ସମ୍ବଲପୁର,୧୧/୦୯(ଉତ୍କଳ ସମାଚାର),(ସରୋଜ ସାହୁ): ସମ୍ବଲପୁରବାସୀଙ୍କ ଦୀର୍ଘଦିନର ନ୍ୟାୟସଙ୍ଗତ ଦାବି ଓ ମୌଳିକ ସମସ୍ୟାଗୁଡ଼ିକୁ ମହାମହିମ ରାଷ୍ଟ୍ରପତିଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟରେ ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ଇଂ ରୋହିତ ପୂଜାରୀଙ୍କ ନେତୃତ୍ୱରେ ପୋଷ୍ଟକାର୍ଡ ଓ ଜନସଚେତନତା ଅଭିଯାନ ଆରମ୍ଭ ହୋଇଛି। ଶୁକ୍ରବାର ସକାଳେ ମା’ ସମଲେଶ୍ୱରୀ ଏବଂ ଝାଡୁଆପଡ଼ାସ୍ଥିତ ଶ୍ରୀ ବ୍ରହ୍ମପୁରା ଭଗବାନଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପରେ ଇଂ ପୂଜାରୀ ୱାର୍ଡ ନମ୍ବର ୨୪ ର ନିଜସ୍ଵ ଝାଡୁଆପଡାରେ ଘରକୁ ଘର ବୁଲି ଲୋକଙ୍କୁ ଏହି ଅଭିଯାନ ସମ୍ପର୍କରେ ସଚେତନ କରିବା ସହ ପୋଷ୍ଟକାର୍ଡରେ ଦସ୍ତଖତ ସଂଗ୍ରହ କରିଥିଲେ। ଏହି ଅଭିଯାନରେ ସମ୍ବଲପୁରରେ ଏମ୍ସ , ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ, ସମ୍ବଲପୁରୀ ଭାଷାକୁ ସରକାରୀ ମାନ୍ୟତା ସହିତ ଆବର୍ଜନାମୁକ୍ତ ସମ୍ବଲପୁର, ସ୍ୱଚ୍ଛ ପାନୀୟ ଜଳ, ଭଲ ରାସ୍ତା, ଡ୍ରେନେଜ୍ ବ୍ୟବସ୍ଥା ଓ ୨୪×୭ ବିଦ୍ୟୁତ୍ ଯୋଗାଣ ଭଳି ମୌଳିକ ଦାବିଗୁଡ଼ିକୁ ସାମିଲ କରାଯାଇଛି। ଇଂ ପୂଜାରୀ କହିଛନ୍ତି ଯେ, “ଏହା କୌଣସି ଦଳୀୟ ଅଭିଯାନ ନୁହେଁ, ଏହା ସମ୍ବଲପୁରବାସୀଙ୍କ ଅଧିକାର ଓ ଭବିଷ୍ୟତ ପାଇଁ ଏକ ଜନଆନ୍ଦୋଳନ। ସମ୍ବଲପୁରର ପ୍ରତ୍ୟେକ ପରିବାରର ସ୍ୱର ମହାମହିମ ରାଷ୍ଟ୍ରପତିଙ୍କ ନିକଟରେ ପହଞ୍ଚାଇବା ଆମର ଲକ୍ଷ୍ୟ।ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁର ମହାନଗର ଅଞ୍ଚଳରେ ଏହି ଅଭିଯାନ ଚାଲିବ। ପରବର୍ତ୍ତୀ ପର୍ଯ୍ୟାୟରେ ସମ୍ବଲପୁର ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳକୁ ଯାଇ ଲୋକଙ୍କୁ ସଚେତନ କରାଯିବ ଏବଂ ଦସ୍ତଖତ ସଂଗ୍ରହ କରାଯିବ। ସଂଗୃହୀତ ପୋଷ୍ଟକାର୍ଡଗୁଡ଼ିକୁ ମହାମହିମ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ।ଏହି କାର୍ଯ୍ୟକ୍ରମରେ ଇଂ ପୂଜାରୀଙ୍କ ସହିତ ଦଳର ବରିଷ୍ଠ ନେତା ତଥା ୱାର୍ଡ ନମ୍ୱର୍ ୨୪ ର ବାସିନ୍ଦା ବସନ୍ତ ମିଶ୍ର, ବେଣୁଧର ଦାସ, ଉମାପତି ତ୍ରିପାଠୀ, ସୁବାସ ମିଶ୍ର, ରାଜେଶ ମିଶ୍ର, ସଚିନ ବହିଦାର୍, ସୁବ୍ରତ ବକ୍ସି, ରବି ସେନାପତି, ନବକେଶ ସାହୁ, କଶ୍ୟପ ସୂପକାର, ଜିତୁ ପଟ୍ଟନାୟକ, ଦେବାଶିଷ ପରିଡ଼ା, ଜଗଦିପ ବୋହିଦାର୍, ଟିଙ୍କୁ ମିଶ୍ର, ରମାକାନ୍ତ ରାଉତ ଏବଂ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଯୁବ ସଂପାଦକ ଧର୍ମରାଜ୍ ମରେଇ, ଜିଲ୍ଲା ଯୁବ ସଭାପତି ପ୍ରଦୋଷ ମହାନ୍ତି, ମହିଳା ସଭାନେତ୍ରୀ ସଂଯୁକ୍ତା ମେହେର, ଛାତ୍ର ରାଜ୍ୟ ସାଧାରଣ ସଂପାଦକ ଅନମୋଲ ଦାସ, ଅନିତା ଓରାମ, ବରିଷ୍ଠ ନେତା ସଞ୍ଜୀବ ଷଡ଼ଙ୍ଗୀ, ଜିଲ୍ଲା ଉପ ସଭାପତି ସତ୍ୟେନ୍ଦ୍ର ଦାସ, ପ୍ରଫୁଲ୍ଲ ଦାସ, ଜିଲ୍ଲା ସଂପାଦକ ପ୍ରହଲ୍ଲାଦ ଗୁରୁ, ଓଁକାର ନାୟକ ଙ୍କ ସମେତ ବହୁ ସଂଖ୍ୟାରେ କର୍ମକର୍ତ୍ତା ଏବଂ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ।

