ମହାନଗରମୁଖ୍ୟ ଖବରରାଜ୍ୟ

ରାଉରକେଲାରେ ଜାତୀୟ ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ବାହିନୀର ସ୍ଥାପନା ଦିବସ ପାଳନ

ରାଉରକେଲା,୬/୧୨ (ଉତ୍କଳ ସମାଚାର): ସହରର ରିଜର୍ଭ ପୋଲିସ ଲାଇନ ପଡ଼ିଆରେ ଜାତୀୟ ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ବାହିନୀର ସ୍ଥାପନା ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପଶ୍ଚିମାଞ୍ଚଳ ପୋଲିସ ଡିଆଇଜି ନିତି ଶେଖର ଯୋଗଦେଇ ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ବାହିନୀ ପକ୍ଷରୁ କରାଯାଉଥିବା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପର୍କରେ ସୂଚନା ଦେବା ସହ ସେମାନଙ୍କ କାର୍ଯ୍ୟ ପାଇଁ ସାଧୁବାଦ ଜଣାଇଥିଲେ। ରାଉରକେଲା ଆରକ୍ଷୀ ଅଧୀକ୍ଷକ ତଥା ସ୍ଥାନୀୟ ଗୃହରକ୍ଷୀ ବାହିନୀର କମାଣ୍ଡାଣ୍ଟ ମିତ୍ରଭାନୁ ମହାପାତ୍ର ଏହି ଅବସରରେ ଗୃହରକ୍ଷୀ ବାହିନୀର ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ବେସାମରିକ ପ୍ରତିରକ୍ଷା ବାହିନୀର ସ୍ଥାନୀୟ ଅତିରିକ୍ତ ନିୟନ୍ତ୍ରକ ଡା ଶୁଭଙ୍କର ମହାପାତ୍ର ସିଭିଲେ ଡିଫେନ୍ସ ସ୍ୱେଚ୍ଛାସେବୀମାନଙ୍କର କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ବାହିନୀର କର୍ମୀମାନଙ୍କ ଦ୍ୱାରା ଆକର୍ଷଣୀୟ ପରେଡ୍‌ ପ୍ରଦର୍ଶନ ହୋଇଥିଲା। ଏଥିରେ ଡିଆଇଜି ନିତି ଶେଖର ଅଭିବାଦନ ଗ୍ରହଣ କରିଥିଲେ। ପ୍ରତିବର୍ଷ ଡିସେମ୍ବର ୬ ତାରିଖରେ ହେଉଥିବା ଏହି ଦିବସ ପାଳନ ଉପଲକ୍ଷେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହା ସହିତ ବିଭିନ୍ନ ପ୍ରତିକୁଳ ପରିସ୍ଥିତିରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ନିମନ୍ତେ ଜାତୀୟ ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ବାହିନୀର କିଛି କର୍ମୀମାନଙ୍କୁ ସ୍ୱତନ୍ତ୍ରଭାବେ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମରେ ରାଉରକେଲା ପୋଲିସ ଜିଲ୍ଲା ସମେତ ଓଏସଏପି ୪ର୍ଥ ବାଟାଲିୟନର ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *