ରାଉରକେଲା:12//9,(ଉତ୍କଳ ସମାଚାର)ଏନ୍.ଆଇ.ଟି. ରାଉରକେଲାର ୨୪ତମ ଦୀକ୍ଷାନ୍ତ ସମାରୋହରେ ନୀତି ଆୟୋଗର ସଦସ୍ୟ ପ୍ରଫେସର ଅଭୟ କରନ୍ଦୀକର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏନ୍.ଆଇ.ଟି. ୱାରଙ୍ଗଲର ନିର୍ଦ୍ଦେଶକ ପ୍ରଫେସର ବିଦ୍ୟାଧର ସୁବୁଦ୍ଧି ସମ୍ମାନିତ ଅତିଥି ଭାବେ ଏହି ସମାରୋହରେ ସାମିଲ ହୋଇଥିଲେ। ଏନ୍.ଆଇ.ଟି. ରାଉରକେଲାର ବୋର୍ଡ ଅଫ୍ ଗଭର୍ନର୍ସର ଅଧ୍ୟକ୍ଷ ଏସ୍. ଏନ୍. ସୁବ୍ରମଣ୍ୟନ୍ ଉପସ୍ଥିତ ଜନସମୂହଙ୍କୁ ସମ୍ବୋଧିତ କରିଥିବାବେଳେ, ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ୱର ରାଓ ନିର୍ଦ୍ଦେଶକଙ୍କ ରିପୋର୍ଟ ଉପସ୍ଥାପନ କରିଥିଲେ।ଦୀକ୍ଷାନ୍ତ ସମାରୋହକୁ ସମ୍ବୋଧିତ କରି ମୁଖ୍ୟ ଅତିଥି ପ୍ରଫେସର ଅଭୟ କରନ୍ଦୀକର କହିଥିଲେ ଯେ, ଭାରତ ଏକ ବିକଶିତ ରାଷ୍ଟ୍ର ହେବାର ଯାତ୍ରାର ଏକ ନିର୍ଣ୍ଣାୟକ ପର୍ଯ୍ୟାୟ ଦେଇ ଗତି କରୁଛି ଏବଂ ବିଦ୍ୟାର୍ଥୀମାନେ ହେଉଛନ୍ତି ସେହି ପିଢ଼ି, ଯିଏ ଦେଶର ଭବିଷ୍ୟତକୁ ରୂପ ଦେବେ। ସେ ବିଦ୍ୟାର୍ଥୀମାନଙ୍କୁ କୃତ୍ରିମ ବୁଦ୍ଧିମତ୍ତା (AI) ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟାକୁ ଆପଣାଇବା ସହିତ ବିଜ୍ଞାନ ଓ ଇଞ୍ଜିନିୟରିଂର ମୌଳିକ ଧାରା ଏବଂ ଜିଜ୍ଞାସା, ସୃଜନଶୀଳତା, ସମାଚୋଳନାତ୍ମକ ଚିନ୍ତାଧାରା ଏବଂ ନୈତିକ ନିଷ୍ପତ୍ତି ପରି ମାନବୀୟ ଗୁଣଗୁଡ଼ିକୁ ବଜାୟ ରଖିବା ପାଇଁ ଆହ୍ୱାନ କରିଥିଲେ। ସେ କହିଥିଲେ ଯେ ଜ୍ଞାନର ଉପଯୋଗ ନିଜଠାରୁ ବଡ଼ ଉଦ୍ଦେଶ୍ୟ ପାଇଁ କରାଯିବା ଉଚିତ୍। ବିଦ୍ୟାର୍ଥୀମାନେ କ୍ରମାଗତ ଭାବେ ଶିଖିଚାଲିବା, ଦାୟିତ୍ୱବୋଧ ସହିତ ନବସୃଜନ କରିବା ଏବଂ ନିଜର ଜ୍ଞାନକୁ ପ୍ରକୃତ ମାନବୀୟ ସମସ୍ୟାର ସମାଧାନ ଏବଂ ସାର୍ଥକ ସାମାଜିକ ପ୍ରଭାବ ସୃଷ୍ଟି କରିବାରେ ଲଗାଇବା ଆବଶ୍ୟକ। ସେ କହିଥିଲେ ଯେ ଏକ ସଫଳ କ୍ୟାରିୟର ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଏକ ସାର୍ଥକ ଜୀବନ ତାହାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ବିଦ୍ୟାର୍ଥୀମାନେ ଉଦ୍ଦେଶ୍ୟପୂର୍ଣ୍ଣ ଭାବେ ଆଗକୁ ବଢ଼ିବା, ନମ୍ରତା ସହିତ ସେବା କରିବା ଏବଂ ନିଜର ସଫଳତା ମାଧ୍ୟମରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ପରାମର୍ଶ ଦେଇଥିଲେ।ସମ୍ମାନିତ ଅତିଥି ପ୍ରଫେସର ବିଦ୍ୟାଧର ସୁବୁଦ୍ଧି ବିଦ୍ୟାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ ଯେ, ସେମାନେ ସୁବିଧା ଅପେକ୍ଷା ଉତ୍କର୍ଷତା, ସ୍ୱଳ୍ପକାଳୀନ ସଫଳତା ଅପେକ୍ଷା ସଚ୍ଚୋଟତା, ଆତ୍ମସନ୍ତୋଷ ଅପେକ୍ଷା ଆଜୀବନ ଶିକ୍ଷା, ଅଲଗା ରହିବା ଅପେକ୍ଷା ସହଯୋଗ ଏବଂ ପ୍ରତିଷ୍ଠା ଅପେକ୍ଷା ଉଦ୍ଦେଶ୍ୟକୁ ବାଛିବା ଉଚିତ୍। ସେ କହିଥିଲେ ଯେ ପଦକ ବା ଡିଗ୍ରୀ ହେଉଛି ପୂର୍ବର ସଫଳତାଗୁଡ଼ିକର ସ୍ୱୀକୃତି, କିନ୍ତୁ ଆଗାମୀ ସମୟରେ ଚରିତ୍ର ହିଁ ସଫଳତାର ପ୍ରକୃତ ମାନଦଣ୍ଡ ହେବ। ସଫଳତାଗୁଡ଼ିକୁ ଅନ୍ୟମାନଙ୍କଠାରୁ ଉପରେ ଛିଡ଼ା ହେବାର ଏକ ମଞ୍ଚ ଭାବେ ବ୍ୟବହାର ନକରି, ବରଂ ଅନ୍ୟମାନଙ୍କୁ ଆଗକୁ ବଢ଼ାଇବାରେ ସାହାଯ୍ୟ କରିବାର ଏକ ମାଧ୍ୟମ ଭାବେ ବ୍ୟବହାର କରିବା ଉଚିତ୍। ସେ କହିଥିଲେ ଯେ ଜଣେ ବ୍ୟକ୍ତିଙ୍କ କାର୍ଯ୍ୟର ସ୍ଥାୟୀ ପରମ୍ପରା ତାଙ୍କ ପଦବୀ କିମ୍ବା ପ୍ରତିଷ୍ଠା ଦ୍ୱାରା ନୁହେଁ, ବରଂ ତାଙ୍କର ପ୍ରଭାବ ଏବଂ ସେ ସ୍ପର୍ଶ କରିଥିବା ଜୀବନଗୁଡ଼ିକ ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ।


