ରାଉରକେଲା ୨୦/୯,(ଉତ୍କଳ ସମାଚାର) ସମ୍ପ୍ରତି ବିଜେପି ସରକାରଙ୍କ ଜନବିରୋଧୀ ନୀତି, ଓଡିଶାର ସ୍ୱାର୍ଥ ବିରଧୀ ନୀତି, ଓଡିଶା ସରକାରଙ୍କ ଦିଶାହୀନତା ବିରୋଧରେ ବିଜୁ ଜନତା ଦଳ ଲଢେଇ ଜାରି ରଖିବା ସହିତ ରାଉରକେଲା ପାଇଁ ପୂର୍ବ ପ୍ରତିଶ୍ରୁତି ପୂରଣ ଓ ବିକାଶ ପାଇଁ ଦାବି କରିବ ବୋଲି ଆଜି ବ୍ରାହ୍ମଣୀ କ୍ଲବ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି। ସମ୍ପ୍ରତି ଉଭୟ ରାଜ୍ୟ ଓ କେନ୍ଦ୍ରରେ ବିଜେପି ସରକାର, ଓଡିଶାର ସ୍ବାର୍ଥ ବିରୋଧୀ ନୀତି ସହିତ ଏମ୍ଏମଡିଆର ଆଇନରେ ସଂଶୋଧନ କରି ଓଡିଶାକୁ ଆର୍ଥକ ଦୁଃସ୍ଥିତି ଆଡକୁ ନେବା ସହ ନିବେଶ ଓ ରୋଜଗାରର ଅଭିବୃଦ୍ଧିରେ ବାଧକ ସାଜିଛି ଏବଂ ଏହା ଉପରେ ଆଲୋଚନା କିମ୍ବା ପର୍ଯ୍ୟାଲୋଚନା ନ କରି ତରବରିଆ ଭାବେ ପାର୍ଲିଆମେଣ୍ଟରେ ଏମ୍ଏମଡିଆର ବିଲ୍ ପାରିତ କରିବା ସହ ଡବଲ ଇଞ୍ଜିନ ସରକାରର ସାଂସଦ ସ୍ୱର ନ ଉଠାଇବା, ଓଡିଶା ସରକାର ଏଥିପାଇଁ ଚୁପ୍ ରହିବା ବିରୁଦ୍ଧରେ ବିଜେଡି ତରଫରୁ ପ୍ରତିବାଦ ସହିତ ଆନ୍ଦୋଳନ ଜାରି ରହିଛି ଓ ରହିବ ବୋଲି ବିଜେଡି ତରଫରୁ କୁହାଯାଇଛି । ସେହିପରି ରାଜ୍ୟ ସରକାରର ଦିଶାହୀନତା ଯୋଗୁଁ ରାଜ୍ୟରେ ଆବଶ୍ୟକୀୟ ବିକାଶର ଲକ୍ଷ୍ୟ ସାଧନ ବ୍ୟାହତ ହେବ ବୋଲି କୁହାଯିବା ସହ ବିଦ୍ୟାଳୟର ପାଠ୍ୟପୁସ୍ତକ ମହାବିଭ୍ରାଟ ବିରୁଦ୍ଧରେ ଯୁବ ବିଜେଡି ସୁନ୍ଦରଗଡରେ ଆନ୍ଦୋଳନ ଜାରି ରଖିବା ସହ ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କ ସ୍ୱରକୁ ବିଜେଡି ତୀବ୍ର କରିବାକୁ ରାଜରାସ୍ତାକୁ ଓହ୍ଲାଇଛି । ମହଙ୍ଗା ମାତରେ ମଧ୍ୟବିତ୍ତ ଗରିବ ଅତିଷ୍ଠ ହେଉଥିବା ବେଳେ ତାକୁ ନ ରୋକିବା ପରିବର୍ତ୍ତେ ବୋଝ ଉପରେ ଲଳିତା ବିଡା ସଦୃଶ କ୍ଷୁଦ୍ର ବ୍ୟବସାୟୀଙ୍କ ଉପରେ ନିୟମାବଳୀ ଜାରି କରି ସାଧାରଣ ଲୋକଙ୍କ ଜୀବନଜୀବିକାକୁ ଦୁର୍ବିସହ କରାଯାଇଛି । ଓଡିଶାରେ ଭାରତର ୪୦ ପ୍ରତିଶତ ଖଣିଜ ସମ୍ପଦ ଥିବାବେଳେ ଓଡିଶା ରାଜସ୍ବର ସିଂହଭାଗ ଆଦିବାସୀ ବହୁଳ ଅଂଚଳଗୁଡିକର ବିକାଶରେ ଏହାର ଉପଯୋଗିତା ଥିବାବେଳେ ଖଣି ଓ ଖଣିଜ ସମ୍ପଦ ଉପରେ ଏମ୍ଏମଡିଆର ଆଇନ ଭଳି କଳା ଆଇନର ପ୍ରବର୍ତ୍ତନ, ଓଡିଶାର ବେକାରୀ ସମସ୍ୟା, ବେରୋଜଗାରୀ ଦୂର ପାଇଁ କୌଣସି ପଦକ୍ଷେପ ନ ନେବା ସହିତ ପରିବେଶ ପ୍ରଦୂଷଣର ବୋଝ ଜନଜୀବନ ଉପରେ ପ୍ରଭାବର ପ୍ରତିବାଦ କରାଯାଇଛି। ରାଜ୍ୟ ସରକାର ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦେବାରେ ପ୍ରତିଶ୍ରୁତି ଦେଇଥିବା ବେଳେ ଦଳର ପ୍ରତିଶ୍ରୁତି ରକ୍ଷା କରିପାରି ନାହାନ୍ତି। ଓଡିଶାର ଜନସାଧାରଣଙ୍କ ନେତା ତଥା ବିରୋଧୀ ଦଳର ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ଦଳକୁ ଡକାଇ ଏବଂ ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଦେଇଥିବା ମହାପ୍ରସ୍ତାବ ପରାମର୍ଶକୁ ବିଜେପି ସରକାର ଗ୍ରହଣ କରିନାହାନ୍ତି। ତେଣୁ ଏହା ବିରୁଦ୍ଧରେ ରାଜଭବନ ସମ୍ମୁଖରେ ବିକ୍ଷୋଭ କରାଯାଇ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ନିକଟକୁ ରାଜ୍ୟପାଳଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରାଯାଇଛି। ରାଜ୍ୟ ବିରୋଧୀ ନୀତି ବିରୁଦ୍ଧରେ ଆଦାଳନକୁ ଶାଣିତ କରିବା ଓ ବିଧାନସଭା ସମ୍ମୁଖରେ ବିରୋଧ ପ୍ରଦର୍ଶନକୁ ରାଜ୍ୟ ସଭାପତିଙ୍କ ଦ୍ବାରା ଅନୁମୋଦିତ କରାଯାଇଛି । ଆକାଶ ଛୁଆଁ ଦରଦାମ୍ ବୃଦ୍ଧି, ବିପର୍ଯ୍ୟସ୍ତ ଆଇନ୍ଶୃଙ୍ଖଳା ପରିସ୍ଥିତି, ଜନଜାତି ଓ ଦଳିତ ସଂଖ୍ୟାଲଘୁଙ୍କ ପ୍ରତି ହେଉଥିବା ଅବିଚାର, ନାରୀ, ଯୁବ, ଛାତ୍ର, କୃଷକ, ଶ୍ରମିକ, ଆନ୍ତଃରାଜ୍ୟ ନଦୀବନ୍ଧ କ୍ଷେତ୍ରରେ ବିଜେପି ରାଜ୍ୟର ସ୍ୱାର୍ଥକୁ ଜଳାଞ୍ଜଳି ଦେଇଦେବା ପ୍ରସଙ୍ଗରେ ଜନସଚେତନତା ଓ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ରାଉରକେଲାରେ ମେଡିକାଲ କଲେଜ ଓ ସୁପର ସ୍ପେଶିଆଲିଟି ହସ୍ପିଟାଲ, ବିମାନବନ୍ଦର ଆଦି ବିଜେପିର ଅପାରଗତା ଯୋଗୁ ଆଜି ବନ୍ଦ ହୋଇଯାଇଛି । ଓଡିଶାର ଶିଳ୍ପ ଅଭିବୃଦ୍ଧିକୁ ବିଜେପି ସରକାର ରୋକିବା ଦ୍ବାରା ରାଜ୍ୟର ବିକାଶ ବାଧାପ୍ରାପ୍ତ ହୋଇଛି । ମଧ୍ୟମ କ୍ଷୁଦ୍ର ଶିଳ୍ପ ବନ୍ଦ ହୋଇଛି, ନିଯୁକ୍ତି ବନ୍ଦ ହୋଇଛି । ବିଜେପି ସରକାର ବିରୁଦ୍ଧରେ ରାଜ୍ୟ ତଥା ଜିଲ୍ଲାବାସୀ ଏକଜୁଟ ହୋଇ ଏହାର ଉପଯୁକ୍ତ ଜବାବ ଦେବାକୁ ଆଜି ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଆହ୍ୱାନ ଦିଆଯାଇଛି ।ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ବିଜେଡ଼ି ଉପସଭାପତି ଦେବୀପ୍ରସାଦ ମିଶ୍ର, ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ମିଶ୍ରଙ୍କ ସମେତ ଜୟନ୍ତ କୁମାର ମିଶ୍ର, ପ୍ରଶାନ୍ତ ସେଠୀ, ବିରେନ ସେନାପତି, ସୁଦାମ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

