ଗଙ୍ଗାଧର ଜୟନ୍ତୀ ଓ ନୂଆଁଖାଇ ଭେଟଘାଟ୍ I ସମ୍ବଲପୁର,୧୯/୦୯(ଉତ୍କଳ ସମାଚାର),(ସରୋଜ ସାହୁ):ସମ୍ବଲପୁର ବୁଢ଼ାରଜାସ୍ଥିତ “ନିଖିଳ ଓଡ଼ିଶା ଆଦିବାସୀ ସାଂସ୍କୃତିକ ସଂସଦ” ଆନୁକୂଲ୍ୟରେ ସ୍ଵଭାବକବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ଓ ନୂଆଁଖାଇ ଭେଟଘାଟ୍ – ୨୦୨୬ ସମାରୋହ ସହକାରେ ସଂସଦର ସଭାପତି ତଥା ସମ୍ବଲପୁର ଜିଲ୍ଲାର ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଶୋଭାରାମ ପଧାନଙ୍କ ପୌରୋହିତ୍ୟରେ ଗୁରୁବାର ସନ୍ଧ୍ୟାରେ ଭୀମ ଭୋଇ ମଣ୍ଡପର ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟ-ସଂସ୍କୃତିର ପୃଷ୍ଠପୋଷକ ହେମନ୍ତ କୁମାର ମହାପାତ୍ର, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଗଣେଶରାମ ନାହାକ ଓ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଡକ୍ଟର ଶ୍ୟାମ ଭୋଇ ଏବଂ ମୁଖ୍ୟବକ୍ତା ରୂପେ ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟର ଓଡ଼ିଆ ବିଭାଗମୁଖ୍ୟ ଅଧ୍ୟାପକ ଅଖିଳ ବିଶ୍ଵାଳ ଯୋଗଦାନ କରିଥିଲେ। ସଭାକାର୍ଯ୍ୟ ଆରମ୍ଭ ପୂର୍ବରୁ ଅତିଥିମାନେ ମଣ୍ଡପ ପରିସରରେ ଥିବା ସନ୍ଥକବି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଅଧ୍ୟାପକ ରମେଶ ଚନ୍ଦ୍ର ମିର୍ଦ୍ଧାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଂସଦର କର୍ମକର୍ତ୍ତାଙ୍କ ସମେତ ଅତିଥିମାନେ ମାଁ ସମଲେଶ୍ଵରୀ ଓ କବି ଗଙ୍ଗାଧର ମେହେରଙ୍କ ପ୍ରତିଚ୍ଛବି ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନପୂର୍ବକ ମାଲ୍ୟାର୍ପଣ କରିଥିଲେ। ମୁଖ୍ୟଅତିଥି ଶ୍ରୀ ମହାପାତ୍ର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇର ମହତ୍ତ୍ୱ ତଥା ସ୍ବଭାବକବି ଗଙ୍ଗାଧର ମେହେରଙ୍କ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହିତ ଏତେ ବ୍ୟାପକ ଭାବରେ ଗଙ୍ଗାଧର ଜୟନ୍ତୀ ପାଳିତ ହେଉଥିବାରୁ ଗଙ୍ଗାଧରଙ୍କୁ ଜଣେ ଅଦ୍ୱିତୀୟ କବି ଭାବେ ଅଭିହିତ କରିଥିଲେ। ସମ୍ମାନିତ ଅତିଥି ଶ୍ରୀ ନାହାକ ସମଗ୍ର ପଶ୍ଚିମ ଓଡ଼ିଶାରେ ଗୋଟିଏ ଦିନରେ ନୂଆଁଖାଇ ପର୍ବ ପାଳନର ଇତିହାସ ସମ୍ପର୍କରେ ଆଲୋଚନା କରିବା ସହିତ ଏ ଅଞ୍ଚଳର ବିଶେଷତ୍ଵ ବୁଝାଇଥିଲେ । ତା ସହିତ କବି ଗଙ୍ଗାଧରଙ୍କ ବିଭିନ୍ନ ସାହିତ୍ୟକୃତିର ଆଲୋଚନା କରି ମେହେର ସାହିତ୍ୟର ମହତ୍ତ୍ୱ ସମ୍ପର୍କରେ ଚର୍ଚ୍ଚା କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଡକ୍ଟର ଭୋଇ ନୂଆଁଖାଇ କିଭଳି ଭାଇଚାରାର ପର୍ବ ଓ ମାଟି ମାଁ ଏବଂ ଇଷ୍ଟଦେବତା-ଇଷ୍ଟଦେବୀଙ୍କ ପ୍ରତି କୃତଜ୍ଞତା ଅର୍ପଣର ଅମୃତ ଅବସର ବୋଲି ପ୍ରକାଶ କରିବା ସହିତ ଗଙ୍ଗାଧର ମେହେରଙ୍କ ସାହିତ୍ୟରେ ଥିବା ଆତ୍ମବିଶ୍ବାସ, କର୍ତ୍ତବ୍ୟପରାୟଣତା, କୃତଜ୍ଞତା, ପ୍ରେମ ପ୍ରଣୟର ଚିତ୍ର ଆଦି ପ୍ରସଙ୍ଗରେ ଆଲୋଚନା କରିଥିଲେ। ମୁଖ୍ୟବକ୍ତା ଶ୍ରୀ ବିଶ୍ଵାଳ ନୂଆଁଖାଇ ପର୍ବର ଐତିହ୍ୟ, ଇତିହାସ, ପର୍ବ ପାଳନର ଗୁରୁତ୍ଵ ଆଲୋଚନା କରିବା ସହିତ ଗଙ୍ଗାଧରଙ୍କ କୃଷକ ସଙ୍ଗୀତ କବିତା ଗ୍ରନ୍ଥରୁ ଅନ୍ନର ମହିମା, କୃଷିର ଗୌରବ ଆଦି କବିତାକୁ ଆଧାର କରି ଅନ୍ନ ଉତ୍ପାଦନ ଓ ଅନ୍ନର ଗୁରୁତ୍ଵ ଓ ନବାନ୍ନ ଭକ୍ଷଣ ଇତ୍ୟାଦି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଏହି ପବିତ୍ର ଅବସରରେ ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନର ମାଇକ୍ରୋବାଇଲୋଜି ବିଭାଗମୁଖ୍ୟ ଡାକ୍ତର ପ୍ରଫେସର ବିଜୟ ରଞ୍ଜନ ମିର୍ଦ୍ଧାଙ୍କୁ ଚିକିତ୍ସା କ୍ଷେତ୍ରରେ ତାଙ୍କର ଅନବଦ୍ୟ ଅବଦାନ ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଥିଲା। ମାନପତ୍ର ପାଠ କରିଥିଲେ ଅଧ୍ୟାପିକା ସୁଶ୍ରୀ ଗାୟତ୍ରୀ ଆଚାରୀ।ପ୍ରଫେସର ମିର୍ଦ୍ଧା ସମ୍ବର୍ଧନାର ଉତ୍ତରରେ ନିଖିଳ ଓଡ଼ିଶା ଆଦିବାସୀ ସାଂସ୍କୃତିକ ସଂସଦ ନିକଟରେ ଗଭୀର କୃତଜ୍ଞତା ଅର୍ପଣ କରିଥିଲେ। ସଂସଦର ସାଧାରଣ ସମ୍ପାଦକ ବଲାଙ୍ଗୀର ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର ବିତ୍ତ ନିୟନ୍ତ୍ରକ ଚନ୍ଦ୍ରମଣି ମିର୍ଦ୍ଧା ସଂସଦର ନିୟମିତ କାର୍ଯ୍ୟଧାରା ଉପରେ ଆଲୋକପାତ କରିଥିଲେ। ସଭାପତି ଶୋଭାରାମ ପଧାନ ତାଙ୍କ ଅଭିଭାଷଣରେ ନୂଆଁଖାଇ ପର୍ବର ମହତ୍ତ୍ୱ ତଥା ଗୁରୁତ୍ଵ ଦର୍ଶାଇବା ସହିତ ଏହା ଆମ ସମସ୍ତଙ୍କୁ କିଭଳି ଏକାତାର ସୂତ୍ରରେ ବାନ୍ଧି ରଖିଛି ବୋଲି କହିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଅଶୋକ ଲିଙ୍ଗ, ଅଧ୍ୟାପକ ରୋଶନ ଭୋଇ, ଶାନ୍ତନୁ ଦାନୀ, ଅବିନାଶ ଧର, ରଜନୀକାନ୍ତ ମହାପାତ୍ର, ରାଜଲକ୍ଷ୍ମୀ ଆଚାରୀ, ରୋଜା ଆଚାରୀ, ଅଧ୍ୟାପକ ଡକ୍ଟର ସୁରୁ ମୁଣ୍ଡା ପ୍ରମୁଖ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଅନୁରାଗିଣୀ ମିର୍ଦ୍ଧା ଧନ୍ୟବାଦ ଅର୍ପଣ କରିଥିଲେ।

