିବ, କିନ୍ତୁ ଓଡ଼ିଶାର ରାଜକୋଷ ସମୃଦ୍ଧି ହେବ ନାହିଁ । ଇଣ୍ଡିଆ ମେଣ୍ଟ ପକ୍ଷରୁ ଏହି ବିଲକୁ ନେଇ ସଂଘୀୟ ବ୍ୟବସ୍ଥା ଉପରେ ପ୍ରଶ୍ନ କରାଯାଇଛି। ରାଜ୍ୟଗୁଡ଼ିକର କ୍ଷମତାକୁ କେନ୍ଦ୍ରୀଭୂତ କରିବା ଉଦ୍ଦେଶ୍ୟରେ ଏହି ଆଇନ ଅଣାଯାଇଛି ବୋଲି ପ୍ରଶ୍ନ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ରୀଙ୍କ cooperative federalism ଆଭିମୁଖ୍ୟ ସହ ଏହି ଆଇନର ସାମଞ୍ଜସ୍ଯ ନାହିଁ। ସୁପ୍ରିମକୋର୍ଟଙ୍କ ୨୦୨୪ ରାୟକୁ ନେଇ ଅସୁମାରୀ ପ୍ରଶ୍ନ ଉଠୁଛି। ସୁପ୍ରିମକୋର୍ଟ ରାଜ୍ୟଗୁଡ଼ିକୁ ଖଣିଖାଦାନ ଉପରେ ରାଜସ୍ବ, ଟିକସ୍ ଓ ସେସ୍ ସଂଗ୍ରହର ଅଧିକାର ଦେଇଥିଲେ ।ନାଦେୟ ରାଜସ୍ବକୁ ୧୨ଟି କିସ୍ତିରେ ଆଦାୟ କରିବାକୁ ମଧ୍ୟ ଅନୁମତି ମିଳିଥିଲା। ରାଜ୍ୟଗୁଡ଼ିକୁ ଆର୍ଥିକ ସ୍ମାବଲମ୍ବନର ଅଧିକାର ଦେଇଥିବା ଏହି ରାୟକୁ ସଂସଦରେ ଅକାମୀ କରିବାର ଆବଶ୍ୟକତା ପଡ଼ିଲା କେମିତି ବୋଲି ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ରାୟକୁ ଦୁଇ ବର୍ଷ ବିତିଥିବା ସତ୍ତ୍ୱେ ଝାଡ଼ଖଣ୍ଡ ଯଦି ଅନାଦେୟ ରାଜସ୍ବ ଆଦାୟ କରିପାରିଲା, ତେବେ ଓଡ଼ିଶା କାହିଁକି ପାରିଲା ନାହିଁ। ଏହି ରାଜସ୍ବ ଆଦାୟ ନକରି ଓଡ଼ିଶା ସରକାର ରାଜ୍ୟବାସୀଙ୍କର ନା ଖଣିମାଲିକଙ୍କ ହିତ ସାଧନ କରିଛନ୍ତି ବୋଲି ଇଣ୍ଡିଆ ମେଣ୍ଟ ପକ୍ଷରୁ ପ୍ରଶ୍ନ ଉଠାଯାଇଛି। ଖଣିଜ ସମୃଦ୍ଧ କେନ୍ଦୁଝରର ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ପଛରେ ସମ୍ପଦ ଲୁଟିବାର ଉଦ୍ଦେଶ୍ୟ ରହିଛି କି ପ୍ରଶ୍ନ ଉଠାଇଛନ୍ତି ଇଣ୍ଡିଆ ମେଣ୍ଟ। ନିର୍ବାଚିତ ୨୦ ଜଣ ଲୋକସଭା ସାଂସଦଙ୍କ ସମେତ ବିଜେପିର ୨୫ ଓଡ଼ିଶାରୁ ନିର୍ବାଚିତ ସାଂସଦ ଏ ପ୍ରସଙ୍ଗରେ ନିରବ କାହିଁକି ରହିଛି ବୋଲି ପ୍ରଶ୍ନ କରାଯାଇଛି।ଓଡ଼ିଆ ଅସ୍ମିତାର କଥା କହି କ୍ଷମତାକୁ ଆସିଥିବା ବିଜେପି, ମାଟିଠାରୁ ଦଳକୁ ରଖି ଓଡ଼ିଶାକୁ ପ୍ରତାରିତ କରୁନାହିଁ କି ! ଖଣିଜ ପଦାର୍ଥ ଭରା ଅଧିକାଂଶ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ, ତେଣୁ ଏହି ଆଇନ ଆଦିବାସୀଙ୍କ ଅଧିକାରକୁ ପ୍ରଭାବିତ କରିବା ସହିତ ଏହି ବିଧେୟକକୁ ସମ୍ମତି ନଦେବା ପାଇଁ ରାଷ୍ଟ୍ରପତିଙ୍କୁ ରାଜ୍ୟ ବିଜେପି କାହିଁକି ଅନୁରୋଧ କଲା ନାହିଁ ବୋଲି ମେଣ୍ଟ ପକ୍ଷରୁ ପ୍ରଶ୍ନ କରାଯାଇଛି। କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ଦାବି କରିବା ସତ୍ତ୍ବେ ସରକାର ଏହାକୁ ଅଗ୍ରାହ୍ୟ କରିବାର କାରଣ କଣ ବୋଲି ପ୍ରଶ୍ନ ଉଠାଯାଇଛି। ଇଣ୍ଡିଆ ମେଣ୍ଟ ପକ୍ଷରୁ ଦାବି କରାଯାଇଛି ଯେ କେନ୍ଦ୍ର ସରକାର ତୁରନ୍ତ ଏହି କଳା ଆଇନ ରଦ୍ଦ କରନ୍ତୁ ଏବଂ ରାଜ୍ୟ ସରକାର ତୁରନ୍ତ ସର୍ବଦଳୀୟ ବୈଠକ ଡାକନ୍ତୁ। ଓଡ଼ିଶା ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ତୁରନ୍ତ ଡାକନ୍ତୁ ବୋଲି ଇଣ୍ଡିଆ ମେଣ୍ଟ ପକ୍ଷରୁ ଦାବି କରାଯାଇଛି। କେନ୍ଦ୍ର ସରକାର ତୁରନ୍ତ ସଂପୃକ୍ତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରନ୍ତୁ, ନଚେତ୍ ଇଣ୍ଡିଆ ବ୍ଳକର ୧୨ ବିଧାୟକ ଓଡ଼ିଶା ବିଧାନସଭା ଅଚଳ କରିବେ ବୋଲି ମେଣ୍ଟ ପକ୍ଷରୁ ଆହ୍ଵାନ ଦିଆଯାଇଛି। ଇଣ୍ଡିଆ ବ୍ଲକ ପକ୍ଷରୁ ଅର୍ଥନୈତିକ ଅବରୋଧ ତଥା ଓଡ଼ିଶା ବନ୍ଦ ଭଳି ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦିଆଯାଇଛି। ଇଣ୍ଡିଆ ବ୍ଲକ ପକ୍ଷରୁ ଆହୁତ ଏହି ବୈଠକରେ ସିପିଆଇ (ଏମ୍)ର ବିମାନ ମାଇତି, କଂଗ୍ରେସ ଜିଲ୍ଲା ସଭାପତି ସବୀର ହୁସେନ, ସିପିଆଇ ସୁନ୍ଦରଗଡ ଜିଲ୍ଲା ସମ୍ପାଦକ ପ୍ରଦୋଷ କୁମାର ମହାନ୍ତି, ସିପିଆଇ(ଏମ୍)ର ପ୍ରମୋଦ ସାମଲ, ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଅନୀମା ମିଞ୍ଜ, ପିସିସିର ସମ୍ପାଦକ ଆଲଫେଣ୍ଟ କିଣ୍ଡୋ, ପିସିସିର ସମ୍ପାଦକ ଇକବାଲ୍ ଅହମ୍ମଦ ମାଲିକ୍, ଡିସିସି ଉପସଭାପତି ଡେବକାନ୍ତ ନାୟକ, ସୁନ୍ଦରଗଡ ଡିସିସି ଉପସଭାପତି ଅଜିତ୍ ପ୍ରସାଦ ଓ ପର୍ଶୁରାମ ସରାଫ, ସୁନ୍ଦରଗଡ ସିପିଆଇ (ଏମ୍)ର ଶ୍ରୀମନ୍ତ ବେହେରା, ସୁରେନ୍ଦ୍ର ଦାସ, ରାଉରକେଲା ସିପିଆଇ(ଏମ୍) ସମ୍ପାଦକ ରାଜକିଶୋର ପ୍ରଧାନ, ପ୍ରଦେଶ କଂଗ୍ରେସ ସାଧାରଣ ସମ୍ପାଦକ ରାଜେନ୍ଦ୍ର ପଟେଲ, ସୁରେନ୍ଦ୍ର ମାନ୍, ସିପିଆଇର ଗଜେନ୍ଦ୍ର ସାହୁ, କଂଗ୍ରେସର ପ୍ରଦ୍ଯୁମ୍ନ କିଶାନ, କଂଗ୍ରେସର ଖଦାଲ ସେଠିଙ୍କ ସମେତ ସିପିଆଇ(ଏମ୍)ର ଜାହାଙ୍ଗୀର ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ।

