ମହାନଗରମୁଖ୍ୟ ଖବରରାଜ୍ୟ

ଦୁଇଟି ଭିଜିଲାନ୍ସ ମାମଲାରେ ତିନି ସରକାରୀ କର୍ମଚାରୀ ଦୋଷୀ ସାବ୍ୟସ୍ତ

ରାଉରକେଲା ୨୩/୮,ଉତ୍କଳ ସମାଚାର): ଦୁଇଟି ଭିଜିଲାନ୍ସ (ଟ୍ରାପ୍ ଏଣ୍ଡ୍ ଡିଏ) ମାମଲାରେ ୩ ସରକାରୀ କର୍ମଚାରୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହି ତିନି ସରକାରୀ କର୍ମଚାରୀ ହେଲେ ସୁନ୍ଦରଗଡ ଜିଲ୍ଲା ଅନ୍ତର୍ଗତ ଗୁରୁଣ୍ଡିଆ ତହସିଲର ଏକମାତ୍ର ରାଜସ୍ବ ସର୍କଲର ପୂର୍ବତନ ଆରଆଇ (ଅବସରପ୍ରାପ୍ତ) ବସନ୍ତ କୁମାର ମିଶ୍ର, ଗୁରୁଣ୍ଡିଆ ତହସିଲର ଏଆରଆଇ ଶିଶିର କୁମାର ବେହେରା ଏବଂ ବରଗଡ ଜିଲ୍ଲା ଅନ୍ତର୍ଗତ ପଦମପୁର ତହସିଲର ପୂର୍ବତନ ବରିଷ୍ଠ କିରାଣୀ ତ୍ରିଲୋଚନ ସାହୁ। 

      ସୂଚନା ଅନୁସାରେ ଗୁରୁଣ୍ଡିଆ ତହସିଲର ପୂର୍ବତନ ଆରଆଇ ବସନ୍ତ କୁମାର ମିଶ୍ର ଏବଂ ଏଆରଆଇ ଶିଶିର କୁମାର ବେହେରାଙ୍କୁ ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗତକାଲି ଅଗଷ୍ଟ ୨୨ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ତହସିଲ ଅନ୍ତର୍ଗତ ସୋଲ ରାଜସ୍ୱ ସର୍କଲର ପୂର୍ବତନ ଆରଆଇ ବସନ୍ତ କୁମାର ମିଶ୍ର ଏବଂ ଏଆରଆଇ ଶିଶିର କୁମାର ବେହେରା, ଆୟ ବହିର୍ଭୂତ ଏବଂ ଜାତି ପ୍ରମାଣପତ୍ର ପ୍ରଦାନ ପାଇଁ ଅଭିଯୋଗକାରୀଙ୍କ ଠାରୁ ଲାଞ୍ଚ ଦାବି କରିବା ଏବଂ ନେବା ବେଳେ ଓଡ଼ିଶା ଭିଜିଲାନ୍ସ ଧରାପଡିଥିଲେ। ଭିଜିଲାନ୍ସ ବିଭାଗ ପକ୍ଷରୁ ଆଇପିସିର ଧାରା ୧୩(୨) ଆର/ଡବ୍ଲୁ ୧୩(୧)(ଡି)/୭ ପିସି ଆଇନ, ୧୯୮୮/୩୪ ଅନ୍ତର୍ଗତ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ସେମାନଙ୍କୁ ସୁନ୍ଦରଗଡ଼ର ଭିଜିଲାନ୍ସ କୋର୍ଟର ସ୍ୱତନ୍ତ୍ର ବିଚାରପତି ଦୋଷୀ ସାବ୍ୟସ୍ତ କରିଛନ୍ତି। କୋର୍ଟ ପ୍ରତ୍ୟେକଙ୍କୁ ୪ ବର୍ଷ ପାଇଁ ସଶ୍ରମ କାରାଦଣ୍ଡ ଏବଂ ଜୋରିମାନା ଦେବାକୁ ଦଣ୍ଡିତ କରିଛନ୍ତି। ଏଥିସହିତ ସହିତ ପୂର୍ବତନ ଆରଆଇ (ଅବସରପ୍ରାପ୍ତ) ବସନ୍ତ କୁମାର ମିଶ୍ର ଏବଂ ପୂର୍ବତନ ଏଆରଆଇ ଶିଶିର କୁମାର ବେହେରାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଦୋଷୀ ସାବ୍ୟସ୍ତ ହେବା ପରେ ଭିଜିଲାନ୍ସ ପୂର୍ବତନ ଆରଆଇ (ଅବସରପ୍ରାପ୍ତ) ବସନ୍ତ କୁମାର ମିଶ୍ରଙ୍କ ପେନସନ ବନ୍ଦ କରିବା ସହିତ ରାଜଗାଙ୍ଗପୁର ତହସିଲର ପୂର୍ବତନ ଏଆରଆଇ ଶିଶିର କୁମାର ବେହେରାଙ୍କୁ ଚାକିରିରୁ ବହିଷ୍କାର କରିବା ପାଇଁ ସକ୍ଷମ ପ୍ରାଧିକରଣଙ୍କ ନିକଟରେ ଆବେଦନ କରିବ ବୋଲି ସୂଚନା ମିଳିଛି। ସମ୍ବଲପୁର ଡିଭିଜନର ପୂର୍ବତନ ଭିଜିଲାନ୍ସ ଡିଏସପି ପରମେଶ୍ୱର କିଷାନ, ଏହି ମାମଲାର ତଦନ୍ତ କରିଥିଲେ। ସେହିପରି ଭିଜିଲାନ୍ସର ସ୍ପେଶାଲ ପିପି ଶ୍ୟାମ ସୁନ୍ଦର ମିଶ୍ର ଏବଂ ସହାୟକ ପିପି ସନ୍ଦୀପ ପଣ୍ଡା, ମିଳିତ ଭାବରେ ଅଭିଯୋଗ ପ୍ରସିକ୍ୟୁସନ ପକ୍ଷରୁ ମାମଲା ପରିଚାଳନା କରିଥିଲେ।

      ସେହିପରି ବରଗଡ ଜିଲ୍ଲା ପଦମପୁର ତହସିଲର ପୂର୍ବତନ ବରିଷ୍ଠ କ୍ଲର୍କ ତ୍ରିଲୋଚନ ସାହୁ DA ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଅଗଷ୍ଟ ୨୨ ତାରିଖ ଦିନ ଭିଜିଲାନ୍ସ କୋର୍ଟ ଦ୍ୱାରା ଅନୁପାତହୀନ ସମ୍ପତ୍ତି (DA) ରଖିବା ଅଭିଯୋଗରେ ପିସି ଆଇନ, ୧୯୮୮ର ଧାରା ୧୩(୨) ଆର/ଡବ୍ଲ୍ୟୁ ୧୩(୧)(ଇ) ଅନ୍ତର୍ଗତ ଏକ ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ବରଗଡ ଭିଜିଲାନ୍ସ କୋର୍ଟର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ତ୍ରିଲୋଚନ ସାହୁ, ୨ ବର୍ଷ ପାଇଁ ସଶ୍ରମ କାରାଦଣ୍ଡ ଏବଂ ଜରିମାନା ଦଣ୍ଡିତ ହୋଇଛନ୍ତି। ଭିଜିଲାନ୍ସ ଦ୍ବାରା ପଦମପୁର ତହସିଲର ପୂର୍ବତନ ବରିଷ୍ଠ କିରାଣୀ (ଅବସରପ୍ରାପ୍ତ) ତ୍ରିଲୋଚନ ସାହୁଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ, ତାଙ୍କର ପେନସନ ବନ୍ଦ କରିବା ପାଇଁ ଭିଜିଲାନ୍ସ ସକ୍ଷମ ପ୍ରାଧିକରଣଙ୍କ ନିକଟରେ ଆବେଦନ କରିବ ବୋଲି ସୂଚନା ମିଳିଛି। 

     ଏହି କେସରେ ଭିଜିଲାନ୍ସ ସମ୍ବଲପୁର ଭିଜିଲାନ୍ସ ଡିଭିଜନର ପୂର୍ବତନ ଇନ୍ସପେକ୍ଟର, ବାଳକୃଷ୍ଣ ସାହୁ ମାମଲାର ତଦନ୍ତ କରିଥିଲେ। ଭିଜିଲାନ୍ସର ସ୍ୱତନ୍ତ୍ର ପିପି ଗୌରମୋହନ ଦାଶ ଏବଂ ରବିନାରାୟଣ ଭୋଇ ମିଳିତ ଭାବରେ ପ୍ରସିକ୍ୟୁସନ ପକ୍ଷରୁ ମାମଲା ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *