ରାଉରକେଲା ୧୨ /୯,(ଉତ୍କଳ ସମାଚାର)ନିଜର ପେଟ ଭରିବା ପାଇଁ ସମାଜର ସ୍ବାର୍ଥକୁ ଜଳାଞ୍ଜଳି ଦେବାକୁ ପଛାନ୍ତି ନାହଁ ସରକାରୀ କଳରେ ଚାକିରୀ କରୁଥିବା ବଡ ବଡ ଅଧିକାରୀ।ରାଉରକେଲାର ଅବକାରୀ ଅଧୀକ୍ଷକ (ସୁପରିଣ୍ଟେଣ୍ଡେଣ୍ଟ) ଧନେଶ୍ୱର ବରାଡ, ଅବକାରୀ ଲାଇସେନ୍ସଧାରୀଙ୍କ ଠାରୁ ବିପୁଳ ଟଙ୍କା ଲାଞ୍ଚ ସଂଗ୍ରହ କରିଥିବା ବିଶ୍ୱସ୍ତ ସୂଚନା ଆଧାରରେ, ଓଡ଼ିଶା ଭିଜିଲାନ୍ସର ଏକ ଦଳ ତାଙ୍କ ଉପରେ ନଜର ରଖିଥିଲା। ଗତକାଲି ଆଜ ଅର୍ଥାତ୍ ୨୦୨୬ ସେପ୍ଟେମ୍ବର ୧୧ ତାରିଖ ଦିନ ସେ ଏକ ସ୍କର୍ପିଓ (ରେଜିଷ୍ଟ୍ରେସନ୍ ନମ୍ବର ଓଡି – ୧୪ଏଡି-୧୩୧୪) ଦ୍ଵାରା ସ୍ଥାନୀୟ ମଦ ଦୋକାନର ଜଣେ ବିକ୍ରୟକର୍ତ୍ତାଙ୍କ ମାଧ୍ୟମରେ ନଗଦ ୫ ଲକ୍ଷ ଟଙ୍କା ପଠାଉଥିଲେ। ଭିଜିଲାନ୍ସ ଦଳ ସାକ୍ଷୀମାନଙ୍କ ଉପସ୍ଥିତିରେ ରାଉରକେଲା ଉଦିତନଗର ସ୍ଥିତ ଅବକାରୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗାଡ଼ିଟିକୁ ଅଟକାଇ ୫ ଲକ୍ଷ ଟଙ୍କା ଉଦ୍ଧାର କରିଥିଲେ। ଯାହାକୁ ମଦ ବିକ୍ରୟକର୍ତ୍ତା ସ୍ୱୀକାର କରିଥିଲେ ଯେ, ଅବକାରୀ ଅଧୀକ୍ଷକ ଶ୍ରୀ ବରାଡ ତାଙ୍କ ବାସଭବନକୁ ଏହି ୫ଲକ୍ଷ ଟଙ୍କା ଡେଲିଭରି ପାଇଁ ଦେଇଥିଲେ। ବିକ୍ରୟକର୍ତ୍ତାଙ୍କ ସହ ମୁହାଁମୁହିଁ ହେବା ପରେ, ଅବକାରୀ ଅଧୀକ୍ଷକ ଶ୍ରୀ ବରାଡ ମଧ୍ୟ ଏହା ସ୍ୱୀକାର କରିଥିଲେ ଏବଂ ପ୍ରତ୍ୟୁତ୍ତରରେ ୫,୦୦,୦୦୦/- (ପାଞ୍ଚ ଲକ୍ଷ ଟଙ୍କା) ଟଙ୍କା ଉଦ୍ଧାର ପାଇଁ କୌଣସି ସନ୍ତୋଷଜନକ ବ୍ୟାଖ୍ୟା ଦେଇପାରି ନଥିଲେ। ତେଣୁ, ଓଡିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଏହାକୁ ଜବତ କରାଯାଇଥିଲା। ଏ ସମ୍ପର୍କରେ, ଦୁର୍ନୀତି ନିବାରଣ ଆଇନ, ୨୦୧୮ର ଧାରା ୧୩(୧) (ଖ) ସହ ପଠିତ ଧାରା ୧୩(୨) ଅନ୍ତର୍ଗତ ରାଉରକେଲା ଭିଜିଲାନ୍ସ ପିଏସ୍ କେସ୍ ନମ୍ବର ୧୨ /ତାରିଖ ୧୧.୦୯.୨୦୨୬ରେ ପଞ୍ଜିକୃତ ହୋଇଛି। ସଦ୍ୟ ସୂଚନା ଅନୁସାରେ, ରାଉରକେଲା ଅବକାରୀ ଅଧିକ୍ଷକ ଧନେଶ୍ୱର ବରାଡ଼ ଭିଜିଲାନ୍ସ ଜାଲରେ ପଡିବା ପରେ, ଗତକାଲି ଠାରୁ ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଥିଲା। ଗତକାଲି ରାତିରେ, ଶ୍ରୀ ବରାଡଙ୍କ ଠାରୁ ୫ ଲକ୍ଷ ଟଙ୍କାର ବେଆଇନ୍ ଟଙ୍କା ଜବତ ହେବା ପରେ, ରାଉରକେଲା ଏବଂ ଭୁବନେଶ୍ୱରରେ ତାଙ୍କ ଆବାସିକ ସ୍ଥାନରେ ଏକକାଳୀନ ଘର ତଲାସି ଆରମ୍ଭ କରାଯାଇଥିଲା। ତଲାସି ସମୟରେ, ଏପର୍ଯ୍ୟନ୍ତ ମିଳିଥିବା ସମ୍ପତ୍ତିଗୁଡ଼ିକ ମଧ୍ୟରେ ଭୁବନେଶ୍ୱରର ରଘୁନାଥପୁରରେ ଶ୍ରୀ ବରାଡଙ୍କର ପ୍ରାୟ ୨୭୦୦ ବର୍ଗଫୁଟ କ୍ଷେତ୍ରଫଳର ଗୋଟିଏ ଦୁଇ ମହଲା କୋଠା ସହିତ ଭୁବନେଶ୍ୱରରେ ଗୋଟିଏ ପ୍ଲଟ୍ ସହିତ ନୟାଗଡ ଉପକଣ୍ଠରେ ୩ଟି ସମୁଦାୟ ୪ଟି ପ୍ଲଟ୍ ଏବଂ ବ୍ୟାଙ୍କ ଜମା ୩୩.୯୭ ଲକ୍ଷ ଟଙ୍କା ସହ ଅନ୍ୟାନ୍ୟ ନିବେଶ ଓ ଜମା ସମ୍ପର୍କିତ ଡକ୍ୟୁମେଣ୍ଟଗୁଡ଼ିକ ଉଦ୍ଧାର କରାଯାଇଛି ଏବଂ ସେଗୁଡିକୁ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ କରାଯାଉଛି। ଯାଞ୍ଚ ସମାପ୍ତ ହେବା ପରେ ବିସ୍ତୃତ ସୂଚନା ପରେ ପ୍ରକାଶିତ ହେବ।

