ସମ୍ବଲପୁର,୨୭/୦୯(ଉତ୍କଳ ସମାଚାର),(ସରୋଜ ସାହୁ):ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର ଦିନିକିଆ ସମ୍ବଲପୁର ଗସ୍ତରେ ଆସି ଉତ୍ତରାଞ୍ଚଳ ରେଞ୍ଜର ଆଇନଶୃଙ୍ଖଳା ଓ ଅପରାଧ ସ୍ଥିତି ସମୀକ୍ଷା କରିଛନ୍ତି। ସମ୍ବଲପୁରସ୍ଥିତ ଉତ୍ତରାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିଥିବା ବୈଠକରେ ରେଞ୍ଜ ଅଧୀନର ୫ଟି ଜିଲ୍ଲାର ଏସ୍ପି ଓ ବରିଷ୍ଠ ପୋଲିସ ଅଧିକାରୀ ଯୋଗ ଦେଇଥିଲେ।ଗଣମାଧ୍ୟମକୁ ଡିଜିପି କହିଛନ୍ତି ଯେ ସାଇବର ଠକେଇ ରୋକିବା ପୋଲିସ ପାଇଁ ଏକ ବଡ଼ ଆହ୍ୱାନ। ପ୍ରତ୍ୟେକ ଜିଲ୍ଲାରେ ନୂଆ ସାଇବର ଥାନା ପ୍ରତିଷ୍ଠା ସହ ପୋଲିସ କର୍ମଚାରୀଙ୍କୁ ଆଧୁନିକ ଜ୍ଞାନକୌଶଳ ଓ ଉପକରଣ ଯୋଗାଇବା ଉପରେ ଗୁରୁତ୍ୱ ଦିଆଯାଉଛି। ସାଇବର ଠକେଇରେ ହରାଇଥିବା ଅର୍ଥ ଉଦ୍ଧାର କରି ଅଭିଯୋଗକାରୀଙ୍କୁ ଫେରାଇବା ପାଇଁ ‘ମନି ରିଷ୍ଟୋରେସନ୍ ମୋଡ୍ୟୁଲ୍’ ବ୍ୟବହାର କରାଯାଉଥିବା ସେ କହିଛନ୍ତି।ପଶ୍ଚିମ ଓଡ଼ିଶାରେ ନିଶା କାରବାର ଓ ଗଞ୍ଜେଇ ଚୋରା ଚାଲାଣ ରୋକିବା ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ ହୋଇଛି। ସମ୍ବେଦନଶୀଳ ରାସ୍ତାଗୁଡ଼ିକରେ ପାଟ୍ରୋଲିଂ ଓ ଯାଞ୍ଚ କଡ଼ାକଡ଼ି କରାଯାଉଥିବା ବେଳେ ଚୋରା କାରବାରରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ତଦନ୍ତ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିଛି ବୋଲି ଡିଜିପି ସୂଚନା ଦେଇଛନ୍ତି।ମାଓବାଦୀ ଗତିବିଧି ହ୍ରାସ ପାଇଥିଲେ ମଧ୍ୟ ଗ୍ରାମାଞ୍ଚଳ ଓ ସୀମାନ୍ତ ଅଞ୍ଚଳରେ ପୋଲିସ ସଜାଗ ରହିଛି। ଏଥିସହ ଅପରାଧ ମାମଲାରେ ଦୋଷୀ ସାବ୍ୟସ୍ତ ହାର ବୃଦ୍ଧି ଏବଂ ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇ ରଖିବା ପାଇଁ ସଚେତନତା ଓ ପରାମର୍ଶ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦିଆଯାଉଥିବା ସେ କହିଛନ୍ତି।

