ସମ୍ବଲପୁର,୨୬/୦୯(ଉତ୍କଳ ସମାଚାର),(ସରୋଜ ସାହୁ):ସମ୍ବଲପୁରବାସୀଙ୍କ ବିଭିନ୍ନ ଦାବି ଓ ମୌଳିକ ସମସ୍ୟା ମହାମହିମ ରାଷ୍ଟ୍ରପତିଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟରେ ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ଇଂ. ରୋହିତ ପୂଜାରୀ ଦ୍ୱିତୀୟ ପର୍ଯ୍ୟାୟରେ ପୋଷ୍ଟକାର୍ଡ ଓ ଜନସଚେତନତା ଅଭିଯାନ କରିଛନ୍ତି। ୱାର୍ଡ ନମ୍ବର ୨୪ର କୁଞ୍ଜଳପଡ଼ାରେ ଘରକୁ ଘର ବୁଲି ସେ ଲୋକଙ୍କ ସମସ୍ୟା ଶୁଣିବା ସହ ପୋଷ୍ଟକାର୍ଡରେ ଦସ୍ତଖତ ସଂଗ୍ରହ କରିଥିଲେ। ଏଥିସହ କିଛି ସ୍ଥାନୀୟ ସମସ୍ୟା ସମ୍ପର୍କରେ ମହାନଗର କମିଶନରଙ୍କୁ ଫୋନ ଯୋଗେ ଅବଗତ କରିଥିଲେ। ଅଭିଯାନରେ ସମ୍ବଲପୁରରେ ଏମ୍ସ , ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ, ସମ୍ବଲପୁରୀ ଭାଷାକୁ ସରକାରୀ ମାନ୍ୟତା, ସ୍ୱଚ୍ଛ ପାନୀୟ ଜଳ, ଉନ୍ନତ ରାସ୍ତା, ଡ୍ରେନେଜ୍ ଓ ୨୪×୭ ବିଦ୍ୟୁତ୍ ଯୋଗାଣ ଭଳି ଦାବି ସାମିଲ ରହିଛି। କାର୍ଯ୍ୟକ୍ରମରେ ଦଳୀୟ ନେତା, ଯୁବ, ମହିଳା ଓ ଛାତ୍ର ନେତାଙ୍କ ସମେତ ବହୁ ସ୍ଥାନୀୟ ବାସିନ୍ଦା ଯୋଗଦେଇଥିଲେ

