ଶ୍ରୀ ଦଶହରା ପୂଜା ସମିତି ଦ୍ବାରା ରାଉରକେଲା ସେକ୍ଟର-୧୩ ମେଳନ ପଡିଆରେ ରାବଣ ଦହନ
ରାଉରକେଲା ୩/୧୦,(ଉତ୍କଳ ସମାଚାର): ଅଧର୍ମ ଉପରେ ଧର୍ମର ବିଜୟ, ଅନ୍ଯାୟ ଉପରେ ନ୍ଯାୟର ବିଜୟ, ଅସତ୍ୟ ଉପରେ ସତ୍ୟର ବିଜୟ ଏବଂ ପାପ ଉପରେ ପୁଣ୍ୟର ବିଜୟକୁ ନେଇ ଶ୍ରୀ ଦଶହରା ପୂଜା ସମିତି ପକ୍ଷରୁ ରାଉରକେଲା ସେକ୍ଟର-୧୩ ମେଳନ ପଡିଆରେ ଆଜି ଅନୁଷ୍ଠିତ ହୋଇଯାଇଛି ରାବଣ ଦହନ କାର୍ଯ୍ୟକ୍ରମ।ଶ୍ରୀ ଦଶହରା ପୂଜା ସମିତି ପକ୍ଷରୁ ଆୟୋଜିତ ରାବଣ ଦହନ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ରୂପେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଯୋଗଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ, ସୁନ୍ଦରଗଡ ଜିଲ୍ଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ର, ପଶ୍ଚିମାଞ୍ଚଳ ପୋଲିସ୍ ଡିଆଇଜି ବ୍ରିଜେଶ କୁମାର ରାୟ, ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ଓ୍ବାଧଓ୍ବାନୀ, ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ମୁଖ୍ୟ ଅତିଥି ଏବଂ ସମ୍ମାନୀତ ଅତିଥିମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜ୍ବଳନ କରାଯାଇଥିଲା। ଶ୍ରୀ ଦଶହରା ପୂଜା ସମିତି ପକ୍ଷରୁ ମୁଖ୍ଯ ଅତିଥି ଓ ସମ୍ମାନୀତ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ମୁଖ୍ୟ ଅତିଥି ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଜୟ ଶ୍ରୀରାମ ଧ୍ବନୀ ସହିତ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଆଜି ବିଜୟା ଦଶମୀ, ଭଗବାନ ଶ୍ରୀରାମ ଆଜିର ଦିନରେ ରାବଣକୁ ବଧ କରିଥିଲେ। ଶ୍ରୀରାମଙ୍କ ସହିତ ଭ୍ରାତା ଲକ୍ଷ୍ମଣ, ପତ୍ନୀ ସୀତାମାତା, ଭକ୍ତ ହନୁମାନ ଏବଂ ସୁଗ୍ରୀବ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରି ରାମରାଜ୍ୟ ପ୍ରତିଷ୍ଠା କରିଥିଲେ। ଅଧର୍ମ ଉପରେ ଧର୍ମର ଜୟ, ଅସତ୍ୟ ଉପରେ ସତ୍ୟର ଜୟ, ଅନ୍ଯାୟ ଉପରେ ନ୍ଯାୟର ଜୟ, ପାପ ଉପରେ ପୁଣ୍ଯର ବିଜୟକୁ ନେଇ ଏହି ଦଶହରା ଉତ୍ସବ ପାଳନ କରାଯିବା ସହିତ ଲଙ୍କା ଉପରେ ବିଜୟପ୍ରାପ୍ତ କରିଥିଲେ। ଦୀର୍ଘ ୬୦ ବର୍ଷ ଧରି ରାଉରକେଲାରେ ରାବଣ ଓ କୁମ୍ଭକର୍ଣ୍ଣର ଦହନ କରାଯାଉଛି, ଯାହାକି ଓଡିଶା ମଧ୍ଯରେ ପ୍ରଥମ କରି ରାଉରକେଲାରେ ଆରମ୍ଭ କରାଯାଇଛି। ଆଜିର ଏହି ରାବଣ ଦହନ କାର୍ଯ୍ୟକ୍ରମ ସହିତ ଆତସବାଜି କାର୍ଯ୍ୟକ୍ରମ ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଆସିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହାପରେ ମୁଖ୍ୟ ଅତିଥି ଏବଂ ସମ୍ମାନୀୟ ଅତିଥିମାନଙ୍କ ଦ୍ବାରା ରାବଣ ଓ କୁମ୍ଭକର୍ଣ୍ଣ ଦେହରେ ଅଗ୍ନି ସଂଯୋଗ କରିବା ସହିତ ଆତସବାଜି କାର୍ଯ୍ୟକ୍ରମର ଆରମ୍ଭ କରିଥିଲେ। ମଞ୍ଚ ଉପରେ ଶ୍ରୀରାମ, ଲକ୍ଷ୍ମଣ, ହନୁମାନ, ସୁଗ୍ରୀବ ଏବଂ ମାତା ସୀତାଙ୍କ ବାଲ୍ଯ ସ୍ବରୂପଙ୍କୁ ଅତିଥିମାନେ ପ୍ରସାଦ ଖୁଆଇଥିଲେ। ଶ୍ରୀ ଦଶହରା ପୂଜା ସମିତି ପକ୍ଷରୁ ଅଧ୍ୟକ୍ଷ ସୁରେଶ କେଜ୍ରିୱାଲ, ସଭାପତି ରାହୁଲ ଅଗ୍ରୱାଲ, କୋଷାଧ୍ୟକ୍ଷ ଗୌରବ ସିଙ୍ଘଲ, ସମ୍ପାଦକ ପୱନ ଖେମାନି, ସଦସ୍ୟ ପ୍ରତୀକ ଅଗ୍ରୱାଲ, ହର୍ଷ ଖେଦେରିଆ, ଲଲିତ କେଜ୍ରିୱାଲ, ବିନୋଦ ନରେଡି, ଦେବନ୍ ଅଗ୍ରୱାଲଙ୍କ ସମେତ ଅନ୍ୟ ସଦସ୍ୟମାନେ ଏହି ରାବଣ ଦହନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ଏହି ରାବଣ ଓ କୁମ୍ଭକର୍ଣ୍ଣ ଦହନ ସହିତ ଆତସବାଜି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
