ସୁନ୍ଦରଗଡ଼:2//10,(ଉତ୍କଳ ସମାଚାର)ଆଜି ସୁନ୍ଦରଗଡ଼ ଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ବୟସ୍କ ନାଗରୀକ ଦିବସ ସ୍ଥାନୀୟ ଆବସରପ୍ରାପ୍ତ ବରିଷ୍ଠ ନାଗରିକ ସରକାରୀ କର୍ମଚାରୀ ସଂଘ ପରିସରରେ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଯୋଗ, ସ୍ୱାସ୍ଥ୍ୟ ପରୀକ୍ଷା ଏବଂ “ଏକ ପେଡ୍ ମା କେ ନାମ୍ ୩.୦” ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବା ସହ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ସୁଶ୍ରୀ କୁନ୍ତୀ ପ୍ରଧାନ, ଅଧ୍ୟକ୍ଷା, ଜିଲ୍ଲା ପରିଷଦ; ଶ୍ରୀ ସନ୍ତୋଷ ଅମାତ, ଅଧ୍ୟକ୍ଷ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ,ସୁନ୍ଦରଗଡ଼, ଶ୍ରୀମତୀ କୁସୁମ ଟେଟେ, ସଭ୍ୟ,ଜନଜାତି ଉନ୍ନୟନ କମିଟି, ଶ୍ରୀ ସୂରଜ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ, ସୁରଞ୍ଜନ କୁମାର ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଡଃ ରୀନାତି ମିଶ୍ର, ସଚିବ, ଜିଲ୍ଳା ଆଇନ ସେବା ପ୍ରାଧୀକରଣ,ଶ୍ରୀ ମହେନ୍ଦ୍ର ମୁର୍ମୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ , ଶ୍ରୀ ଚିରବ୍ରତ ଦତ୍ତ, ଅଧ୍ୟକ୍ଷ, ଆବସରପ୍ରାପ୍ତ ବରିଷ୍ଠ ନାଗରିକ ସରକାରୀ କର୍ମଚାରୀ ସଂଘ ସୁନ୍ଦରଗଡ଼ , ଶ୍ରୀ ଦିଲୀପ କୁମାର ପଟେଲ, ଅଧ୍ୟକ୍ଷ ,ସୁନ୍ଦରଗଡ଼ ବରିଷ୍ଠ ନାଗରିକ ସଂଘ, ଶ୍ରୀମତୀ ମିତାଲି ରାଣା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଯୋଗ ଦେଇଥିଲେ। ଏହି ଅବସରରେ ବୟସ୍କ ନାଗରିକମାନଙ୍କ ମଧ୍ୟରେ ସକ୍ରିୟ, ଉତ୍ପାଦନଶୀଳ ଓ ସୁସ୍ଥ ବାର୍ଦ୍ଧକ୍ୟକୁ ପ୍ରୋତ୍ସାହିତ କରିବାର ଗୁରୁତ୍ୱ ଉପରେ ଅତିଥିମାନେ ଆଲୋକପାତ କରିଥିଲେ। ଏଥିସହିତ ଯୁବପିଢ଼ି ଓ ବୟୋଜ୍ୟେଷ୍ଠଙ୍କ ମଧ୍ୟରେ ଆନ୍ତଃପିଢ଼ି ସମ୍ପର୍କ ଓ ସମନ୍ୱୟ ସୁଦୃଢ଼ କରିବା, ବୟୋଜ୍ୟେଷ୍ଠମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା, ଚିକିତ୍ସା ପରାମର୍ଶ ଓ ସ୍କ୍ରିନିଂ ସୁବିଧା ଯୋଗାଇଦେବା ଉପରେ ଗୁରୁତ୍ୱ ଦିଆଯାଇଥିଲା।ବୟସ୍କ ନାଗରିକଙ୍କ ପ୍ରତି ନିର୍ଯାତନା, ଅବହେଳା ଓ ଶୋଷଣ ବିରୋଧରେ ସଚେତନତା ସୃଷ୍ଟି କରିବା ସହିତ ମାତାପିତା ଓ ବୟୋଜ୍ୟେଷ୍ଠ ନାଗରିକଙ୍କ ଭରଣପୋଷଣ ଓ କଲ୍ୟାଣ ଆଇନ, ୨୦୦୭ (MWPSC Act), ବୟୋଜ୍ୟେଷ୍ଠଙ୍କ ଆଇନଗତ ଅଧିକାର ଏବଂ ଉପଲବ୍ଧ ସହାୟତା ସେବା ସମ୍ପର୍କରେ ମଧ୍ୟ ସଚେତନ କରାଯାଇଥିଲା।ପରିବେଶ ସୁରକ୍ଷା ଓ ଦାୟିତ୍ୱବୋଧ ସୃଷ୍ଟି କରିବା ଉଦ୍ଦେଶ୍ୟରେ “ଏକ ପେଡ୍ ମା କେ ନାମ୍ ୩.୦” କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯାଇଥିଲା। ଏହା ମାଧ୍ୟମରେ ବୟୋଜ୍ୟେଷ୍ଠ ଓ ଯୁବପିଢ଼ିଙ୍କୁ ପରିବେଶ ସୁରକ୍ଷା ଓ ବୃକ୍ଷରୋପଣରେ ସକ୍ରିୟ ଭାବେ ସାମିଲ କରାଯାଇଥିଲା।ଜିଲ୍ଲାରେ ସକ୍ରିୟ ଭାବେ ସାମାଜିକ କାର୍ଯ୍ୟରେ ନିୟୋଜିତ ଆବସରପ୍ରାପ୍ତ ବରିଷ୍ଠ ନାଗରିକ ସରକାରୀ କର୍ମଚାରୀ ସଂଘ, ସୁନ୍ଦରଗଡ଼ ଏବଂ ସୁନ୍ଦରଗଡ଼ ବରିଷ୍ଠ ନାଗରିକ ସଂଘର ବରିଷ୍ଠ ନାଗରିକମାନଙ୍କୁ ସେମାନଙ୍କର ଅବଦାନ ଓ ସକ୍ରିୟ ଅଂଶଗ୍ରହଣ ପାଇଁ କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ପ୍ରତିଯୋଗିତାର ବିଜେତା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହା ପରେ ବୟସ୍କ ନାଗରିକଙ୍କ ସମସ୍ୟା, ଅଧିକାର, ସମ୍ମାନ ଓ କଲ୍ୟାଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା।କାର୍ଯ୍ୟକ୍ରମର ପୂର୍ବଦିନ “ଏକ ପେଡ୍ ମା କେ ନାମ୍ ୩.୦” ଅଧୀନରେ ସୁନ୍ଦରଗଡ଼ସ୍ଥିତ ଶ୍ରବଣ ଓ ଦୃଷ୍ଟିବାଧିତ ବିଦ୍ୟାଳୟ ପରିସରରେ ବୟୋଜ୍ୟେଷ୍ଠ ବ୍ୟକ୍ତି ଓ ସେମାନଙ୍କ ନାତି-ନାତୁଣୀଙ୍କ ମଧ୍ୟରେ “ଆନ୍ତଃପିଢ଼ି ସମ୍ପର୍କ” ସୁଦୃଢ଼ କରିବା ନିମନ୍ତେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ବୃକ୍ଷରୋପଣ ସହିତ ରୋପିତ ଗଛରେ ନାମ ଟ୍ୟାଗ୍ କରିବା ଏବଂ ଗଛକୁ ନାମକରଣ କରିବା ଭଳି କାର୍ଯ୍ୟକ୍ରମ କରାଯାଇଥିଲା। ଏହା ମାଧ୍ୟମରେ ପିଢ଼ି ମଧ୍ୟରେ ଭାବନାତ୍ମକ ସମ୍ପର୍କ ସୁଦୃଢ଼ ହେବା ସହ ପରିବେଶ ସୁରକ୍ଷା ପ୍ରତି ସଚେତନତା ବୃଦ୍ଧି ପାଇଥିଲା।ସମଗ୍ର କାର୍ଯ୍ୟକ୍ରମଟି ବୟୋଜ୍ୟେଷ୍ଠ ନାଗରିକ ଓ ଅନ୍ୟାନ୍ୟ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଆନନ୍ଦ, ଉତ୍ସାହ ଓ ସକ୍ରିୟ ଅଂଶଗ୍ରହଣର ପରିବେଶ ସୃଷ୍ଟି କରିଥିଲା। ସୁସ୍ଥ ବାର୍ଦ୍ଧକ୍ୟ, ସାମାଜିକ ସମାବେଶ, ଆନ୍ତଃପିଢ଼ି ସମନ୍ୱୟ, ବୟୋଜ୍ୟେଷ୍ଠଙ୍କ ସମ୍ମାନ ଓ କଲ୍ୟାଣ ପାଇଁ ଏଭଳି ପଦକ୍ଷେପର ଗୁରୁତ୍ୱକୁ ସମସ୍ତେ ସ୍ୱୀକାର କରିଥିଲେ।ଏହି ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ପାଳନ କରିବା ସହିତ ବରିଷ୍ଠ ନାଗରିକମାନଙ୍କର ଆଇନଗତ ଅଧିକାର, ସୁରକ୍ଷା, କଲ୍ୟାଣ ଏବଂ ପ୍ରାପ୍ୟ ସୁବିଧା ସମ୍ପର୍କରେ ତୃଣମୂଳ ସ୍ତରରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ, SSEPD ବିଭାଗ, ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶାନୁସାରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟାଳୟ, ପାନପୋଷ ଓ ବଣାଇ ଉପଖଣ୍ଡ ସମେତ ଜିଲ୍ଲାର ସମସ୍ତ ବ୍ଲକ୍ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

