ସମ୍ବଲପୁର,୩୦/୦୯(ଉତ୍କଳ ସମାଚାର),(ସରୋଜ ସାହୁ):ଗାନ୍ଧୀ ଜୟନ୍ତୀ ଅବସରରେ ସମ୍ବଲପୁର ଜିଲ୍ଲାର ସମସ୍ତ ପଞ୍ଚାୟତରେ ବାଲ୍ୟବିବାହ ଓ ଶିଶୁ ଶ୍ରମ ବିରୋଧରେ ସାମୂହିକ ଶପଥ ପାଠ କରାଯିବ। ଶିଶୁ ଚାଲାଣ, ନିର୍ଯାତନା, ଶୋଷଣ ଓ ଅନଲାଇନ୍ ଶୋଷଣରୁ ଶିଶୁଙ୍କୁ ସୁରକ୍ଷିତ ରଖିବା ପାଇଁ ମଧ୍ୟ ପଞ୍ଚାୟତସ୍ତରରେ ପ୍ରତିବଦ୍ଧତା ପ୍ରକାଶ କରାଯିବ। ଏହି ଉଦ୍ଦେଶ୍ୟରେ ମଙ୍ଗଳବାର ସମ୍ବଲପୁର ଜିଲ୍ଲା ପରିଷଦ ସଭାଗୃହରେ ଆଦର୍ଶ ଓ ଜଷ୍ଟ ରାଇଟ୍ସ ଫର୍ ଚିଲଡ୍ରେନ୍ ପକ୍ଷରୁ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପରିଷଦ ସିଡିଓ ପ୍ରସନ୍ନ ପାତ୍ର ସଭାକୁ ଉଦ୍ଘାଟନ କରିଥିଲେ। ଆଦର୍ଶର ସମ୍ପାଦକ ପ୍ରଦୀପ କୁମାର ବେହେରା ଅଧ୍ୟକ୍ଷତା କରିଥିଲେ।ଗାନ୍ଧୀ ଜୟନ୍ତୀରେ ପ୍ରତି ପଞ୍ଚାୟତରେ ବାଲ୍ୟବିବାହ ରୋକିବା, ଶିଶୁଙ୍କୁ ଶ୍ରମିକ ଭାବେ ନିଯୁକ୍ତ ନ କରିବା ଓ ପ୍ରତ୍ୟେକ ଶିଶୁଙ୍କ ନିୟମିତ ବିଦ୍ୟାଳୟ ଯିବା ସୁନିଶ୍ଚିତ କରିବାକୁ ଶପଥ ପାଠ କରାଇବା ଉପରେ ସଭାରେ ସହମତି ପ୍ରକାଶ ପାଇଥିଲା। ଝିଅଙ୍କ ପାଇଁ ୧୮ ବର୍ଷ ଓ ପୁଅଙ୍କ ପାଇଁ ୨୧ ବର୍ଷ ପୂର୍ବରୁ ବିବାହ ନ କରାଇବା, ଶିଶୁ ଚାଲାଣ ଓ ନିର୍ଯାତନାକୁ ପ୍ରଶ୍ରୟ ନ ଦେବା ସହ ସାଇବର ଅପରାଧ ଓ ଅନଲାଇନ୍ ପ୍ରତାରଣା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ମଧ୍ୟ ଏହି ଶପଥର ଅଂଶ ହେବ।ସଭାରେ ଏଡ୍ ଏଟ୍ ଆକ୍ସନ୍ର ସୁନିତା ତ୍ରିପାଠୀ, ଜିଲ୍ଲା ଶିଶୁ ମଙ୍ଗଳ ସମିତି ସଦସ୍ୟ ଡା. ରାଜାରାମ ଷଡ଼ଙ୍ଗୀ, ଓଡ଼ିଶା ଜୀବିକା ମିଶନର ଡିପିଏମ୍ ସଞ୍ଜୟ ମହାପାତ୍ର ଓ ଜିଲ୍ଲା ପରିଷଦ ପିଏମ୍ ବିକାଶ ମହାନ୍ତି ମଞ୍ଚାସୀନ ଥିଲେ। ସରପଞ୍ଚ ସୁଷମା ସାହୁ, ମମତା ପ୍ରଧାନ, ସରସ୍ୱତୀ ଭୁସାଗର, ଗୀତାଞ୍ଜଳି ଦେହୁରୀ, ସଞ୍ଜୀବ ପୁଝାରୀ, କନକ ସାହୁ, ସରିତା ନାଥ, ଖୁଲଣା ବେହେରା ଓ ରିତାଞ୍ଜଳି ନାଏକଙ୍କ ସମେତ ଆଭାର ବ୍ଲକ ସଂଯୋଜକ ମିନତୀ ନାଗ, ସିଡବ୍ଲ୍ୟୁସି ସଦସ୍ୟ ଜ୍ୟୋତି ଶତପଥୀ ଓ ଦିଲ୍ଲୀପ ମୁଖୀ, ଡିସିପିଓ ୟୁନିଟ୍ର ବିଶ୍ୱଜିତ ସାହୁ, ସିଆରପି, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଓ ବରିଷ୍ଠ ନାଗରିକ ପରିଷଦର ସଦସ୍ୟମାନେ ଯୋଗଦେଇଥିଲେ।ଏହି ଅବସରରେ ଅତିଥି ଓ ସରପଞ୍ଚମାନେ ଏକ ସଚେତନତା ପୋଷ୍ଟର ଲୋକାର୍ପଣ କରିଥିଲେ। ଶପଥକୁ କେବଳ ଔପଚାରିକତାରେ ସୀମିତ ନ ରଖି ଶିଶୁ ଅଧିକାର ସୁରକ୍ଷା ପାଇଁ ସକ୍ରିୟ ସାମାଜିକ ସଂକଳ୍ପରେ ପରିଣତ କରିବା ଉପରେ ସଭାରେ ଗୁରୁତ୍ୱ ଦିଆଯାଇଥିଲା। ଶେଷରେ ଡା. ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ

