ମହାନଗରମୁଖ୍ୟ ଖବରରାଜନୀତିରାଜ୍ୟ

ବାଂଶପାଳ ଓ ହରିଚନ୍ଦନପୁରରେ ବ୍ଲକସ୍ତରୀୟ ସମ୍ପୂର୍ଣ୍ଣତା ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ

କେନ୍ଦୁଝର.//05/07/2024 //(ଉତ୍କଳ ସମାଚାର) // ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଜାନୁଆରୀ, ୨୦୨୩ରେ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ(aspirational block programme) ଶୁଭ ଉଦଘାଟନ ହୋଇଥିଲା। ନିତି ଆୟୋଗଙ୍କ ଦ୍ୱାରା ପରିଚାଳିତ ଏହି ଅଭିଯାନ ମାଧ୍ୟମରେ ଦେଶର ୫୦୦ଗୋଟି ଦୁର୍ଗମ ଓ ଅନୁନ୍ନତ ବ୍ଲକ ମାନଙ୍କୁ ପ୍ରଗତିର ଶୀର୍ଷରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି ।
ଏହି ଯୋଜନାରେ କେନ୍ଦୁଝର ଜିଲ୍ଲାର ଦୁଇ ଗୋଟି ବ୍ଲକ ବାଂଶପାଳ ଓ ହରିଚନ୍ଦନପୁରକୁ ସାମିଲ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି
ନୀତି ଆୟୋଗ ଦ୍ବାରା ଏହି ସଂପୂର୍ଣ୍ଣତା ଅଭିଯାନ କାର୍ଯ୍ୟକ୍ରମ ଉଭୟ ବାଂଶପାଳ ଏବଂ ହରିଚନ୍ଦନପୁର ବ୍ଲକରେ ଆରମ୍ଭ ହୋଇଛି । ନୀତି ଆୟୋଗ ଦ୍ବାରା କାର୍ଯ୍ୟକାରୀ ହେଉଥିବା ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ଦ୍ରୁତ ବିକାଶକୁ ସୁନିଶ୍ଚିତ କରିବା। ଏହି କାର୍ଯ୍ୟକ୍ରମ ଜୁଲାଇ ୪ ତାରିଖ ରୁ ଆରମ୍ଭ ହୋଇଥିବା ବେଳେ ସେପ୍ଟେମ୍ବର ୩୦ ପ୍ରର୍ଯ୍ୟନ୍ତ ଚାଲିବ। ବିଶେଷକରି ଏଥିରେ ୬ ଟି ସୂଚଙ୍କାକକୁ ଗୁରୁତ୍ବ ଦିଆଯାଇଛି, ସେଗୁଡ଼ିକ ହେଲା ସ୍ୱାସ୍ଥ୍ୟ- ପ୍ରସବ ଯତ୍ନ, ଡାଇବେଟିସ୍ ଓ ଉଚ୍ଚ ରକ୍ତଚାପ ପରୀକ୍ଷଣ, ପୋଷକ ତତ୍ୱ, କୃଷି- ମୃତ୍ତିକା ପରୀକ୍ଷା, ସାମାଜିକ ବିକାଶ- ଆର୍ଥିକ ପରିଚାଳନା କ୍ଷମତା ଭବନ ପାଇଁ ଘୂର୍ଣ୍ଣନ ପାଣ୍ଠି ଅନ୍ତର୍ଭୁକ୍ତ । ବାଂଶପାଳ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ତେଲକୋଇ ବିଧାୟକ ଶ୍ରୀ ଫକୀର ଚରଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଅଭିଯାନର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିବା ସହ ସମଗ୍ର ବ୍ଲକର ସାମଗ୍ରିକ ବିକାଶ ନିମନ୍ତେ ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଏଭଳି ଦୂରଦୃଷ୍ଟିସଂପନ୍ନ ପରିକଳ୍ପନାର ଭୁୟସୀ ପ୍ରଶଂସା କରିଥିଲେ।
ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ନୀତି ଆୟୋଗର ବରିଷ୍ଠ ଅଧିକାରୀ ସୁଶ୍ରୀ ମୋନିକା ଆଶା ଦିଦି ମାନଙ୍କ କାର୍ଯ୍ୟକୁ ଖୁବ ପ୍ରଶଂସା କରିବା ସହ ସମ୍ପୂର୍ଣ୍ଣତା ଅଭିଯାନ ଅନ୍ତର୍ଗତ ୬ ଗୋଟି ସୂଚକାଙ୍କ ବାବଦରେ ବିସ୍ତୃତ ଆଲୋଚନା କରିଥିଲେ ।ଏହି ଅଭିଯାନକୁ ସଫଳ କରିବା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଳିତ ସୋରେଙ୍ଗ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ମାନସ କୁମାର ଦେହୁରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ଵିକରାଣୀ କିସପାଟା, ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ଅରୁଣ କୁମାର ବାରିକ, ଉପନିର୍ଦ୍ଦେଶକ ଯୋଜନା ଓ ପରିସଂଖ୍ୟାନ ଶ୍ରୀ ଗଜେନ୍ଦ୍ର କୁମାର ବେହେରା ଏବଂ ପଞ୍ଚାୟତସ୍ତରୀୟ ବିଭିନ୍ନ ଜନପ୍ରତିନିଧି ଉପସ୍ଥିତି ରହିଥିଲେ । ସେହିପରି ହରିଚନ୍ଦନପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝରର ସାଂସଦ ଶ୍ରୀ ଅନନ୍ତ ନାୟକ ଯୋଗ ଦେଇ ଏହି ଯୋଜନାର ବିଭିନ୍ନ ଦିଗ ଉପରେ ଉପସ୍ଥିତ ଜନସାଧାରଣଙ୍କୁ ସୂଚନା ଦେଇଥିଲେ ।ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ସର୍ବଦା ଲୋକଙ୍କ ଉନ୍ନତ ଜୀବନଧାରଣ ବାବଦରେ ଚିନ୍ତା କରନ୍ତି ସେଥିପାଇଁ ଏହି ଅଭିଯାନକୁ ଶୁଭାରମ୍ଭ କରିଛନ୍ତି ବୋଲି ଶ୍ରୀ ନାୟକ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ହରିଚନ୍ଦନପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସୁନେଲି ନାଏକ, ଉପାଧ୍ୟକ୍ଷ ବିଜୟ କୁମାର ସାହୁ, ତହସିଲଦାର ହିମାଂଶୁ ଶେଖର ପଣ୍ଡା ଏବଂ ବିଡ଼ିଓ ଦୁଲାରାମ ମାରାଣ୍ଡି ପ୍ରମୁଖ ଉପସ୍ଥିତ ରହିଥିଲେ ।ଏଥିରେ ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ , ସ୍ବୟଂ ସହାୟକ ମହିଳା ଗୋଷ୍ଠୀ , ଛାତ୍ର ଛାତ୍ରୀ , ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *