ସମ୍ବଲପୁର,୨୬/୦୯(ଉତ୍କଳ ସମାଚାର),(ସରୋଜ ସାହୁ): “ସମ୍ବନ୍ଧ” ମହିଳା ବୁଣାକାର ପ୍ରୋଡ୍ୟୁସର କମ୍ପାନୀ ଲିମିଟେଡର ଚତୁର୍ଥ ବାର୍ଷିକ ସାଧାରଣ ସଭା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସମ୍ପନ୍ନ ହୋଇଯାଇଛି । କମ୍ପାନୀର ଏହି ସାଧାରଣ ସଭାରେ ସମ୍ମାନିତ ପଦାଧିକାରୀ ଏବଂ ଅଂଶୀଦାର ମାନଙ୍କ ସହଭାଗିତା ତଥା ମୂଲ୍ୟବାନ ମାର୍ଗ ଦର୍ଶନରେ ପରିଚାଳିତ ହୋଇଥିଲା। ଏଥିରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ପାତ୍ର , ଜିଲ୍ଲା ପ୍ରକଳ୍ପ ପରିଚାଳକ ଓଡ଼ିଶା ଜୀବିକା ମିଶନ ସମ୍ବଲପୁର ସଞ୍ଜୟ କୁମାର ମହାପାତ୍ର , ଯୁଗ୍ମ ମୁଖ୍ୟ କାର୍ଯ ନିର୍ବାହୀ ଅଧିକାରୀ ଶ୍ରିମନ୍ତ ହୋତା, ଜିଲ୍ଲା ପ୍ରକଳ୍ପ ସଂଯୋଜକ ମିଶନ ଶକ୍ତି ଭାରତୀ ବେଶ୍ରା ଓ ବୈଷୟିକ ସହାୟକ ବୟନ ଶିଳ୍ପ ବିଭାଗ ସମ୍ବଲପୁର ବୈଦ୍ୟନାଥ ଷଣ୍ଢ ପ୍ରମୁଖ ଯୋଗ ଦେଇଥିଲେ ।ଏହି ସଭାରେ ଗତ ବର୍ଷର ଆର୍ଥିକ ହିସାବ ସମୀକ୍ଷା କରିବା ସହ ଆଗାମୀ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ଯୋଜନା କରା ଯାଇଥିଲା । ବର୍ତ୍ତମାନର ଡିଜିଟାଲ୍ ଯୁଗରେ କେବଳ ସ୍ଥାନୀୟ ବଜାରରେ ସୀମିତ ନ ରହି ଇ-କମର୍ସ, ଜାତୀୟ ଓ ଆନ୍ତର୍ଜାତୀୟ ପ୍ରଦର୍ଶନୀ, ଡିଜିଟାଲ୍ ମାର୍କେଟ୍ ଓ ସୋସିଆଲ ମିଡିଆ ମାଧ୍ୟମରେ ଆମର ଏହି ସୁନ୍ଦର ସମ୍ବଲପୁରୀ ସାମଗ୍ରୀକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଆଲୋଚନା କରାଯାଇଥିଲା ଏବଂ କମ୍ପାନୀ କାର୍ଯ୍ୟାଳୟ ପରିସରରେ ବିକ୍ରୟ କେନ୍ଦ୍ର ପ୍ରତିଷ୍ଠା ପାଇଁ ମଧ୍ୟ ନିଷ୍ପତି ନିଆ ଯାଇଥିଲା । ସମସ୍ତେ ଭଲ କାମ କରି କମ୍ପାନୀର ଉତ୍ପାଦନ ବଢାଇ ସମସ୍ତେ ଲକ୍ଷ୍ ପତି ଦିଦି ହେବା ପାଇଁ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପରାମର୍ଶ ଦେଇଥିଲେ । ବିଭିନ୍ନ ଜିଲ୍ଲା ସ୍ତରୀୟ ମେଳା ଓ ରାଜ୍ୟରେ ହେଉଥିବା ସାରସ ମେଳାରେ ଭାଗ ନେଇ ବିକ୍ରି କରିବା ପାଇଁ ଜିଲ୍ଲା ପ୍ରକଳ୍ପ ପରିଚାଳକ ପରାମର୍ଶ ଦେଇଥିଲେ । କମ୍ପାନୀ ପରିଚାଳନା ମଣ୍ଡଳୀର ଅଧ୍ୟକ୍ଷ ଭୂମିଶୁତା ମେହେର ସମସ୍ତଙ୍କ ପ୍ରଚେଷ୍ଟାରେ ଏବର୍ଷ ଭଲ ବ୍ୟବସାୟ କରିବେ ବୋଲି କହିଥିଲେ । ଏହି ସଭାକୁ କମ୍ପାନୀର ମୁଖ୍ୟ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ପରିଚାଳନା କରିଥିଲେ ଓ ବୈଷୟିକ ସହଯୋଗୀ ସଂସ୍ଥା ଏଫ୍ ଡି ଆର୍ ଭି ସି ର ଜିଲ୍ଲା ଅଧିକାରୀ ରଜତ କୁମାର ଧନ୍ୟବାଦ୍ ଅର୍ପଣ କରିଥିଲେ ।

