ସମ୍ବଲପୁର,୦୩/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ସମ୍ବଲପୁରର ୪ସି ଗ୍ରାଉଣ୍ଡସ୍ଥିତ ଗାନ୍ଧୀ ପାର୍କରେ ପ୍ରୋଗ୍ରେସିବ ସମ୍ବଲପୁର ପକ୍ଷରୁ ‘ଗାନ୍ଧୀ ଇନ୍ ଜେନ୍-ଜି ଏରା’ ଶୀର୍ଷକରେ ଏକ ସ୍ୱତନ୍ତ୍ର ଆଲୋଚନାଚକ୍ର ଓ ଜେନ୍-ଜି ସମାବେଶ ଆବାହକ ସଞ୍ଜିତ ମହାନ୍ତିଙ୍କ ଆବାହନ କ୍ରମେ ଅନୁଷ୍ଠିତ ହୋଇଛି।ସର୍ବପ୍ରଥମେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା l ଏହାପରେ ‘ଗାନ୍ଧୀ ଇନ୍ ଜେନ୍ ଜି ଏରା’ ବିଷୟକୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା।ଆଲୋଚନାରେ ବକ୍ତାମାନେ କହିଥିଲେ ଯେ ଗାନ୍ଧୀ କେବଳ ସ୍ୱାଧୀନତା ସଂଗ୍ରାମର ଜଣେ ନେତା ନୁହନ୍ତି, ବରଂ ସତ୍ୟ, ଅହିଂସା, ନୈତିକ ସାହସ ଓ ଅନ୍ୟାୟ ବିରୋଧରେ ଶାନ୍ତିପୂର୍ଣ୍ଣ ପ୍ରତିରୋଧର ଏକ ବିକଳ୍ପ ରାଜନୈତିକ ମଡେଲ୍ ଦେଇଥିବା ଜଣେ ଚିନ୍ତକ। ତାଙ୍କ ‘ସତ୍ୟାଗ୍ରହ’ର ମୂଳ ଧାରଣା ଥିଲା ଅନ୍ୟାୟକୁ ନିରବତାରେ ସ୍ୱୀକାର ନକରି ସତ୍ୟ ଓ ଅହିଂସାର ମାର୍ଗରେ ତାହାର ପ୍ରତିରୋଧ କରିବା।ବକ୍ତାମାନେ ଉଲ୍ଲେଖ କରିଥିଲେ ଯେ ଆଜିର Gen Z ଯୁବପିଢ଼ି ଡିଜିଟାଲ୍ ଯୁଗରେ ବଢ଼ିଥିଲେ ମଧ୍ୟ ସାମାଜିକ ନ୍ୟାୟ, ମାନବାଧିକାର, ସମାନତା, ସ୍ୱଚ୍ଛତା ଓ ଗଣତାନ୍ତ୍ରିକ ଅଧିକାର ଭଳି ପ୍ରଶ୍ନକୁ ନେଇ ସଚେତନ। ଏହି ପରିପ୍ରେକ୍ଷୀରେ ଗାନ୍ଧୀଙ୍କ ସତ୍ୟାଗ୍ରହ ଓ ଅହିଂସାର ମଡେଲ୍ ଆଜିର ଯୁବ ଆନ୍ଦୋଳନକୁ ମଧ୍ୟ ଏକ ନୈତିକ ଦିଗ ଦେଇପାରିବ ବୋଲି ଆଲୋଚନାରେ ମତ ପ୍ରକାଶ ପାଇଥିଲା।ଗଣତନ୍ତ୍ର, ନିର୍ବାଚନ ଓ ‘ଭୋଟ୍ ଚୋରି’ ନେଇ ଚିନ୍ତା :ପରବର୍ତ୍ତୀ ପର୍ଯ୍ୟାୟରେ ଦେଶର ବର୍ତ୍ତମାନ ରାଜନୈତିକ ପରିସ୍ଥିତି, ଗଣତନ୍ତ୍ରର ଗୁରୁତ୍ୱ ଓ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକର ସ୍ୱାଧୀନତା ନେଇ ଆଲୋଚନା ହୋଇଥିଲା। ନିର୍ବାଚନ ପ୍ରକ୍ରିୟା ଓ ଭୋଟର ତାଲିକାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଉଠୁଥିବା ପ୍ରଶ୍ନ ଏବଂ ‘ଭୋଟ୍ ଚୋରି’ ବୋଲି ଉଠାଯାଉଥିବା ଅଭିଯୋଗକୁ ନେଇ ଯୁବମାନେ ନିଜ ଚିନ୍ତା ପ୍ରକାଶ କରିଥିଲେ। ଏହି ପରିପ୍ରେକ୍ଷୀରେ କାର୍ଯ୍ୟକ୍ରମରେ ଉପସ୍ଥିତ ଜେନ୍-ଜି ପ୍ରତିନିଧିମାନେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ଉଠାଇଥିଲେ। ନିର୍ବାଚନ କମିଶନଙ୍କ କାର୍ଯ୍ୟପ୍ରଣାଳୀ, ଭୋଟର ତାଲିକାର ପରିବର୍ତ୍ତନ ଓ ନିର୍ବାଚନୀ ସ୍ୱଚ୍ଛତାକୁ ନେଇ ସ୍ପଷ୍ଟତା ଏବଂ ଜବାବଦେହିତା ଆବଶ୍ୟକ ବୋଲି ସେମାନେ ମତ ରଖିଥିଲେ।ଯୁବବର୍ଗର ସକ୍ରିୟ ଅଂଶଗ୍ରହଣ ସହିତ ଏହି ଆଲୋଚନାରେ ମିଲନ ହୋତା, ଦେବଜ୍ୟୋତି ପଟ୍ଟନାୟକ, ସୁମିତ ପଟେଲ, ନିଖିଲ ବାବୁ, ଅନୁଜ ଛତ୍ରିୟା, ପ୍ରଜ୍ୱଳ ଧରୁଆ , କିସ୍ମତ ପାଣ୍ଡେ, ପ୍ରିୟଭଦ୍ର ପୃଷ୍ଟି, ସୁମନ୍ତ ବେହେରା , ବିଜୟ ସାହୁ , ଗୌରବମୟ ପାତ୍ର, ଅଭିଷେକ ରାଉତ, ସ୍ପନ୍ଦନ , ରଞ୍ଜିତ୍ କୁମାର , ପ୍ରିୟଭଦ୍ର, ଅଂଶୁମାନ ପଟ୍ଟନାୟକ, ଗୌରାଙ୍ଗ ପାତ୍ର। , । ପ୍ରମୁଖ ବକ୍ତବ୍ୟ ରଖିଥବା ସହ ଆଲୋଚନାରେ ଅଂଶ ଗ୍ରହଣ କରିଥିବା ସହ ଶତାଧିକ ଜେନ୍-ଜି ଉପସ୍ଥିତ ଥିଲେ lଆମ ବସ୍ରେ ଜେନ୍-ଜିର ପ୍ରତିବାଦକାର୍ଯ୍ୟକ୍ରମ ପରେ ଜେନ୍-ଜିର ଯୁବମାନେ ‘ଆମ ବସ୍’ ଯୋଗେ ସହର ପରିକ୍ରମା କରିଥିଲେ। ଏହି ସମୟରେ ବସ୍ ଭିତରେ ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷାକୁ ନେଇ ସ୍ଲୋଗାନ୍ ଦିଆଯାଇଥିଲା।“ସମ୍ବିଧାନ ବଚାଅ, ଦେଶ ବଚାଅ” ଏବଂ “ଜ୍ଞାନେଶ କୁମାର ଇସ୍ତଫା ଦିଅ” ଭଳି ସ୍ଲୋଗାନ୍ରେ ଜେନ୍-ଜି ମାନେ ବସ୍ ମଧ୍ୟରେ ନିଜ ପ୍ରତିବାଦ ଜଣାଇଥିଲେ। ନିର୍ବାଚନ ପ୍ରକ୍ରିୟାରେ ଲୋକଙ୍କ ଆସ୍ଥା, ଭୋଟର ଅଧିକାରର ସୁରକ୍ଷା ଏବଂ ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକର ଜବାବଦେହିତା ନେଇ ଯୁବପିଢ଼ିର ସ୍ୱରକୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସାମ୍ନାକୁ ଅଣାଯାଇଥିଲା।

