ବୀରମିତ୍ରପୁର:୨୬/୯,(ଉତ୍କଳ ସମାଚାର)ସୁନ୍ଦରଗଡ଼ ଜିଲ୍ଲାରେ ହାତୀ ଉପଦ୍ରବ ଘଟଣା ଦିନକୁ ଦିନ ସ୍ଥାନୀୟ ଲୋକଙ୍କ ଚିନ୍ତାର କାରଣ ପାଲଟିଛି। ଆଜି ସକାଳେ ବୀରମିତ୍ରପୁରର ରାୟବଗା ଅଞ୍ଚଳରେ ଆଉ ଏକ ହାତୀ ଆକ୍ରମଣ ଘଟଣାରେ ଜଣେ ୬୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟବଗା ଥାନା ଅନ୍ତର୍ଗତ ଝୁନମୁରରେ ସିରିନ୍ କୁଲୁ ନାମକ ଜଣେ ୬୫ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଏକ ଦନ୍ତା ହାତୀ ଦଳି ଦେଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୮ଟା ସମୟରେ ଦନ୍ତା ହାତୀ ଆକ୍ରମଣର ଶୀକାର ହୋଇଥିବା ସିରିନ୍ ତାଙ୍କ କୃଷି କ୍ଷେତ୍ରକୁ ଯାଉଥିବା ସମୟରେ ଏହି ଘଟଣା ଘଟିଥିଲା। ଦନ୍ତା ହାତୀ ତାଙ୍କୁ ଆକ୍ରମଣ କରିବା ପରେ ଯଦିଓ ସେ ପଳାଇବାକୁ ଚେଷ୍ଟା କରିଥିଲେ, ଦନ୍ତା ହାତୀ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଦଳି ହତ୍ୟା କରିଥିଲା। ସ୍ଥାନୀୟ ଲୋକମାନଙ୍କ ସୂଚନା ଅନୁସାରେ ଦଳରୁ ଅଲଗା ହୋଇଥିବା ଏକୁଟିଆ ଦନ୍ତା ହାତୀଟି ଗତ କିଛି ଦିନ ଧରି ବୀରମିତ୍ରପୁର ଏବଂ ରାୟବଗା ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଛି। ଏହି ସଦ୍ୟତମ ଘଟଣା ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଭୟ ଏବଂ ଆତଙ୍କ ସୃଷ୍ଟି କରିଛି। ସରକାରଙ୍କ ନିୟମ ବଡ ବିଚିତ୍ର ! ବନ୍ୟଜନ୍ତୁ ହାତୀକୁ ସୁରକ୍ଷା ଦେବାକୁ ଯାଇ ଆଇନ୍ ଗଢିଛନ୍ତି। ବନ ବିଭାଗ ହାତରେ ଆଇନ୍ ରହିଛି ହାତୀଙ୍କୁ ସୁରକ୍ଷା ଦେବା ପାଇଁ, ହାତୀ ଆକ୍ରମଣରେ ମଣିଷର ଜୀବନ ବିପନ୍ନ ହେଲେ ବନ ବିଭାଗ ମଣିଷକୁ ସୁରକ୍ଷା ଯୋଗାଇ ନପାରି ହାତ ଟେକି ଦେଉଛି। କାରଣ ବନ ବିଭାଗରେ କାର୍ଯ୍ୟ କରୁଥିବା କର୍ମଚାରୀ ମଧ୍ୟ ମଣିଷ ! ମଣିଷ-ହାତୀ ସଂଘର୍ଷକୁ ରୋକିବା ଏବଂ ସ୍ଥାନୀୟ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଦନ୍ତା ହାତୀଟିକୁ ଜଙ୍ଗଲ ଭିତରକୁ ଘଉଡ଼ାଇ ଦେବାକୁ ଗ୍ରାମବାସୀମାନେ ବନ ବିଭାଗକୁ ଅନୁରୋଧ କରିବା ପରେ, ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ପୋଲିସ ବିଭାଗ ପକ୍ଷରୁ ମଧ୍ୟ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି।

