ସମ୍ବଲପୁର, ୧୨/୦୯ (ଉତ୍କଳ ସମାଚାର), (ସରୋଜ ସାହୁ): ସମ୍ବଲପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକାଦଶ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୁଦିନୀ ନାୟକ, ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ମାଧବ ମିର୍ଦ୍ଧା, ସାଂସଦଙ୍କ ପ୍ରତିନିଧି ନାଉରୀ ନାୟକ, ରେଢ଼ାଖୋଲ ବିଧାୟକଙ୍କ ପ୍ରତିନିଧି ହୀରାଲାଲ ବେହେରା, ରେଙ୍ଗାଲି ବିଧାୟକଙ୍କ ପ୍ରତିନିଧି ଗୋପୀରଞ୍ଜନ ବେହେରା, ଜିଲ୍ଲା ଉନ୍ନୟନ ଅଧିକାରୀ (ସିଡିଓ-କମ୍-ଇଓ) ପ୍ରସନ୍ନ କୁମାର ପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ।ବୈଠକରେ କୃଷି ବିଭାଗର ବିହନ ଯୋଗାଣ, ରାସାୟନିକ ସାର, ପିଏମ୍-କିସାନ, ସିଏମ୍-କିସାନ, ଖରିଫ ଓ ରବି ଚାଷ, ଜଳସେଚନ ବିଭାଗର ବିଭିନ୍ନ ପ୍ରକଳ୍ପ, ଉଦ୍ୟାନ ବିଭାଗର ଅଗ୍ରଗତି ଓ କାର୍ଯ୍ୟକ୍ରମ, ମତ୍ସ୍ୟ ବିଭାଗର ଅଗ୍ରଗତି, ଅତ୍ୟାବଶ୍ୟକ ସାମଗ୍ରୀର ସୁଷମ ବଣ୍ଟନ, ସମବାୟ ବିଭାଗର କୃଷି ଋଣ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ପ୍ରାଣୀ ସମ୍ପଦ, ଗ୍ରାମ୍ୟ ନିର୍ମାଣ ବିଭାଗର କାର୍ଯ୍ୟକଳାପ, ଆବାସ ଯୋଜନା ସମେତ ବିଭିନ୍ନ ସରକାରୀ ଯୋଜନାର ଅଗ୍ରଗତି ଉପରେ ବିଭାଗୱାରୀ ଆଲୋଚନା ହୋଇଥିଲା।ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୁଦିନୀ ନାୟକ ଗତ ପାଞ୍ଚ ବର୍ଷ ଧରି ଜିଲ୍ଲାର ୩୮ଟି ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ କରିବାରେ ଜିଲ୍ଲା ପ୍ରଶାସନ ଓ ଜନପ୍ରତିନିଧିମାନଙ୍କ ମିଳିତ ସହଯୋଗ ପ୍ରଶଂସନୀୟ ରହିଥିବା ପ୍ରକାଶ କରିଥିଲେ। ଏହି ଅବସରରେ ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରତିନିଧି ହୀରାଲାଲ ବେହେରା ରେଢ଼ାଖୋଲ ବ୍ଲଡ୍ ବ୍ୟାଙ୍କକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏସମ୍ପର୍କରେ ଜିଲ୍ଲାପାଳ ଉତ୍ତର ରଖି ଆଗାମୀ ୧୫ ଦିନ ମଧ୍ୟରେ ବ୍ଲଡ୍ ବ୍ୟାଙ୍କ ଖୋଲିବା ପାଇଁ ସମସ୍ତ ଆନୁସଙ୍ଗିକ କାର୍ଯ୍ୟ ଚାଲୁ ରହିଥିବା ସୂଚନା ଦେଇଥିଲେ।

