ସମ୍ବଲପୁର,୨୬/୦୯(ଉତ୍କଳ ସମାଚାର),(ସରୋଜ ସାହୁ): ସମ୍ବଲପୁର ଜିଲ୍ଲା ମେଘପାଳକୁ ସବୁଜ ସୁନ୍ଦର ପଞ୍ଚାୟତ ଭାବେ ଗଢି ତୋଳିବାକୁ ସଂକଳ୍ପ ନିଆଯାଇଛି। ଏଭଳିସ୍ଥଳେ ବ୍ୟାପକ ଚାରାରୋପଣ କରାଯାଇଛି। ଶୁକ୍ରବାର ଲାଇନପଡା ଖେଳ ପଡିଆ ଓ ରାସ୍ତାପାର୍ଶ୍ୱରେ ଆମ୍ବ, ଅଶୋକ, କରଞ୍ଜ, ଛତିଆନ, ଅଁଳା, ଆତ ଓ ଚାମ୍ପୁଆ ଆଦି ଚାରାରୋପଣ କରାଯାଇଥିଲା। ଏଥିସହ ସ୍ଥାନୀୟ ଅଧିବାସୀଙ୍କୁ ଚାରାର ରକ୍ଷଣାବେକ୍ଷଣ ଦାୟିତ୍ୱ ପ୍ରଦାନ କରାଯାଇଛି। ସରପଞ୍ଚ ମମତା ପ୍ରଧାନଙ୍କ ନେତୃତ୍ୱରେ ଏକ ପେଡ୍ ମାଆ କେ ନାମରେ ଚାରାରୋପଣ କରାଯାଇଥିଲା। ଭିବି ଜି ରାମ ଜୀ ଶ୍ରମିକ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଓ ମେଘପାଳ ହାଇସ୍କୁଲର ଛାତ୍ରଛାତ୍ରୀଙ୍କୁ ନେଇ ୭୦୦ ଚାରାରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମିତିସଭ୍ୟ ଲିଲିମା ଧରୁଆ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କରୁଣାକର ବାରିକ, କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ ସେଠ୍, ଏଡିଇଓ ଶୁଭେନ୍ଦୁ କୁମାର ମାଝୀ, ଫରେଷ୍ଟ ଗାର୍ଡ ମିଥୁନ କୁମାର ମଲ୍ଲିକ, ଗ୍ରାମସାଥୀ ଲବଙ୍ଗଲତା ପ୍ରଧାନ ଓ ରାଜେନ୍ଦ୍ର କୁମାର ସାହୁ ପ୍ରମୁଖ ସାମିଲ ଥିଲେ। ସୂଚନାଯୋଗ୍ୟ, ପୂର୍ବେ ମାଓଗଡ଼ ଭାବେ ପରିଚିତ ମେଘପାଳ ଏବେ ସବୁଜ ସୁନ୍ଦର ପଞ୍ଚାୟତ ଭାବେ ପରିଚିତ ହେଉଛି। ପ୍ରତିବର୍ଷ ଗ୍ରାମ ପଞ୍ଚାୟତ ପକ୍ଷରୁ ଚାରାରୋପଣ କରାଯାଉଛି। ଗତବର୍ଷ ମେଘପାଳ ଓ ପାନପୋଷୀ ଖେଳ ପଡିଆରେ ୫୦୦ ଚାରାରୋପଣ ଲଗାଯାଇଥିଲା। ଗ୍ରାମବାସୀଙ୍କ ସହଯୋଗ ଓ ପଞ୍ଚାୟତର ଉଦ୍ୟମ ଯୋଗୁଁ ସମସ୍ତ ଚାରା ବଢ଼ିବାରେ ଲାଗିଛି। ଯାହା ତାଙ୍କ ଲକ୍ଷ୍ୟ ପୂରଣ ପାଇଁ ବେଶ ସହାୟକ ହେବ ବୋଲି ଆଶା କରାଯାଉଛି।

