ରାଉରକେଲା ୦୧/୧୦,(ଉତ୍କଳ ସମାଚାର) ଆଜି ରାଉରକେଲା ବନଖଣ୍ଡ ପକ୍ଷରୁ ୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ମଣ୍ଡଳ ସ୍ତରୀୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ ଠାରେ ଆୟୋଜିତ ଏହି ଉତ୍ସବରେ ଅତିଥି ଭାବରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ବ୍ରିଜେଶ କୁମାର ରାୟ, ରାଉରକେଲା ମଣ୍ଡଳ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (RCCF)ଙ୍କ ସମେତ ରାଉରକେଲା ବନଖଣ୍ଡ ଅଧିକାରୀ (DFO) ରବିକାନ୍ତ ମିନା, ସୁନ୍ଦରଗଡ ବନଖଣ୍ଡ ଅଧିକାରୀ (DFO) ଖୁସଓ୍ବନ୍ତ ସିଂହ, ବଣାଇଁ ବନଖଣ୍ଡ ଅଧିକାରୀ (DFO) ଯଶୋବନ୍ତ ସେଠି, ଦେବଗଡ ବନଖଣ୍ଡ ଅଧିକାରୀ (DFO) ସୁଶ୍ରୀ ରଶ୍ମୀ ଜି ଏବଂ କେନ୍ଦୁଝର ବନଖଣ୍ଡ ଅଧିକାରୀ (DFO) ଧନରାଜ ହନୁମନ୍ତ ଧାମଧୀର ଉପସ୍ଥିତ ଥିଲେ। ୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ମଣ୍ଡଳ ସ୍ତରୀୟ ଉତ୍ସବ ପାରମ୍ଭରେ ସମସ୍ତ ଅତିଥିମାନଙ୍କୁ ଉତ୍ତରୀୟ ଓ ବୃକ୍ଷ ଚାରା ପ୍ରଦାନ କରଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ତାଙ୍କ ବକ୍ତବ୍ୟରେ ବନ ବିଭାଗ ପକ୍ଷରୁ ଚାଲିଥିବା ବିଭିନ୍ନ ପ୍ରକଳ୍ପକୁ ଆଗକୁ ନେବା ସହ ମନ୍ଦିରା ଡ୍ୟାମ୍ ଅଞ୍ଚଳର ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ରାଉରକେଲା ମଣ୍ଡଳଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା ତାଙ୍କର ବକ୍ତବ୍ୟରେ ବନ ବିଭାଗ ପକ୍ଷରୁ ଚାଲିଥିବା ବନ ସଂରକ୍ଷଣ ସହିତ ଖଣ୍ଡାଧାର ଅଞ୍ଚଳରେ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ବନ୍ୟପ୍ରାଣୀ ସମ୍ପଦକୁ ସମ୍ମାନ ଜଣାଇବା ସହ ଜଙ୍ଗଲ, ଜୈବ ବିବିଧତା ଏବଂ ପୃଥିବୀର ସୁରକ୍ଷା ଦେବା ପାଇଁ ଆମର ସାମୁହିକ ସଂକଳ୍ପକୁ ଦୃଢ କରିବା ପାଇଁ ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ବ୍ରିଜେଶ କୁମାର ରାୟ ଆହ୍ବାନ ଦେଇଥିଲେ। ସେହିପରି ରାଉରକେଲା ବନଖଣ୍ଡ ଅଧିକାରୀ ରବିକାନ୍ତ ମିନା ତାଙ୍କ ବକ୍ତବ୍ୟରେ ରାଉରକେଲା ବନଖଣ୍ଡ ପକ୍ଷରୁ ବିଗତ ଦିନରେ ବନ୍ୟପ୍ରାଣୀ ଏବଂ ହାତୀମାନଙ୍କ ସୁରକ୍ଷା ପାଇଁ ଲଗାଯାଇଥିବା ୫ଟି ଟାୱାର୍ ଉଚ୍ଚଶକ୍ତି ସମ୍ପନ୍ନ ଏଆଇ କ୍ୟାମେରା ଦ୍ବାରା ହାତୀଙ୍କ ଜୀବନକୁ ସୁରକ୍ଷା ଦିଆଯାଇପାରିଛି। ରାତିରେ ଏହି ଏଆଇ କ୍ୟାମେରା ଦ୍ବାରା ହାତୀଙ୍କ ଗତିବିଧି ଉପରେ ନଜର ରଖାଯାଇପାରୁଛି ବୋଲି କହିଥିଲେ। ଆଗାମୀ ଦିନରେ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଆହୁରି ଅଧିକ ସଂଖ୍ୟାରେ ଏଆଇ କ୍ୟାମେରା ଲଗାଯିବ ବୋଲି ଡିଏଫଓ ରବିକାନ୍ତ ମୀନା ସୂଚନା ଦେଇଥିଲେ। ୨୭ତମ ମଣ୍ଡଳ ସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳନ ଉତ୍ସବରେ ଧନ୍ୟବାଦ ଅର୍ପଣ କରିଥିଲେ ରାଉରକେଲା ଡିଏଫ୍ଓ ରବିକାନ୍ତ ମିନା ଏବଂ ମଞ୍ଚ ପରିଚାଳନା କରିଥିଲେ ରାଉରକେଲା ଏସିଏଫ୍ ସୁଶ୍ରୀ ସସ୍ମିତା ସାହୁ । ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ କ୍ଯୁଇଜ୍ ପ୍ରତିଯୋଗିତାର ବିଭିନ୍ନ ବିଭାଗରେ ଭାଗନେଇ କୃତିତ୍ବର ସହିତ ବିଜୟଲାଭ କରି ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ରାଉରକେଲା, ବଣାଇଁ, ସୁନ୍ଦରଗଡ, କେଉଁଝର ଏବଂ ଦେବଗଡ଼ ବନଖଣ୍ଡ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର, ପଦକ ଏବଂ ଚେକ୍ ପ୍ରଦାନ କରି ପୁରସ୍କୃତ କରାଯାଇଥିଲା। ସେହି ବନ ବିଭାଗର ଦଳଗତ ସଫଳତା ହାସଲ ପାଇଁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା।

