ନବରଙ୍ଗପୁର,27//9,(ଉତ୍କଳ କାମାଚାର):ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ନବରଙ୍ଗପୁର ଜିଲ୍ଲାର ପର୍ଯ୍ୟଟନସ୍ଥଳୀ, ସମୃଦ୍ଧ ଐତିହ୍ୟ ଓ ବିବିଧ ସଂସ୍କୃତିର ପ୍ରଚାର ଓ ପ୍ରସାର ସହ ଯୁବବର୍ଗଙ୍କ ମଧ୍ୟରେ ପର୍ଯ୍ୟଟନ ପ୍ରତି ଆଗ୍ରହ ସୃଷ୍ଟି ଉଦ୍ଦେଶ୍ୟରେ ଆଜି ନବରଙ୍ଗପୁରଠାରେ ୫ କିମି ପ୍ରମୋ ରନ୍ ଅନୁଷ୍ଠିତ ହୋଇଛି।ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷ ପ୍ରାଙ୍ଗଣରୁ ଏହି ପ୍ରମୋ ରନ୍ ଆରମ୍ଭ ହୋଇ ମା’ ଭଣ୍ଡାରଘରଣୀ ମନ୍ଦିର ଦେଇ ପୁନର୍ବାର ମିଶନ ଶକ୍ତି ସମ୍ମିଳନୀ କକ୍ଷ ପ୍ରାଙ୍ଗଣରେ ଶେଷ ହୋଇଥିଲା।ଜିଲ୍ଲାପାଳ ଡଃ ମହେଶ୍ୱର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରମୋ ରନ୍ର ଶୁଭାରମ୍ଭ କରିଥିବା ବେଳେ ଏଥିରେ ୨୦୦ରୁ ଊର୍ଦ୍ଧ୍ୱ ଧାବକ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।ପ୍ରକୃତି, ପରମ୍ପରା, ଐତିହ୍ୟ ଓ ଆଦିବାସୀ ସଂସ୍କୃତିର ଅପୂର୍ବ ସମନ୍ୱୟ ନବରଙ୍ଗପୁର ଜିଲ୍ଲାର ବିଶେଷତା। ଚନ୍ଦନଧାରା ଜଳପ୍ରପାତ, ମା’ ଭଣ୍ଡାରଘରଣୀ ମନ୍ଦିର, ଉମରକୋଟ ଆଦି ପର୍ଯ୍ୟଟନସ୍ଥଳୀ ସହ ଅବିଭକ୍ତ କୋରାପୁଟ ଅଞ୍ଚଳର ଦେଓମାଳୀ, ଡୁଡୁମା ଜଳପ୍ରପାତ, ଗୁପ୍ତେଶ୍ୱର, କୋଲାବ, ଜଲାପୁଟ, ଶାବର ଶ୍ରୀକ୍ଷେତ୍ର, ନନ୍ଦପୁର ଓ ମାଲିଗୁଡ଼ା ପରି ସ୍ଥାନଗୁଡ଼ିକ ପ୍ରକୃତି ଓ ଐତିହ୍ୟର ଅନନ୍ୟ ପରିଚୟ ବହନ କରିଥାଏ।ତେଣୁ ଅବିଭକ୍ତ କୋରାପୁଟ ଅଞ୍ଚଳ ତଥା ନବରଙ୍ଗପୁର ଜିଲ୍ଲାର ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟ, ସମୃଦ୍ଧ ଐତିହ୍ୟ ଓ ବିବିଧ ସଂସ୍କୃତିକୁ ଆବିଷ୍କାର, ଅନୁଭବ ଓ ସଂରକ୍ଷଣ କରିବା ସହ ପର୍ଯ୍ୟଟନର ପ୍ରଚାର-ପ୍ରସାର, ଯୁବବର୍ଗଙ୍କ ସକ୍ରିୟ ଅଂଶଗ୍ରହଣ ଏବଂ ସ୍ୱଚ୍ଛତା, ସୁରକ୍ଷା ଓ ପର୍ଯ୍ୟଟକଙ୍କ ପ୍ରତି ଉତ୍ତମ ଆତିଥ୍ୟର ବାର୍ତ୍ତା ପ୍ରସାର କରିବା ଏହି ପ୍ରମୋ ରନ୍ର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଡଃ ପ୍ରମୋଦ କୁମାର ପୃଷ୍ଟି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଗାମୀ ୧୩ ଡିସେମ୍ବରରେ ପୁରୀଠାରେ ଆୟୋଜିତ ହେବାକୁ ଥିବା ପୁରୀ କୋଷ୍ଟାଲ ବିଚ୍ ମାରାଥନ୍/ପ୍ରମୋ ରନ୍ରେ ନବରଙ୍ଗପୁର ଜିଲ୍ଲାରୁ ଅଧିକ ସଂଖ୍ୟକ ଧାବକ ଅଂଶଗ୍ରହଣ କରି ଜିଲ୍ଲାର ସମୃଦ୍ଧ ଐତିହ୍ୟ, ପର୍ଯ୍ୟଟନସ୍ଥଳୀ ଓ ସଂସ୍କୃତିର ପ୍ରଚାର-ପ୍ରସାରରେ ସହଭାଗୀ ହେବାକୁ ଆହ୍ୱାନ ଜଣାଇଥିଲେ।ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଆୟୋଜିତ ଏହି ପ୍ରମୋ ରନ୍ ମାଧ୍ୟମରେ ନବରଙ୍ଗପୁରର ପର୍ଯ୍ୟଟନ ସମ୍ଭାବନାକୁ ବ୍ୟାପକ ଭାବେ ପ୍ରଚାର କରିବା ସହ ଏକ ସ୍ୱଚ୍ଛ, ସୁରକ୍ଷିତ ଓ ପର୍ଯ୍ୟଟକ-ଅନୁକୂଳ ପରିବେଶ ଗଠନ ପାଇଁ ସାମୂହିକ ସହଭାଗିତାର ବାର୍ତ୍ତା ଦିଆଯାଇଥିଲା।

