ସମ୍ବଲପୁର,୦୩/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ଗାନ୍ଧୀ ଜୟନ୍ତୀ ଅବସରରେ ଅସହାୟ ଶିଶୁଙ୍କ ସହାୟତା ପାଇଁ ଆଗେଇ ଆସିଛି ଆଦର୍ଶ ଅନୁଷ୍ଠାନ। ଜଷ୍ଟ ରାଇଟ୍ସ ଫର୍ ଚିଲ୍ଡ୍ରେନ୍ର ସହଯୋଗରେ ସ୍ଥାନୀୟ ରୋଟାରୀ କ୍ଲବ ପରିସରରେ ଏକ ଶିଶୁ ସହାୟତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।କାର୍ଯ୍ୟକ୍ରମରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଶିଶୁଙ୍କ ସୁରକ୍ଷା ଓ ଅଧିକାର ରକ୍ଷା କରିବାରେ ସମାଜର ଦାୟିତ୍ୱ ଉପରେ ଗୁରୁତ୍ୱ ଦେଇଥିଲେ। ଏହି ଅବସରରେ ସେ ଶିଶୁ ସୁରକ୍ଷା ସମ୍ପର୍କିତ ପାଞ୍ଚଟି ପ୍ରତିବଦ୍ଧତା ନେଇ ଉପସ୍ଥିତ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ।ଶପଥରେ ବାଲ୍ୟବିବାହକୁ ପ୍ରୋତ୍ସାହନ ନ ଦେବା ଓ ରୋକିବା, ସମସ୍ତ ଯୋଗ୍ୟ ଶିଶୁଙ୍କୁ ବିଦ୍ୟାଳୟକୁ ପଠାଇବା, କୌଣସି ଶିଶୁଙ୍କୁ ଶିଶୁଶ୍ରମିକ ଭାବେ କାମରେ ନ ଲଗାଇବା, ଗରିବ ଓ ଅସହାୟ ଶିଶୁଙ୍କୁ ସହାୟତା କରିବା ଏବଂ ଜିଲ୍ଲାର ପ୍ରତ୍ୟେକ ଶିଶୁ ସୁଖ, ଶାନ୍ତି ଓ ନିରାପଦ ପରିବେଶରେ ବଢ଼ିବା ପାଇଁ ଯତ୍ନବାନ ହେବାର ସଂକଳ୍ପ ନିଆଯାଇଥିଲା।ମୁଖ୍ୟଅତିଥି ଜୟନାରାୟଣ ମିଶ୍ର ୩୬ ଜଣ ଅସହାୟ ଶିଶୁଙ୍କୁ ଉପହାର ବାକ୍ସ ପ୍ରଦାନ କରିଥିଲେ। ଶିଶୁଙ୍କ ମୁହଁରେ ହସ ଫୁଟାଇବା ଏବଂ ସେମାନଙ୍କ ମନରେ ଆତ୍ମବିଶ୍ୱାସ ଓ ଆପଣାପଣିଆର ଭାବ ସୃଷ୍ଟି କରିବା ଏହି ପଦକ୍ଷେପର ଉଦ୍ଦେଶ୍ୟ ଥିଲା।କାର୍ଯ୍ୟକ୍ରମରେ ଗୋବିନ୍ଦ ଅଗ୍ରୱାଲ, ସୁଶାନ୍ତ ପୁରୋହିତ, ସାମ୍ବାଦିକ ପ୍ରଫୁଲ୍ଲ ଦାଶ ଏବଂ ମିନତୀ ନାଗ ଯୋଗଦେଇ ଶିଶୁଙ୍କ ଶିକ୍ଷା, ସୁରକ୍ଷା ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପରାମର୍ଶ ଦେଇଥିଲେ। ଆଦର୍ଶ ଅନୁଷ୍ଠାନର ପ୍ରଦୀପ କୁମାର ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ରଞ୍ଜନ ଭୋଇ, ଉମାଶଙ୍କର ଜେନା, ଚିତ୍ତରଞ୍ଜନ ପଧାନ, ସୁନୀଲ ବେହେରା, ଭକ୍ତି ଜେନା, ମନୋରଞ୍ଜନ ମହାକୁଡ଼, ଲୀନାରାଣୀ ତ୍ରିପାଠୀ, ରୀତିକା ମୁଣ୍ଡା, ସୀମା ପଧାନ ଓ ଅଲିଶା ପାତ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ପ୍ରଫୁଲ୍ଲ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ I

