ନବରଙ୍ଗପୁର,27//9,(ଉତ୍କଳ କାମାଚାର)ଜନସାଧାରଣଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ ସୃଷ୍ଟି ହୋଇଥିବା ବର୍ଷାଜନିତ ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଛି। ପ୍ରଭାବିତ ଅଞ୍ଚଳଗୁଡ଼ିକରେ ସ୍ଥିତି ଅନୁଧ୍ୟାନ, ଲୋକଙ୍କ ଉଦ୍ଧାର ଓ ସ୍ଥାନାନ୍ତର, ରିଲିଫ୍ ଏବଂ ଆବଶ୍ୟକ ସହାୟତା ଯୋଗାଣ ସହିତ ଯୋଗାଯୋଗ ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ପ୍ରଶାସନର ବିଭିନ୍ନ ସ୍ତରର ଅଧିକାରୀ ଓ କ୍ଷେତ୍ରସ୍ତରୀୟ କର୍ମଚାରୀ ନିରନ୍ତର କାର୍ଯ୍ୟ କରୁଛନ୍ତି।ଜିଲ୍ଲାପାଳ ଡଃ ମହେଶ୍ୱର ସ୍ୱାଇଁଙ୍କ ନେତୃତ୍ୱ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ଅଧିକାରୀ ଶ୍ରୀ ଅମୀୟ କୁମାର ସାହୁଙ୍କ ସମନ୍ୱୟରେ ଜିଲ୍ଲାର ବରିଷ୍ଠ ଅଧିକାରୀ, ଉପଖଣ୍ଡ ଓ ବ୍ଲକ୍ ସ୍ତରୀୟ ଅଧିକାରୀ, ତହସିଲଦାର ଏବଂ କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ବର୍ଷାଜନିତ କ୍ଷୟକ୍ଷତିର ଆକଳନ, ଜଳବନ୍ଦୀ ଅଞ୍ଚଳର ସ୍ଥିତି, ଯୋଗାଯୋଗ ବ୍ୟବସ୍ଥା ଏବଂ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟର ସମୀକ୍ଷା ସହ ଆବଶ୍ୟକ ସହାୟତା ସାମଗ୍ରୀ ପହଞ୍ଚାଇବା ପାଇଁ ତ୍ୱରିତ ପଦକ୍ଷେପ ନିଆଯାଉଛି।ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାପ୍ତ ହୋଇଥିବା କଲାମିଟି ସିଚୁଏସନ୍ ରିପୋର୍ଟ ଅନୁଯାୟୀ, ନବରଙ୍ଗପୁର ଜିଲ୍ଲାର ସାମଗ୍ରିକ ପରିସ୍ଥିତି ସ୍ଥିର ରହିଥିବାବେଳେ ପୂର୍ବ ରିପୋର୍ଟ ତୁଳନାରେ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହୋଇଛି। କୋଷାଗୁମୁଡା ଓ ନବରଙ୍ଗପୁର ବ୍ଲକ୍କୁ ନିକଟରୁ ନଜରରେ ରଖାଯାଇଛି। ମାତ୍ରାଧିକ ବର୍ଷା ଏବଂ ଡ୍ୟାମ୍ରୁ ଜଳ ନିଷ୍କାସନର ମିଳିତ ପ୍ରଭାବରେ ୨ଟି ବ୍ଲକ୍, ୨୦ଟି ଗ୍ରାମ ପଞ୍ଚାୟତ ଓ ୧ଟି ପୌରାଞ୍ଚଳ, ୩୯ଟି ଗ୍ରାମ ଓ ୭ଟି ୱାର୍ଡ ପ୍ରଭାବିତ ହୋଇଛି। ଏହାଦ୍ୱାରା ୨୦,୨୨୩ ଜଣ ଲୋକ ପ୍ରଭାବିତ ହୋଇଥିବାବେଳେ ୭,୧୪୩ ଜଣ ଜଳବନ୍ଦୀ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୬,୧୪୩ ଜଣଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇ ୨୨ଟି ଆଶ୍ରୟସ୍ଥଳୀରେ ରଖାଯାଇଛି। ଆଶ୍ରୟସ୍ଥଳୀଗୁଡ଼ିକରେ ୨୨ଟି ମାଗଣା ରୋଷେଇ କେନ୍ଦ୍ର କାର୍ଯ୍ୟକ୍ଷମ ରହିଛି। ଏପର୍ଯ୍ୟନ୍ତ କୌଣସି ମାନବ ମୃତାହତ ହୋଇନାହିଁ, ତେବେ ୧୫୮ଟି ଘର କ୍ଷତିଗ୍ରସ୍ତ ହୋଇଛି। କୌଣସି ବନ୍ଧ ଭାଙ୍ଗିବା ଘଟଣା ରିପୋର୍ଟ ହୋଇନାହିଁ। ଫସଲ ଓ ପଶୁସମ୍ପଦ କ୍ଷୟକ୍ଷତିର ଆକଳନ ଜାରି ରହିଛି। ଜରୁରୀକାଳୀନ ଉଦ୍ଧାର, ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ୪ଟି ଅଡ୍ରାଫ ଟିମ୍ ଓ ୪ଟି ଅଗ୍ନିଶମ ବାହିନୀ ଟିମ୍ ମୁତୟନ ରହିଛନ୍ତି।ଆଜି ଜିଲ୍ଲାପାଳ ଡଃ ମହେଶ୍ୱର ସ୍ୱାଇଁ ଏବଂ ଆରକ୍ଷୀ ଅଧୀକ୍ଷକ ଶ୍ରୀ କଷ୍ୟପ ପାର୍ଥ ଜଗଦୀଶ କୋଷାଗୁମୁଡା ବ୍ଲକ୍ ଓ ନବରଙ୍ଗପୁର ମୁନିସିପାଲିଟି ଓ ବ୍ଳକର ବିଭିନ୍ନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ସହ ଲୋକଙ୍କ ସୁରକ୍ଷା ଓ ସୁବିଧା ପାଇଁ ଆବଶ୍ୟକ ସମସ୍ତ ବ୍ୟବସ୍ଥା ସୁନିଶ୍ଚିତ କରିବା ସହ ଜରୁରୀ ପରିସ୍ଥିତିରେ ତ୍ୱରିତ ପଦକ୍ଷେପ ନେବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ଏହି କ୍ରମରେ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ଅଧିକାରୀ ଶ୍ରୀ ଅମୀୟ କୁମାର ସାହୁ କୋଷାଗୁମୁଡା ବ୍ଲକ୍ ଅନ୍ତର୍ଗତ ଚିରମା ଗ୍ରାମ ପଞ୍ଚାୟତର ମୁଣ୍ଡାଗୁଡା ପ୍ରାଥମିକ ବିଦ୍ୟାଳୟ, ଚିରମା ନୂତନ ପ୍ରାଥମିକ ବିଦ୍ୟାଳୟର ଆଶ୍ରୟସ୍ଥଳୀ, ଚିରମା ଘାଟ, ସାନଆମ୍ବା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ଆଶ୍ରୟସ୍ଥଳୀ, ବିଞ୍ଜିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଞ୍ଜିଲି ଉଚ୍ଚ ବିଦ୍ୟାଳୟର ବନ୍ୟା ବିପନ୍ନ ଆଶ୍ରୟସ୍ଥଳୀ, ଉକିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାରଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ଘାଟବାଉସୁଲି ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ।ପରିଦର୍ଶନ ସମୟରେ ଶ୍ରୟସ୍ଥଳୀଗୁଡ଼ିକରେ ଆବଶ୍ୟକ ଅନୁସଙ୍ଗିକ ବ୍ୟବସ୍ଥା, ଶୁଖିଲା ଖାଦ୍ୟ ସାମଗ୍ରୀ, ରନ୍ଧା ଖାଦ୍ୟ, ପାନୀୟ ଜଳ ଯୋଗାଣ ଏବଂ ଆଶୁ ଚିକିତ୍ସା ପାଇଁ ମେଡିକାଲ୍ ଟିମ୍ର ଉପସ୍ଥିତି ଯାଞ୍ଚ କରାଯାଇଥିଲା। ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କୁ ଆବଶ୍ୟକ ସୁବିଧା ଯୋଗାଇବା ଏବଂ ସେମାନଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ କାର୍ଯ୍ୟ କରିବାକୁ ଶ୍ରୀ ସାହୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଅନ୍ୟପକ୍ଷରେ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଶ୍ୱଜିତ ବର୍ମନ କୋଷାଗୁମୁଡା ବ୍ଲକ୍ ଅନ୍ତର୍ଗତ ଚିରମା ଗ୍ରାମ ପଞ୍ଚାୟତର ଖଣ୍ଡିବାଗଦୋରୀ,ଯୋଗାଣୀଗୁଡା, ଭାଟାଗୁଡା ଓ ବୁଗଲାହାଣ୍ଡି ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ଏଥିସହ ଇନ୍ଦ୍ରାବତୀ ନଦୀର ଅପର ପାର୍ଶ୍ୱରେ କୋରାପୁଟ ଜିଲ୍ଲାର କୋଟପାଡ଼ ବ୍ଲକ୍ ଅନ୍ତର୍ଗତ ଏ. ଘଟରଲା ଗ୍ରାମ ପରିଦର୍ଶନ କରି ସେଠାକାର ବର୍ଷାଜନିତ ପରିସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ।ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଉଦ୍ଧାର, ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର ପକ୍ଷରୁ ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର ସହ ସମନ୍ୱୟ ରକ୍ଷା କରି ପରିସ୍ଥିତିର ନିରନ୍ତର ନିରୀକ୍ଷଣ କରାଯାଉଛି। ତୃଣମୂଳ ସ୍ତରର ଅଧିକାରୀ ଓ ବିଭିନ୍ନ ଉଦ୍ଧାରକାରୀ ସଂସ୍ଥା ସହ ନିରନ୍ତର ସମନ୍ୱୟ ରଖାଯାଇ ଆବଶ୍ୟକ ପଦକ୍ଷେପ ନିଆଯାଉଛି।ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କ ସୁରକ୍ଷା, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି। ଆବଶ୍ୟକ ସ୍ଥଳେ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର, ଖାଦ୍ୟ, ପାନୀୟ ଜଳ, ଚିକିତ୍ସା ଓ ଅନ୍ୟାନ୍ୟ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଉଛି। ପରିସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ନହେବା ପର୍ଯ୍ୟନ୍ତ କ୍ଷେତ୍ରସ୍ତରରେ ପ୍ରଶାସନର ନିରନ୍ତର ନଜରଦାରି ଓ ତତ୍ପରତା ଜାରି ରହିବ।ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ସତର୍କ ରହିବା, ଅନାବଶ୍ୟକ ଭାବେ ଜଳମଗ୍ନ ଅଞ୍ଚଳ, ନଦୀ ଓ ଜଳାଶୟ ନିକଟକୁ ନଯିବା, ପ୍ରଶାସନ ପକ୍ଷରୁ ଜାରି ହେଉଥିବା ସରକାରୀ ସୂଚନା ଓ ନିର୍ଦ୍ଦେଶାବଳୀ ପାଳନ କରିବା ଏବଂ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ନିୟୋଜିତ ଟିମ୍ଗୁଡ଼ିକୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।

