ସମ୍ବଲପୁର,୨୬/୦୯(ଉତ୍କଳ ସମାଚାର),(ସରୋଜ ସାହୁ):ରାଜ୍ୟରେ ସମବାୟ ଆନ୍ଦୋଳନକୁ ସୁଦୃଢ଼ କରିବା ଏବଂ ଚାଷୀ ତଥା ସାଧାରଣ ଲୋକଙ୍କ ଆର୍ଥିକ ଉନ୍ନତିକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ରାଜଧାନୀ ଭୁବନେଶ୍ୱରରୁ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟସ୍ତରୀୟ ‘ସମ୍ବନ୍ଧ’ ଅଭିଯାନର ଶୁଭାରମ୍ଭ କରିବା ସହ ସମ୍ବଲପୁର ଜିଲ୍ଲାର ବହୁବିଧ ସମବାୟ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦ୍ଘାଟନ କରିଛନ୍ତି। ଜିଲ୍ଲାର କୃଷି ଓ ସମବାୟ ଭିତ୍ତିଭୂମିର ସୁଦୃଢ଼ୀକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ ୭ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଏହି କାର୍ଯ୍ୟକ୍ରମରେ ଵୀରସିଂହଗଡ଼ ସେବା ସମବାୟ ସମିତି ଏବଂ କେଶାପାଲି ସେବା ସମବାୟ ସମିତିର ଧାନ କ୍ରୟ କେନ୍ଦ୍ର ଭିତ୍ତିଭୂମି ସ୍ଥାପନ କରାଯାଇଛି। ଏହା ସହିତ ବିଶ୍ୱର ସର୍ବବୃହତ ଶସ୍ୟାଗାର ଯୋଜନାରେ ରେଢ଼ାଖୋଲ ଅନ୍ତର୍ଗତ ବାଟଗାଁ ପ୍ୟାକ୍ସଠାରେ ଗୋଦାମ ଗୃହ ନିର୍ମାଣର ଶୁଭାରମ୍ଭ ହେବା ସହ କିସିଣ୍ଡା ପ୍ରାଥମିକ କୃଷି ସମବାୟ ସମିତିର ନୂତନ କାର୍ଯ୍ୟାଳୟ ଓ ୫୦ ମେଟ୍ରିକ ଟନ୍ କ୍ଷମତା ବିଶିଷ୍ଟ ଗୋଦାମ ଗୃହ, ଏବଂ କେଶାଇବାହାଲ ଓ ପାରୁଆଭାଟିଠାରେ ବୃହଦାକାର ବହୁମୁଖୀ ଆଦିବାସୀ ସମବାୟ ସମିତିର ନୂତନ କାର୍ଯ୍ୟାଳୟ ତଥା ଗୋଦାମ ଗୃହର ଶୁଭ ଉଦ୍ଘାଟନ ସମ୍ପନ୍ନ ହୋଇଛି।ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର ନିଜ ବକ୍ତବ୍ୟରେ କହିଥିଲେ ଯେ ଜିଲ୍ଲାରେ ପ୍ରାୟ ୮ ଲକ୍ଷ ଭୋଟର ଥିବା ବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୧ ଲକ୍ଷ ୬୦ ହଜାର ଲୋକ ସମବାୟ ସମିତିର ସଦସ୍ୟ ରହିଛନ୍ତି। ତେଣୁ ‘ସମର୍ଥ’ ଅଭିଯାନ ମାଧ୍ୟମରେ ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତିଙ୍କ ନିକଟରେ ପହଞ୍ଚି ସଦସ୍ୟତା ବୃଦ୍ଧି କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ। ପୁଞ୍ଜି ଅଭାବରୁ ଯେପରି କୌଣସି ଚାଷୀ କିମ୍ବା ଉଦ୍ୟୋଗୀ ବେସରକାରୀ ସାହୁକାରଙ୍କ ଦ୍ୱାରସ୍ଥ ନ ହୁଅନ୍ତି, ସେଥିପାଇଁ ପ୍ୟାକ୍ସ ଓ ଲ୍ୟାମ୍ପସ ଜରିଆରେ ସୁଲଭ ଋଣ, ସାର, ବିହନ ଏବଂ ଜଳସେଚନ ବ୍ୟବସ୍ଥା ଉପଲବ୍ଧ କରାଯିବ। ଆଗାମୀ ଦିନରେ ଏହି ସମିତିଗୁଡ଼ିକୁ ବହୁମୁଖୀ ସେବା କେନ୍ଦ୍ରରେ ପରିଣତ କରାଯିବ ବୋଲି ପ୍ରକାଶ କରିବା ସହ ଜିଲ୍ଲାର ସମସ୍ତ ଚାଷୀ, ଯୁବବର୍ଗ ଓ ମହିଳାମାନଙ୍କୁ ସମବାୟ ସମିତିର ସଦସ୍ୟତା ଗ୍ରହଣ କରି ସରକାରୀ ସୁବିଧାର ଲାଭ ଉଠାଇବାକୁ ସେ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ବୈଠକରେ ସମ୍ବଲପୁର ସାସଂଦଙ୍କ ପ୍ରତିନିଧି ନାଉରି ନାୟକ, ବିଧାୟକ ସମ୍ବଲପୁର ଙ୍କ ପ୍ରତିନିଧି ସମୀର ବାବୁ, ଡିଆରସିଏସ ଙ୍କ ସମେତ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ I

