ରାଉରକେଲା:26//9,(ଉତ୍କଳ ସମାଚାର) କୋର୍ଟ ପ୍ୟାରବିକାରଙ୍କ କର୍ତ୍ତବ୍ୟ ଏବଂ ଦାୟିତ୍ଵକୁ ନେଇ ଆଜି ପଶ୍ଚିମାଞ୍ଚଳ ପୋଲିସ୍ ରେଞ୍ଜ ପକ୍ଷରୁ ରାଉରକେଲା ସେକ୍ଟର-୨୦ ରାଉରକେଲା କ୍ଲବ୍ ଠାରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୋର୍ଟରେ ବିଚାରର ପ୍ରଗତି ଉପରେ ନଜର ରଖିବା, ଦଣ୍ଡବିଧାନ ହାରରେ ବୃଦ୍ଧି ଏବଂ ତଦନ୍ତକୁ ସ୍ଵଚ୍ଛ କରିବା ଏବଂ କ୍ଷିପ୍ରତା ଆଣିବା ଲକ୍ଷ୍ୟ ନେଇ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିରେ ପଶ୍ଚିମାଞ୍ଚଳ ରେଞ୍ଜର ପୋଲିସ୍ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବା ସହିତ ଫିଡ୍ ବେକ୍ ଦେବା ପାଇଁ ପ୍ରଶ୍ନ କରାଯାଇଥିଲା। ତଦନ୍ତ ପରେ ପୋଲିସ୍ ପକ୍ଷରୁ କୋର୍ଟକୁ ଚାର୍ଜସିଟ୍ ଦିଆଯିବା ପରେ, ପୋଲିସର ଦାୟିତ୍ବବୋଧ କ’ଣ ରହିଛି, ସେ ବିଷୟରେ ପୋଲିସ୍ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବା ସହିତ ଦଣ୍ଡହାର ବୃଦ୍ଧିକୁ ନେଇ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଆଜିର ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ବ୍ରିଜେଶ କୁମାର ରାୟ, ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ଓ୍ବାଧଓ୍ବାନୀଙ୍କ ସମେତ ରାଉରକେଲା ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟର ପବ୍ଲିକ୍ ପ୍ରସିକ୍ଯୁଟର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟ ଏବଂ ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ଓ୍ବାଧଓ୍ବାନୀ ଦୁଇ ପବ୍ଲିକ୍ ପ୍ରସିକ୍ଯୁଟରଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ବ୍ରିଜେଶ କୁମାର ରାୟ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଭାରତର ଅନ୍ୟାନ୍ୟ ରାଜ୍ୟରେ ଅପରାଧ ସହିତ ଜଡିତ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ୍ ପକ୍ଷରୁ ନିଆଯାଉଥିବା ତଦନ୍ତରେ ଦଣ୍ଡହାର ଅଧିକ ଥିବାବେଳେ ଓଡ଼ିଶାରେ ଏହି ହାର କମ୍ ରହିଛି। ତେଣୁ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦଣ୍ଡହାରକୁ ବୃଦ୍ଧି ପାଇଁ ପୋଲିସ ପକ୍ଷରୁ ତଦନ୍ତକୁ ପ୍ରାଥମିକତା ଦିଆଯାଇ ବୈଠକ କରାଯାଉଥିବା ବେଳେ, ବର୍ତ୍ତମାନ ଦଣ୍ଡହାରକୁ ବୃଦ୍ଧି ଉଦ୍ଦେଶ୍ୟରେ ବୈଠକ ଆୟୋଜିତ ହେବ।

