ସେବା ସଂକଳ୍ପ ଅଭିଯାନ–୨୦୨୬ର ପ୍ରସ୍ତୁତି କଲେ ସମୀକ୍ଷା
ନବରଙ୍ଗପୁର,11//9,(ଉତ୍କଳ ସମାଚାର),ମାନ୍ୟବର ଜିଲ୍ଲା ପ୍ରଭାରୀ ତଥା ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣି ବିଭାଗର ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା ଆଜି ନବରଙ୍ଗପୁର ଗସ୍ତ କରି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀର୍ଘ ୨୫ ବର୍ଷର ସେବା, ନିଷ୍ଠା, ସମର୍ପଣ ଓ ରାଷ୍ଟ୍ର ନିର୍ମାଣ ପ୍ରତି ଅବଦାନକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଆଗାମୀ ୧୭ ସେପ୍ଟେମ୍ବରରୁ ୧୭ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ଆୟୋଜିତ ହେବାକୁ ଥିବା ସେବା ସଂକଳ୍ପ ଅଭିଯାନ–୨୦୨୬ ପାଳନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଉଥିବା ବିଭିନ୍ନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।ଉକ୍ତ ସମୀକ୍ଷା ବୈଠକରେ ମାନ୍ୟବର ପ୍ରଭାରୀ ମନ୍ତ୍ରୀ ବିଭିନ୍ନ ଅଭିଯାନ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମର ପ୍ରସ୍ତୁତି ସମ୍ପର୍କରେ ଅବଗତ ହୋଇ ସମସ୍ତ ସମ୍ପୃକ୍ତ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରଖି ଅଭିଯାନକୁ ସଫଳ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ଜିଲ୍ଲାର ପ୍ରତ୍ୟେକ ବ୍ୟକ୍ତି ତଥା ସମାଜର ସମସ୍ତ ବର୍ଗର ନାଗରିକଙ୍କ ସକ୍ରିୟ ଅଂଶଗ୍ରହଣ ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।ସୂଚନାଯୋଗ୍ୟଯେ, ଏହି ଅଭିଯାନର ଆଗାମୀ ୧୭ ସେପ୍ଟେମ୍ବର ସନ୍ଧ୍ୟାରେ ଜିଲ୍ଲାର ସମସ୍ତ ପରିବାର ସ୍ତରରେ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସନ୍ଧ୍ୟା ୭ଟାରେ ପ୍ରତ୍ୟେକ ପରିବାର ଗୋଟିଏ ଲେଖାଏଁ ମାଟି ଦୀପ ପ୍ରଜ୍ଜ୍ୱଳନ କରିବେ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ପାରମ୍ପରିକ କୁମ୍ଭାର ଓ ସ୍ଥାନୀୟ କାରିଗରଙ୍କ ସହଯୋଗରେ ପ୍ରାୟ ୧ କୋଟି ମାଟି ଦୀପ ପ୍ରସ୍ତୁତ ଓ ବଣ୍ଟନ କରାଯିବ।ସେହିଭଳି ୧୮ରୁ ୨୪ ସେପ୍ଟେମ୍ବର ମଧ୍ୟରେ ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନଗୁଡ଼ିକରେ ‘ବିକଶିତ ଭାରତ’ ଓ ‘୨୫ ବର୍ଷର ସେବା’ ବିଷୟକୁ ନେଇ ଚିତ୍ରାଙ୍କନ ଓ ଭାଷଣ ପ୍ରତିଯୋଗିତା ଆୟୋଜିତ ହେବ। ୨୦ରୁ ୩୦ ସେପ୍ଟେମ୍ବର ମଧ୍ୟରେ ଗତ ୨୫ ବର୍ଷର ସେବା କାର୍ଯ୍ୟ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାର ସଫଳତାକୁ ନେଇ ସ୍କୁଲ, କଲେଜ, ପଞ୍ଚାୟତ, ସମୁଦାୟ କେନ୍ଦ୍ର ଓ ସାର୍ବଜନୀନ ସ୍ଥାନରେ ସଙ୍ଗୀତମୟ ନାଟ୍ୟ ପରିବେଷଣ କରାଯିବ। ୨୬ ସେପ୍ଟେମ୍ବରରୁ ୭ ଅକ୍ଟୋବର ମଧ୍ୟରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଆଙ୍ଗନ କା ଉତ୍ସବ ପାଳନ ଅବସରରେ ପୁଷ୍ଟି, ସ୍ୱାସ୍ଥ୍ୟ ଓ ମହିଳା ସମ୍ବନ୍ଧୀୟ ଯୋଜନା ଉପରେ ସଚେତନତା ସୃଷ୍ଟି ସହ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ସହାୟିକା ଓ ହିତାଧିକାରୀ ମାଆମାନଙ୍କୁ ସମ୍ମାନିତ କରାଯିବ। ୧୭ ସେପ୍ଟେମ୍ବରରୁ ୧୭ ଅକ୍ଟୋବର ମଧ୍ୟରେ ସରକାରୀ ଯୋଜନା ମାଧ୍ୟମରେ ନାଗରିକଙ୍କ ଜୀବନରେ ଆସିଥିବା ସକାରାତ୍ମକ ପରିବର୍ତ୍ତନର ବାସ୍ତବ କାହାଣୀ ଓ ଭିଡିଓ ସଂଗ୍ରହ କରାଯାଇ ଡିଜିଟାଲ ଡାଟା ବ୍ୟାଙ୍କ ପ୍ରସ୍ତୁତ କରାଯିବ ଏବଂ ସୋସିଆଲ ମିଡିଆରେପରିବର୍ତ୍ତନର କାହାଣୀ ଭାବେ ପ୍ରଚାର ପ୍ରସାର କରାଯିବ।ଏହି ଅଭିଯାନ ଅବସରରେ ଜିଲ୍ଲାର ଡିଜିଟାଲ କଣ୍ଟେଣ୍ଟ କ୍ରିଏଟର ଓ ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସରମାନଙ୍କୁ ସାମିଲ କରି ପ୍ରମୁଖ ବିକାଶ ପ୍ରକଳ୍ପ ଓ ପରିବର୍ତ୍ତନ ଆସିଥିବା ସ୍ଥାନଗୁଡ଼ିକ ପରିଦର୍ଶନ କରାଯିବ। ଏଥିରେ ଯୁବପିଢ଼ିଙ୍କ ସକ୍ରିୟ ଅଂଶଗ୍ରହଣ ରହିବ। ୭ ଅକ୍ଟୋବର ଦିନ
ଜିଲ୍ଲା ଓ ଗ୍ରାମସ୍ତରରେ ପଦଯାତ୍ରା କିମ୍ବା ବାଇକ୍ ଯାତ୍ରା ମାଧ୍ୟମରେ ‘ସେବା ଜ୍ୟୋତି’ ଯାତ୍ରା ଆୟୋଜିତ ହେବ। ଏହାପରେ ଚୟନିତ ସହରଗୁଡ଼ିକରେ ପ୍ରାକୃତିକ ସାମଗ୍ରୀ ବ୍ୟବହାର କରି ବୃହତ୍ ଆକାରର ‘ଭାରତ ମଣ୍ଡଳ’ ରଙ୍ଗୋଲି ପ୍ରସ୍ତୁତ କରାଯିବ।ସେହିଭଳି ରାଷ୍ଟ୍ରୀୟ ନବସୃଜନର ଆହ୍ୱାନ ଉଦେଶରେ ସ୍ଥାନୀୟ ଶ୍ରେଷ୍ଠ ଇନୋଭେଟର ଓ ଷ୍ଟାର୍ଟଅପ୍ଗୁଡ଼ିକୁ ନେଇ ପ୍ରଦର୍ଶନୀ, ଲାଇଭ୍ ଡେମୋ ଓ ଯୁବ ସଂବାଦ ଆୟୋଜନ କରାଯିବ। ବ୍ଲକସ୍ତରରେ ‘ସେବା ସେତୁ’ କ୍ୟାମ୍ପ ଆୟୋଜନ କରାଯାଇ ନାଗରିକମାନଙ୍କୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରୀୟ ଜନକଲ୍ୟାଣକାରୀ ଯୋଜନାର ସୂଚନା ଓ ଲାଭ ଗୋଟିଏ ସ୍ଥାନରେ ଯୋଗାଇ ଦିଆଯିବ। ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନା ସହ ଯୋଡ଼ିବା ଓ ଆବେଦନ କରିବାରେ ମଧ୍ୟ ସହାୟତା କରାଯିବ।ଏହାସହ ରକ୍ତଦାନ ଶିବିର, ବୃକ୍ଷରୋପଣ, ସ୍ୱାସ୍ଥ୍ୟ ପରୀକ୍ଷା, ପ୍ଲାଷ୍ଟିକ୍ମୁକ୍ତ ସଚେତନତା ଭଳି ୨୫ଟି ପ୍ରମୁଖ ସେବାମୂଳକ କାର୍ଯ୍ୟକଳାପ ମଧ୍ୟରୁ ଅନ୍ୟୁନ ଗୋଟିଏ କାର୍ଯ୍ୟରେ ନାଗରିକମାନଙ୍କୁ ସାମିଲ ହେବାକୁ ପ୍ରୋତ୍ସାହିତ କରାଯିବ।ଏହି ଅବସରରେ ମାନ୍ୟବର ପ୍ରଭାରୀ ମନ୍ତ୍ରୀଙ୍କ ସମେତ ମାନ୍ୟବର ନବରଙ୍ଗପୁର ସାଂସଦ ଶ୍ରୀ ବଳଭଦ୍ର ମାଝୀ, ମାନ୍ୟବର ନବରଙ୍ଗପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ଗୌରୀ ଶଙ୍କର ମାଝୀ, ଜିଲ୍ଲପାଳ ଡ଼ ମହେଶ୍ୱର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ପୃଷ୍ଟି, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ବି ଏନ ଦରୱାନ ପ୍ରମୁଖ ଉପସ୍ଥିତ ରହି ସମସ୍ତ ବିଭାଗ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ଅଭିଯାନରେ ସର୍ବାଧିକ ଜନସହଭାଗିତା, ଉତ୍ତମ ସମନ୍ୱୟ ଓ ବ୍ୟାପକ ପ୍ରଚାର-ପ୍ରସାର ସୁନିଶ୍ଚିତ କରିବା ସହ ନବରଙ୍ଗପୁର ଜିଲ୍ଲାରେ ଏହାକୁ ଏକ ସଫଳ ଓ ଜନକୈନ୍ଦ୍ରିକ ସେବା ଅଭିଯାନରେ ପରିଣତ କରିବାକୁ ଆହ୍ୱାନ କରିଥିଲେ।

