ସମ୍ବଲପୁର,୧୧/୦୯(ଉତ୍କଳ ସମାଚାର),(ସରୋଜ ସାହୁ):ଓଡ଼ିଶାର ମାଟି, ମହିମା, ଐତିହ୍ୟ, ସଂସ୍କୃତି, କୃଷି ଓ ସ୍ୱଦେଶୀ ପରମ୍ପରାକୁ ଏକ ସୂତ୍ରରେ ବାନ୍ଧି ଓଡ଼ିଶା ଅସ୍ମିତାର ଏକ ଶକ୍ତିଶାଳୀ ସାମୂହିକ ସ୍ୱର ଭାବେ ଉଭା ହୋଇଛି ‘ବନ୍ଦେ ଓଡ଼ିଶା’। ସ୍ଥାପନା ଚାରିଟେବଲ୍ ଟ୍ରଷ୍ଟର ଏହି ପ୍ରମୁଖ ସ୍ୱାକ୍ଷର କାର୍ଯ୍ୟକ୍ରମ ସ୍ଥାନୀୟ ତପସ୍ୱିନୀ ଅଡିଟୋରିୟମ୍ରେ ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତି, ସାଂସ୍କୃତିକ ପ୍ରତିଭା, କୃଷକ, ମହିଳା ଉଦ୍ୟୋଗୀ, ସାମାଜିକ କର୍ମୀ ଓ ଜନସାଧାରଣଙ୍କ ଉପସ୍ଥିତିରେ ଭବ୍ୟ ଭାବେ ଅନୁଷ୍ଠିତ ହୋଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାର, ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ବୁର୍ଲା ଏବଂ ଆଦିତ୍ୟ ବିର୍ଲା ଗ୍ରୁପ୍, ସମ୍ବଲପୁରର ସହଯୋଗରେ ଆୟୋଜିତ ଏହି ଦିନବ୍ୟାପୀ କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାର ସମୃଦ୍ଧ ଐତିହାସିକ, ସାଂସ୍କୃତିକ, ଆଧ୍ୟାତ୍ମିକ ଓ କୃଷିଭିତ୍ତିକ ପରିଚୟକୁ ବିଶେଷ ଭାବେ ପ୍ରତିଫଳିତ କରାଯାଇଥିଲା।କାର୍ଯ୍ୟକ୍ରମରେ ‘ବନ୍ଦେ ଓଡ଼ିଶା’ ପ୍ରୋଗ୍ରାମ୍ର ଅଧ୍ୟକ୍ଷା, ଶ୍ରୀମତୀ ନିବେଦିତା ନାୟକଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମଟି ସଫଳତାର ସହ ଆୟୋଜିତ ହୋଇଥିଲା। ମଞ୍ଚରେ ସମ୍ବଲପୁରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଜୟନାରାୟଣ ମିଶ୍ର, ରେଙ୍ଗାଲିର ପୂର୍ବତନ ବିଧାୟକ ତଥା ‘ବନ୍ଦେ ଓଡ଼ିଶା’ ରିସେପ୍ସନ୍ କମିଟିର ଅଧ୍ୟକ୍ଷ ନାଉରୀ ନାଏକ, ବରଗଡ଼ ଧନୁଯାତ୍ରା ମହୋତ୍ସବର ଆବାହକ ତଥା ବରିଷ୍ଠ ନେତା ସୁରେଶ୍ୱର ଶତପଥୀ ଏବଂ ଭାରତୀୟ ଜନତା ପାର୍ଟିର ସମ୍ବଲପୁର ଜିଲ୍ଲା ସଭାପତି, ରାମଚନ୍ଦ୍ର ମେହେର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଜୟନାରାୟଣ ମିଶ୍ରଙ୍କୁ ‘ବନ୍ଦେ ଓଡ଼ିଶା ସମ୍ମାନ’ ପ୍ରଦାନ କରାଯିବା ସହ ତାଙ୍କୁ ‘ବନ୍ଦେ ଓଡ଼ିଶା’ର ବ୍ରାଣ୍ଡ ଆମ୍ବାସାଡର ଭାବେ ଘୋଷଣା କରାଯାଇଥିଲା।ଏହା ସହିତ ବିଶିଷ୍ଟ ସାଂସ୍କୃତିକ ବ୍ୟକ୍ତିତ୍ୱ ବ୍ରଜେନ୍ଦ୍ର ନାଏକ ଏବଂ ବିଶିଷ୍ଟ ଲେଖକ ଗୋରେଖନାଥ ସାହୁଙ୍କୁ ମଧ୍ୟ ‘ବନ୍ଦେ ଓଡ଼ିଶା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା।

