ରାଉରକେଲା ୧୪/୯,(ଉତ୍କଳ ସମାଚାର) ସାଧାରଣ ଜନତାଙ୍କର ଚୋରି ହୋଇଥିବା ଅଥବା ହଜିଯାଇଥିବା ମୋବାଇଲ ଫୋନଗୁଡ଼ିକୁ ଠାବ କରିବା ସହିତ ଉଦ୍ଧାର କରିବା ପାଇଁ ରାଉରକେଲା ପୋଲିସ ପକ୍ଷରୁ ନିକଟରେ ଏକ ସ୍ବତନ୍ତ୍ର ଅଭିଯାନ ଆୟୋଜନ କରାଯାଇଥିଲା | ଏହି ଅଭିଯାନରେ ନିଖୋଜ ମୋବାଇଲ ଫୋନଗୁଡ଼ିକର ଆଇଏମ୍ଇଆଇ (IMEI) ନମ୍ୱର ଚିହ୍ନଟ କରିବା ସହିତ ବୈଷୟିକ ବିଶ୍ଳେଷଣ ଓ କ୍ଷେତ୍ର ମାଧ୍ୟମରେ ସେଗୁଡ଼ିକର ବର୍ତ୍ତମାନର ବ୍ୟବହାର ସମ୍ପର୍କରେ ଠାବ କରିବା ପାଇଁ ନିଷ୍ଠାପୂର୍ବକ ପ୍ରୟାସ କରାଯାଇଥିଲା। ଏହି ଅଭିଯାନର ସଫଳ ପରିଣାମ ସ୍ବରୂପ ପୋଲିସ୍ ପକ୍ଷରୁ ମୋଟ ୧୮୮ (ଏକ ଶହ ଅଠାଅଶୀ)ଟି ମୋବାଇଲ ଫୋନ୍ ସେଟ୍ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ମୋବାଇଲ ଫୋନଗୁଡ଼ିକର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୭୦,୦୦,୦୦୦(ସତୁରି ଲକ୍ଷ ଟଙ୍କା)। ମୋବାଇଲଗୁଡିକର ଆବଶ୍ୟକ ଯାଞ୍ଚ ଓ ପରିଚୟ ନିଶ୍ଚିତକରଣ ପରେ, ଆଜି ୨୦୨୬ ସେପ୍ଟେମ୍ବର ୧୪ ତାରିଖ ଦିନ ରାଉରକେଲା ପୋଲିସ୍ ମୁଖ୍ୟାଳୟ ପରିସରରେ “ମୋବାଇଲ ମେଳା’” ଆୟୋଜନ କରାଯାଇ ଉଦ୍ଧାର ହୋଇଥିବା ମୋବାଇଲ ଫୋନଗୁଡ଼ିକୁ ସେମାନଙ୍କର ଆଇନସମ୍ମତ ତଥା ପ୍ରକୃତ ମାଲିକମାନଙ୍କୁ ହସ୍ତାନ୍ତର କରାଯାଇଛି। ରାଉରକେଲା ପୋଲିସ ପକ୍ଷରୁ ଏହି ପଦକ୍ଷେପ ଦ୍ବାରା ମୋବାଇଲ ଫୋନର ପ୍ରକୃତ ମାଲିକମାନେ ଆଶ୍ବସ୍ତ ହେବା ସହିତ ରାଉରକେଲା ପୋଲିସ୍ ପକ୍ଷରୁ ନିଆଯାଉଥିବା ସକ୍ରିୟ ପଦକ୍ଷେପ ପ୍ରତି ଜନସାଧାରଣଙ୍କ ବିଶ୍ବାସ ଆହୁରି ସୁଦୃଢ଼ ହୋଇପାରିଛି। ନାଗରିକମାନଙ୍କ ସ୍ବାର୍ଥକୁ ରାଉରକେଲା ପୋଲିସ ସଦାସର୍ବଦା ପ୍ରତିବଦ୍ଧ ଏବଂ ଚୋରିଜନିତ ଅପରାଧକୁ ନିୟନ୍ତ୍ରଣ କରିବା ସହିତ ଅଭିଯୋଗର ତ୍ବରିତ ସମାଧାନ ସୁନିଶ୍ଚିତ କରିବା ନିମନ୍ତେ ଭବିଷ୍ୟତରେ ମଧ୍ୟ ଏଭଳି ସକ୍ରିୟ ପଦକ୍ଷେପ ଜାରି ରହିବ ବୋଲି ଆୟୋଜିତ ମୋବାଇଲ୍ ମେଳାରେ ଉପସ୍ଥିତ ଥିବା ପଶ୍ଚିମାଞ୍ଚଳ ଆରକ୍ଷୀ ଉପ-ମହାନିରୀକ୍ଷକ ବ୍ରିଜେଶ କୁମାର ରାୟ, ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ଓ୍ବାଧଓ୍ବାନୀ ଏବଂ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହୃଷିକେଶ ନାୟକ ସୂଚନା ଦେଇଛନ୍ତି। ପଶ୍ଚିମାଞ୍ଚଳ ଆରକ୍ଷୀ ଉପ-ମହାନିରୀକ୍ଷକ ବ୍ରିଜେଶ କୁମାର ରାୟ ତାଙ୍କ ବକ୍ତବ୍ୟରେ ୧୮୮ ମୋବାଇଲ୍ ଫୋନ୍ ଉଦ୍ଧାର ସହିତ ମୋବାଇଲ୍ ଫୋନର ପ୍ରକୃତ ମାଲିକମାନଙ୍କୁ ଚିହ୍ନଟ କରି ଆଜିର ଆୟୋଜିତ “ମୋବାଇଲ୍ ମେଳା ମାଧ୍ୟମରେ ହସ୍ତାନ୍ତର କରିଥିବାରୁ, ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ଓ୍ବାଧଓ୍ବାନୀ ଏବଂ ତାଙ୍କ ସମସ୍ତ ବରିଷ୍ଠ ଅଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଶା ପ୍ରକଟ କରିଥିଲେ ଯେ, ଆଗକୁ ପୋଲିସ୍ ପକ୍ଷରୁ ଏଭଳି ମୋବାଇଲ୍ ମେଳା ମାଧ୍ୟମରେ ହଜିଯାଇଥିବା କିମ୍ବା ଚୋରି ହୋଇଥିବା ମୋବାଇଲ ଫୋନ୍ ଫେରି ପାଇବେ।

