ରାଉରକେଲା କଲେଜରେ ସାଇବର କ୍ରାଇମ, ମହିଳା ଉତ୍ପୀଡନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ
ରାଉରକେଲା:3//9,(ଉତ୍କଳ ସମାଚାର): ସେକ୍ଟର-୪ ସ୍ଥିତ ରାଉରକେଲା କଲେଜ, ରାଉରକେଲା ଓ ରାଉରକେଲା ପୁଲିସର ମିଳିତ ଆନୁକୂଲ୍ୟରେ ସାଇବର କ୍ରାଇମ, ଯୌନ ଉତ୍ପୀଡନର ପ୍ରତିରୋଧ ଓ ଏହାର ନିରାକରଣ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତା ଓ ଯୋଗ୍ୟ ଅଭିଯୋଗ କମିଟିର ମୁଖ୍ୟ ପ୍ରାଧ୍ୟାପିକା ଭାରତୀ ବରୁୱାଙ୍କ ଆବାହକତ୍ଵ ତଥା ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଏସପି ଡ. ଶ୍ରାବଣୀ ନାୟକ ମୁଖ୍ୟଅତିଥି, ଡିଏସପି ଗୁରୁବାରୀ ହେମ୍ବ୍ରମ ଓ ସାଇବର ଡିଏସପି ସେରୋଫିନା ଖେସ୍ ସମ୍ମାନିତ ଅତିଥି ତଥା ବିଷୟ ବିଶେଷଜ୍ଞ ଓ ଅନ୍ୟତମ ଅତିଥି ଭାବେ ସେକ୍ଟର-୩ ଥାନାର ସବଇନ୍ସପେକ୍ଟର ଦୁର୍ଯ୍ୟୋଧନ ପ୍ରଧାନ ଓ ଏଏସଆଇ ବି. ଡି. ଖିଲାର ପ୍ରମୁଖ ଯୋଗଦେଇଥିଲେ। ମୁଖ୍ୟଅତିଥି ଡ. ନାୟକ ଉପସ୍ଥିତ ଛାତ୍ର-ଛାତ୍ରୀମାନଙ୍କୁ ଉଦବୋଧନ ଦେଇ କହିଲେ ଯେ ଝିଅମାନଙ୍କ ଜନ୍ମ ପୂର୍ବରୁ, ଜନ୍ମପରେ, ବାହାହେବା ପୂର୍ବରୁ ଓ ପରବର୍ତ୍ତୀ କାଳ ପାଇଁ ଆଇନ ରହିଛି। କୌଣସି ଡାକ୍ତର ବା ଡାକ୍ତରଖାନା ଲିଙ୍ଗ ନିରୂପଣ କରିପାରିବେ ନାହିଁ। ଯୌତୁକ ଦେବା ଓ ନେବା, ବାଲ୍ୟବିବାହ, ସାଇବର କ୍ରାଇମ, ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡି ଚଲେଇବା ଆଦି ଅପରାଧ ହୋଇଥିଲେ ହେଁ ନିୟମ ନଜାଣିବା ମଧ୍ୟ ଅପରାଧ ବୋଲି ମତ ରଖିଥିଲେ। ଏହାସହ ସୋସିଆଲ ମିଡ଼ିଆର ଉଭୟ ଭଲ ଓ ମନ୍ଦ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଡିଏସପି ଶ୍ରୀମତୀ ହେମ୍ବ୍ରମ୍ ବାଳ ଶ୍ରମିକ, ପୋସ୍କୋ ଓ ଜୁଭେନାଇଲ ନିୟମ, କର୍ମକ୍ଷେତ୍ରରେ ଖରାପ ଓ ଭଲ ଛୁଇଁବା ମଧ୍ୟରେ ପାର୍ଥକ୍ୟ, ଯୌନ ଉତ୍ପୀଡନ ତଥା ଶିଶୁମାନଙ୍କ ଅଧିକାର ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଡିଏସପି ଖେସ୍ ସାଇବର କ୍ରାଇମର ଉଭୟ ସାମାଜିକ ଓ ଅର୍ଥନୈତିକ ଦିଗ ସମ୍ପର୍କରେ ତଥା ସାମାଜିକ ଗଣମାଧ୍ୟମଗୁଡିକ ବ୍ୟବହାର ସମୟରେ ଅସାବଧାନତା, ସେଲଫି ମାନିଆ ଓ ଭିଡ଼ିଓ କଲରେ ଉଲଗ୍ନ ନହେବା ତଥା ଡିଜିଟାଲ କ୍ରାଇମ୍ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏହାସହ ସୋସିଆଲ ମିଡିଆରେ ଅଚିହ୍ନା ଲୋକମାନଙ୍କ ସହ ପରିଚୟ ନରଖିବା, ଆର୍ଥିକ କାରବାରରେ ଅଘଟଣକୁ ସ୍ବର୍ଣ୍ଣିମ ସମୟ ଘଟଣାର ୧ଘଣ୍ଟା ମଧ୍ୟରେ ସାଇବର ଥାନାରେ ଅଭିଯୋଗ କରିବା, କୌଣସି ଅଜଣା ଲିଙ୍କ୍ କୁ ଗ୍ରହଣ ନ କରିବା ପାଇଁ ସେ ଛାତ୍ର-ଛାତ୍ରୀଙ୍କୁ ସଚେତନ କରାଇଥିଲେ। ଅନ୍ୟତମ ଅତିଥି ଶ୍ରୀ ପ୍ରଧାନ ସଚେତନ ଓ ସତର୍କ ରହିବା ଉପରେ ଗୁରୁତ୍ୱାରୋପ କରିଥିଲେ। ମହିଳାମାନଙ୍କ ସୁରକ୍ଷା ପାଇଁ ମୋବାଇଲ ନମ୍ବର ୯୮୨୭୫୭୨୩୩୨ରେ ଯୋଗାଯୋଗ କରିବା ପାଇଁ କୁହାଯାଇଥିଲା। ଏହି ଅବସରରେ ଆଲୋଚ୍ୟ ବିଷୟ ସମ୍ପର୍କରେ ଛାତ୍ର-ଛାତ୍ରୀଙ୍କ ମଧ୍ୟରେ ଏକ କୁଇଜ୍ ପରୀକ୍ଷା କରାଯାଇ ସଫଳ ଛାତ୍ର-ଛାତ୍ରୀ ଗୀତାରାଣୀ ଟପ୍ପୋ, କିରଣ ରାୟ, ଅନୁ ଟପ୍ପୋ ଓ ବିଶ୍ବଜିତା ସାହୁଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ପ୍ରାରମ୍ଭରେ ଅଧ୍ୟକ୍ଷ ଡ. ଜେନା ସ୍ବାଗତ ଭାଷଣ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଓ ସଂଯୋଜକ ଶ୍ରୀ ପାଟ୍ଟଶାଣୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଶେଷରେ ଏହି ସଚେତନତା କାର୍ଯ୍ୟକ୍ରମର ଆବାହକ ପ୍ରାଧ୍ୟାପିକା ଭାରତୀ ବରୁୱା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ଯାପିକା ବନ୍ଦନା ସୋରେନ୍, ଅଧ୍ୟାପକ ସିଦ୍ଧାର୍ଥ ସାହୁ, ଏଏସଆଇ ବି. ଡି. ଖିଲାର, କନେଷ୍ଟବଳ ଅଲିଭାଦୀପ୍ତି ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
