ପୁଲିସ ପ୍ରଶାସନର ନଜରରେ ଶାନ୍ତିପୂର୍ଣ୍ଣ ରହିଲା ଆୟୋଜନ, ଝାଙ୍କି ସମସ୍ତଙ୍କ ମନ ମୋହିଲା
ରାଉରକେଲା:26//9,(ଉତ୍କଳ ସମାଚାର) ସହରର ମୁଖ୍ୟ ମାର୍ଗ ସମେତ ଆବାସିକ ଅଞ୍ଚଳ ସିଭିଲ୍ ଟାଉନସିପ୍, ବାସନ୍ତୀ କଲୋନୀ ଓ ଛେଣ୍ଡରେ ଗଣେଶ ପୂଜା ସମାପନ ଅବସରରେ ଶୁକ୍ରବାର ଦିନ ମୁଖ୍ୟ ରାସ୍ତାରେ ଭବ୍ୟ ଗଣେଶ ବିସର୍ଜନ ଶୋଭାଯାତ୍ରା ବାହାରିଥିଲା। ବାଜା-ରୋଷଣୀ ଓ ଧାର୍ମିକ ଉତ୍ସାହ ମଧ୍ୟରେ ବାହାରିଥିବା ଏହି ଶୋଭାଯାତ୍ରାରେ ବିପୁଳ ସଂଖ୍ୟାରେ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ।ଶୋଭାଯାତ୍ରା ସମୟରେ ବିଭିନ୍ନ ରାଜ୍ୟରୁ ଆସିଥିବା ଝାଙ୍କି କଳାକାରମାନେ ଆକର୍ଷଣୀୟ ପ୍ରଦର୍ଶନ କରି ଲୋକଙ୍କ ମନ ମୋହି ନେଇଥିଲେ। ରଙ୍ଗବେରଙ୍ଗର ଝାଙ୍କି ଓ କଳାକାରଙ୍କ ପ୍ରଦର୍ଶନ ଦେଖିବା ପାଇଁ ରାସ୍ତାର ଦୁଇ ପାଶ୍ୱର୍ରେ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା। ସେହିପରି ମଙ୍ଗଳ ଭବନ ସମ୍ମୁଖ ଶିବାଜୀ ମାର୍ଗ ଗଣେଶ ପୂଜା କମିଟି ଓ ଡେଲି ମାର୍କେଟ୍ ନବଯୁବକ ସଂଘ ଗଣେଶ ପୂଜା ସମିତି ସମେତ ଅନ୍ୟାନ୍ୟ ଗଣେଶ ପୂଜା କମିଟି ପକ୍ଷରୁ ବିସର୍ଜନ ଶୋଭାଯାତ୍ରା ବାହାର କରାଯାଇଥିଲା, ଯେଉଁଥିରେ ପୂଜା କମିଟିର କର୍ମକର୍ତ୍ତା ଓ ସଦସ୍ୟମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।ସମ୍ପୂର୍ଣ୍ଣ ଆୟୋଜନ ସମୟରେ ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷାର କଡ଼ା ବ୍ୟବସ୍ଥା କରାଯାଇଥିଲା। ପୁଲିସ କର୍ମଚାରୀଙ୍କ ନଜରରେ ଶୋଭାଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ଆଗକୁ ବଢ଼ିଥିଲା। ଶ୍ରଦ୍ଧାଳୁମାନେ ଭକ୍ତିଭାବର ସହ ଗଣପତି ବାପ୍ପାଙ୍କୁ ବିଦାୟ ଦେଇଥିଲେ। ଅନ୍ୟପଟେ ରାଉରକେଲା ମହାନଗର ନିଗମ ପକ୍ଷରୁ ବାଲୁଘାଟସ୍ଥିତ କୃତ୍ରିମ ପୋଖରୀରେ କ୍ରେନ୍ ସାହାଯ୍ୟରେ ଭଗବାନ ଗଣେଶଙ୍କ ପ୍ରତିମା ବିସର୍ଜନ କରାଯାଇଥିଲା, ଯେଉଁଠାରେ ବିଭିନ୍ନ ଗଣେଶ ପୂଜା କମିଟିର କର୍ମକର୍ତ୍ତା ଓ ସଦସ୍ୟଙ୍କ ଭିଡ଼ ଦେଖିବାକୁ ମିଳିଥିଲା।


