ସମ୍ବଲପୁର,୨୧/୦୯(ଉତ୍କଳ ସମାଚାର),(ସରୋଜ ସାହୁ):ନୂଆଁ ଅନ୍ନ, ନୂଆଁ ଆଶା ଓ ଭାଇଚାରାର ପର୍ବ ନୂଆଁଖାଇ। ପଶ୍ଚିମ ଓଡ଼ିଶାର ଏହି ଗଣପର୍ବ ୧୫ ତାରିଖ ରେ ପାଳିତ ହୋଇ ଥିବାବେଳେ ରବିବାର ହୀରାକୁଦ କଲୋନୀ ସ୍ଥିତ ରୋଟାରୀ କ୍ଲବ ସମ୍ବଲପୁର ପକ୍ଷରୁ ଆୟୋଜିତ ହୋଇ ଥିଲା ନୂଆଁଖାଇ ଭେଟଘାଟ। କ୍ଲବ ସଦସ୍ୟ ସଦସ୍ୟା ଓ ନିମନ୍ତ୍ରିତ ଗଣ୍ୟ ମାନ୍ୟ ଅତିଥିଙ୍କ ଉପସ୍ଥିତିରେ ଭେଟ ଘାଟର ଆସର ବେଶ୍ ଜମିଥିଲା। କାର୍ଯ୍ୟକ୍ରମରେ ସମ୍ବଲପୁରୀ ଲୋକଗୀତ, ନାଚ ଓ ପାରମ୍ପରିକ ବାଦ୍ୟର ତାଳେ ତାଳେ ଭେଟଘାଟ ପରିବେଶ ଉତ୍ସବ ମୁଖର ହୋଇ ଉଠିଥିଲା। ସଦସ୍ୟ ସଦସ୍ୟା ମାନେ ପରସ୍ପରକୁ ନୂଆଁଖାଇ ଜୁହାର ଜଣାଇ ନୂଆଁଖାଇର ଭାଇଚାରା ଓ ଆତ୍ମୀୟତାର ବାର୍ତ୍ତା ବାଣ୍ଟି ଥିଲେ। ଏହି ଅବସରରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ପାରମ୍ପରିକ ଓ ସୁସ୍ୱାଦୁ ବ୍ୟଞ୍ଜନର ବ୍ୟବସ୍ଥା ହୋଇଥିଲା। ମାଟିର ମହକ, ଲୋକ ସଂସ୍କୃତିର ରଙ୍ଗ ଓ ନୂଆଁଖାଇର ଆତ୍ମୀୟତା ରେ ରୋଟାରୀ କ୍ଲବ ପରିସର ହୋଇ ଉଠିଥିଲା ଚଳଚଞ୍ଚଳ। କ୍ଲବ ସଭାପତି ଚିନ୍ମୟ ଶତପଥୀ, ସମ୍ପାଦକ ସୁକାନ୍ତ ମେହେର, ଉପସଭାପତି ସୁଶାନ୍ତ ମହାପାତ୍ର, ପ୍ରକଳ୍ପ ଅଧ୍ୟକ୍ଷ ସୁଜିତ ପାଣିଗ୍ରାହୀ, ପୂର୍ବତନ ସଭାପତି ରାଜକିଶୋର ଦାସ, ପ୍ରବୀଣ ସୁରୀ ଓ ଦାମୋଦର କରଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।ନୂଆଁଖାଇର ମୂଳମନ୍ତ୍ର ‘ଭେଟ୍ଘାଟ୍ ଆର୍ ଭାଇଚାରା’କୁ ଆଧାର କରି ଆୟୋଜିତ ଏହି କାର୍ଯ୍ୟକ୍ରମ ପଶ୍ଚିମ ଓଡ଼ିଶାର ଲୋକ ପରମ୍ପରା, ସଂସ୍କୃତି ଓ ସାମାଜିକ ଏକତାର ଏକ ସୁନ୍ଦର ଝଲକ ପ୍ରଦାନ କରିଥିଲା।

