ସମ୍ବଲପୁର,୨୯/୦୯(ଉତ୍କଳ ସମାଚାର),(ସରୋଜ ସାହୁ):ରେଢ଼ାଖୋଲ ରକ୍ତଭଣ୍ଡାର କେବେଠାରୁ ବନ୍ଦ ରହିଛି ଏବଂ ଏହା କେବେ ପୁନଃ କାର୍ଯ୍ୟକ୍ଷମ ହେବ, ସେନେଇ ବିରୋଧୀ ଦଳ ଉପ ନେତା ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ତାରକା ପ୍ରଶ୍ନ ମାଧ୍ୟମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କୁ ପଚାରିଥିଲେ। ଉତ୍ତରରେ ସ୍ୱାସ୍ଥ୍ୟମନ୍ତ୍ରୀ ଡା. ମୁକେଶ ମହାଳିଙ୍ଗ କହିଛନ୍ତି ଯେ ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ବର୍ତ୍ତମାନ ରକ୍ତ ସଂରକ୍ଷଣ କେନ୍ଦ୍ର କାର୍ଯ୍ୟକ୍ଷମ ଅଛି। ପୂର୍ଣ୍ଣାଙ୍ଗ ରକ୍ତଭଣ୍ଡାର ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ବିହିତ ପଦକ୍ଷେପ ନିଆଯାଉଥିବା ସେ ଜଣାଇଛନ୍ତି। ତେବେ ରକ୍ତଭଣ୍ଡାର କେବେଠାରୁ ବନ୍ଦ ଅଛି କିମ୍ବା କେଉଁ ତାରିଖ ସୁଦ୍ଧା ପୁନଃ କାର୍ଯ୍ୟକ୍ଷମ ହେବ, ସେନେଇ ମନ୍ତ୍ରୀଙ୍କ ଉତ୍ତରରେ କୌଣସି ନିର୍ଦ୍ଦିଷ୍ଟ ସୂଚନା ଦିଆଯାଇନାହିଁ।
