ସମ୍ବଲପୁର,୧୮/୦୯(ଉତ୍କଳ ସମାଚାର),(ସରୋଜ ସାହୁ):ପୂର୍ବତନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ୪ ଦିନିଆ ସଂସଦୀୟ କ୍ଷେତ୍ର ଗସ୍ତ ସାରି ଗତକଲି ଭୁବନେଶ୍ୱର ଗସ୍ତ କରିଛନ୍ତି । ଏହି ଚାରି ଦିନ ରେ ସାଂସଦ ସମ୍ବଲପୁର, କୁଚିଣ୍ଡା, ଦେବଗଡ଼, ରେଢ଼ାଖୋଲ ରେ ବିଭିନ୍ନ ସରକାରୀ, ବେସରକରୀ ଓ ରାଜନୈତିକ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ । କିନ୍ତୁ ସମସ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଆକର୍ଷଣ ଥିଲା ଗୁରୁବାର ଅପରାହ୍ନର କାର୍ଯ୍ୟକ୍ରମ । ଗତକାଲି ସାଂସଦ ଶ୍ରୀ ପ୍ରଧାନ ଦଳୀୟ କର୍ମୀ ଓ ସରକାରୀ ଅଧିକାରୀ ଙ୍କ ସହ ମୋଟରସାଇକେଲ ରେ ସମ୍ବଲପୁର ର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ । ଭାରତ ସରକାରଙ୍କ ‘ଅମୃତ ଭାରତ ଷ୍ଟେସନ ଯୋଜନା’ ଅଧୀନରେ ଆସୁଥିବା ସମ୍ବଲପୁର ଜଙ୍କସନ୍, ହୀରାକୁଦ ଏବଂ ସମ୍ବଲପୁର ସିଟି ରେଳ ଷ୍ଟେସନ ପରିଦର୍ଶନ କରି ବିଭାଗୀୟ ଅଧିକାରୀ ଙ୍କ ସହିତ ଚାଲିଥିବା ପୁନଃ ନବୀକରଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ । ବାଇକରେ ବୁଲି ବୁଲି ସମ୍ବଲପୁରରେ କ୍ରିୟାନ୍ୱୟନ ହେଉଥିବା ବିଭିନ୍ନ ରୋଡ ପ୍ରକଳ୍ପ କାର୍ଯ୍ୟକୁ ମଧ୍ୟ ତଦାରଖ କରି ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଜାତୀୟ ରାଜପଥ ପ୍ରାଧିକାରଣ ର ଅଧିକାରୀଙ୍କ ସହ ବିଭିନ୍ନ ଜାତୀୟ ରାଜପଥର ଉନ୍ନତିକରଣ, ମରାମତି ସମ୍ପର୍କ ରେ ବିସ୍ତୃତ ଆଲୋଚନା କରିଥିଲେ ।ସାମାଜିକ ଗଣମାଧ୍ୟମ ରେ ସାଂସଦ ଙ୍କ ଏସବୁ କାର୍ଯ୍ୟକ୍ରମ ର ଫୋଟୋ ଭିଡିଓ ଭାଇରାଲ ହେଲା ପରେ ସମ୍ବଲପୁରବାସୀ ଙ୍କ ଭିତରେ ଚର୍ଚ୍ଚା ଜୋର ଧରିବା ସହିତ ଅଞ୍ଚଳବାସୀ ଙ୍କ ମନରେ ବିକାଶ ର ଧାରା ର କ୍ଷିପ୍ର ଗତି କୁ ନେଇ ଆଶା ସଂଚାରିତ ହୋଇଛି ବୋଲି ବିଜେପି ରାଜ୍ୟ ପ୍ରବକ୍ତା ତଥା କ୍ଷେତ୍ରିୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି କହିଛନ୍ତି ।

