ସମ୍ବଲପୁର,୨୯/୦୯(ଉତ୍କଳ ସମାଚାର),(ସରୋଜ ସାହୁ): ଭାରତୀୟ ଜନତା ପାର୍ଟିର ସମ୍ବଲପୁର ଜିଲ୍ଲା ବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ବିରୋଧୀ ଦଳଙ୍କ ବିରୋଧରେ ଏକ ନିନ୍ଦା ପ୍ରସ୍ତାବ ଆଗତ ହୋଇଛି। ଏମ୍ଏମ୍ଡିଆର୍ ଆଇନ ଏବଂ ମାଧ୍ୟମିକ ଶିକ୍ଷାର ପାଠ୍ୟପୁସ୍ତକ ବଣ୍ଟନକୁ ନେଇ କଂଗ୍ରେସ ଓ ବିଜେଡି ଭିତ୍ତିହୀନ ଅପପ୍ରଚାର କରୁଥିବା ଦଳ ପ୍ରସ୍ତାବରେ ଅଭିଯୋଗ କରିଛି। ପ୍ରସ୍ତାବରେ ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନା, ସିଏମ୍ କିସାନ, ଅନ୍ତ୍ୟୋଦୟ ଗୃହ ଏବଂ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାର ଉଲ୍ଲେଖ କରାଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣ ଯୋଜନା ସମ୍ପର୍କରେ ବୁଥ୍ ସ୍ତରରେ ଲୋକଙ୍କୁ ସୂଚନା ଦେବା, ବିରୋଧୀଙ୍କ ଅଭିଯୋଗର ତଥ୍ୟଭିତ୍ତିକ ଜବାବ ଦେବା ଏବଂ ଜିଲ୍ଲାର ବିକାଶ କାର୍ଯ୍ୟକୁ ଆଗକୁ ନେବା ପାଇଁ କାର୍ଯ୍ୟକାରିଣୀ ସଂକଳ୍ପ ନେଇଛି। ରାମଚନ୍ଦ୍ର ମେହେର ବୈଠକରେ ସଭାପତିତ୍ୱ କରିଥିଲେ। ପୂର୍ବତନ ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ମନ୍ତ୍ରୀ ରବି ନାରାୟଣ ନାଏକ ଓ କୃଷ୍ଣ ଚନ୍ଦ୍ର ପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ ସାରଦା ପ୍ରସନ୍ନ ଶତପଥୀ ଏବଂ ରାଜ୍ୟ ସମ୍ପାଦକ ତଥା ସମ୍ବଲପୁର ଜିଲ୍ଲା ପ୍ରଭାରୀ କାଳିନ୍ଦୀ ସାମଲ ମଞ୍ଚାସୀନ ଥିଲେ। ନାଉରି ନାଏକ, ଦେବେନ୍ଦ୍ର ମହାପାତ୍ର, ଗିରିଶ ପଟେଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସବିତା ନନ୍ଦ, ସମୀର ରଞ୍ଜନ ବାବୁ, ଆଶିଷ ହୋତା ଏବଂ ଜିଲ୍ଲା ସାଧାରଣ ସମ୍ପାଦକ ସୁଶୀଲ କୁମାର କର ମଧ୍ୟ ଉପସ୍ଥିତ ଥିଲେ

