ରାଜଗାଙ୍ଗପୁର ୧୨/୯,(ଉତ୍କଳ ସମାଚାର) ଲୋକଙ୍କ ସ୍ୱାସ୍ଥ୍ୟସେବା ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇ, ଭାରତର ଅଗ୍ରଣୀ ସିମେଣ୍ଟ କମ୍ପାନୀ ଡାଲମିଆ ଭାରତ ଲିମିଟେଡର ସିଏସଆର୍ ଶାଖା ‘ଡାଲମିଆ ଭାରତ ଫାଉଣ୍ଡେସନ’ (ଡିବିଏଫ) ପକ୍ଷରୁ ନିକ୍ଷୟ ମିତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି) ଠାରେ ୧୩୦ ଜଣ ଯକ୍ଷ୍ମା (ଟିବି) ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ କିଟ୍ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଡାକ୍ତରୀ ଚିକିତ୍ସା ସହିତ ପୁଷ୍ଟିକର ଖାଦ୍ୟ ସହାୟତା ଯୋଗାଇଦେବା। ଯାହାଦ୍ୱାରା ରୋଗୀମାନେ ଚିକିତ୍ସା ଓ ଆରୋଗ୍ୟ ଲାଭ ସମୟରେ ନିଜ ସ୍ୱାସ୍ଥ୍ୟକୁ ଠିକ୍ ରଖିପାରିବେ । ନିୟମିତ ଔଷଧ ସେବନ ସହିତ ଉପଯୁକ୍ତ ପୁଷ୍ଟିକର ଖାଦ୍ୟ ଯକ୍ଷ୍ମା ରୋଗୀଙ୍କୁ ଶୀଘ୍ର ସୁସ୍ଥ ହେବାରେ ସହାୟକ ହୋଇଥାଏ। ଯକ୍ଷ୍ମା ନିରାକରଣ ପାଇଁ ଡିବିଏଫ୍ ନିରନ୍ତର ପ୍ରୟାସରତ । ଏଥିପାଇଁ ଆରମ୍ଭ କରାଯାଇଥିବା ନିକ୍ଷୟ ମିତ୍ର କାର୍ଯ୍ୟକ୍ରମ ଜରିଆରେ ଡିବିଏଫ୍ ଚିକିତ୍ସାଧୀନ ଯକ୍ଷ୍ମା ରୋଗୀମାନଙ୍କୁ ପୁଷ୍ଟିକର ଖାଦ୍ୟ କିଟ୍ ଯୋଗାଇ ଆସୁଛି । ୨୦୨୫-୨୬ ଆର୍ଥିକ ବର୍ଷରେ ରାଜଗାଙ୍ଗପୁର ଏବଂ ଆଖପାଖ ଅଂଚଳର ୧,୦୦୦ରୁ ଅଧିକ ପୁଷ୍ଟିକର ଖାଦ୍ୟ କିଟ୍ ବଣ୍ଟନ କରାଯାଇଛି, ଯାହା ସ୍ଥାନୀୟ ଯକ୍ଷ୍ମା ରୋଗୀମାନଙ୍କୁ ଉପକୃତ କରିଛି । ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଏବଂ ଡାକ୍ତରମାନଙ୍କ ସମେତ ଡାଲମିଆ ସିମେଣ୍ଟ ରାଜଗାଙ୍ଗପୁର କାରଖାନାର ମାନବସମ୍ବଳ ବିଭାଗର ବରିଷ୍ଠ କର୍ମଚାରୀବୃନ୍ଦ ଏବଂ ଡିବିଏଫ୍ ତଥା ସିଏସଆର ଟିମର ସଦସ୍ୟମାନଙ୍କ ଉପସ୍ଥିତିରେ ଏହି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ପଦକ୍ଷେପ ସମ୍ପର୍କରେ ଡେପୁଟି ଏକଜିକ୍ୟୁଟିଭ୍ ଡାଇରେକ୍ଟର ତଥା ରାଜଗାଙ୍ଗପୁର କାରଖାନା ମୁଖ୍ୟ, ଆଶୁତୋଷ କୁମାର ତିୱାରୀ କହିଛନ୍ତି ଯେ, “ଡାଲମିଆ ଭାରତରେ ଆମେ ବିଶ୍ୱାସ କରୁ ଯେ ଗୋଷ୍ଠୀ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ସ୍ଥାୟୀ ବିକାଶ ପାଇଁ ଅତ୍ୟନ୍ତ ଆବଶ୍ୟକ । ନିକ୍ଷୟ ମିତ୍ର କାର୍ଯ୍ୟକ୍ରମ ଅଧୀନରେ ଆମେ ଡାକ୍ତରୀ ଚିକିତ୍ସା ସହିତ ପୁଷ୍ଟିକର ଖାଦ୍ୟ ସହାୟତା ଯୋଗାଇଦେବା ଏବଂ ଯକ୍ଷ୍ମା ରୋଗୀଙ୍କ ଚିକିତ୍ସା ତଥା ସୁସ୍ଥତା ପ୍ରକ୍ରିୟାରେ ସାହାଯ୍ୟ କରିବାକୁ ଲକ୍ଷ୍ୟ ରଖିଛୁ । ଭାରତକୁ ଯକ୍ଷ୍ମାମୁକ୍ତ କରିବାର ସ୍ୱପ୍ନକୁ ସାକାର କରିବା ପାଇଁ ଆମେ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ ଏବଂ ସ୍ଥାନୀୟ ଲୋକଙ୍କ ସହ ମିଶି କାର୍ଯ୍ୟ କରିବାକୁ ପ୍ରତିବଦ୍ଧ” ବୋଲି ସେ କହିଥିଲେ। ପୁଷ୍ଟିକର ଖାଦ୍ୟ ସହାୟତା ସହିତ ଫାଉଣ୍ଡେସନ ଠିକ୍ ସମୟରେ ରୋଗ ଚିହ୍ନଟ, ନିୟମିତ ଚିକିତ୍ସା ଗ୍ରହଣ ଏବଂ ଯକ୍ଷ୍ମା ନିରାକରଣ ତଥା ଯତ୍ନ ବିଷୟରେ ଅଧିକ ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେଇଛି। ଏହି ପ୍ରୟାସଗୁଡ଼ିକ ରୋଗୀମାନଙ୍କୁ ସେମାନଙ୍କ ଚିକିତ୍ସା ସମୟରେ ସହଯୋଗ କରିବା ସହିତ ସମାଜରେ ବ୍ୟାପକ ସଚେତନତା ସୃଷ୍ଟି କରିବ ଏବଂ ଏହି ରୋଗ ପ୍ରତି ଥିବା ଭୁଲ ଧାରଣା ତଥା ସାମାଜିକ କଳଙ୍କକୁ ଦୂର କରିବାରେ ସହାୟକ ହେବ । ତୃଣମୂଳ ସ୍ତରରେ ନିରନ୍ତର ପ୍ରୟାସ ଏବଂ ସ୍ଥାନୀୟ ଅଂଶୀଦାରମାନଙ୍କ ସହଯୋଗ ମାଧ୍ୟମରେ ସମାଜର ସ୍ୱାସ୍ଥ୍ୟ, ମର୍ଯ୍ୟାଦା ଓ କଲ୍ୟାଣକୁ ପ୍ରୋତ୍ସାହିତ କରିବା ସହ ଅର୍ଥପୂର୍ଣ୍ଣ ତଥା ସ୍ଥାୟୀ ବିକାଶ ଆଣିବା ପାଇଁ ଡାଲମିଆ ଭାରତ ଫାଉଣ୍ଡେସନ ସର୍ବଦା ପ୍ରତିବଦ୍ଧ ।

