ବିଶିଷ୍ଟ ଉଦ୍ୟୋଗୀ ବଂଶୀଧର ପ୍ରଧାନଙ୍କ ପରଲୋକ
ସମ୍ବଲପୁର,୨୦/୦୯(ଉତ୍କଳ ସମାଚାର),(ସରୋଜ ସାହୁ): ସମ୍ବଲପୁର ଜଣାଶୁଣା ବ୍ୟବସାୟୀ ବଂଶୀଧର ପ୍ରଧାନ (୭୭) ଙ୍କ ଗୁରୁବାର ବୁର୍ଲା ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋ ହୋଇଛି I ସେ ତାଙ୍କ ସ୍ତ୍ରୀ ଓ ଏକମାତ୍ର ପୁଅ ସୁକୁମାର୍ଯ୍ୟଙ୍କୁ ଛାଡ଼ି ଯାଇଛନ୍ତି I ସମ୍ବଲପୁର ରାଜଘାଟରେ ତାଙ୍କର ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି I ସମ୍ବଲପୁର ଜିଲ୍ଲା କଣ୍ଟାପାଲିର ଏକ ସ୍ବଚ୍ଛଳ ଚାଷୀ ପରିବାରରେ ଶ୍ରୀ ପ୍ରଧାନଙ୍କର ଜନ୍ମ ହୋଇଥିଲା। ହୀରାକୁଦ ବିସ୍ଥାପିତ ତାଙ୍କ ପରିବାର କଣ୍ଟାପାଲିରୁ ସମ୍ବଲପୁର ସହରକୁ ଆସିଥିଲେ । ସେମାନେ ଭାଇ ଏବଂ ୩ ଭଉଣୀ ଥିଲେ। ଛାତ୍ର ଜୀବନରୁ ହିଁ ସେ କ୍ରୀଡ଼ା ଓ କଳା କ୍ଷେତ୍ରରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ରାଜ୍ୟସ୍ତରୀୟ କବାଡ଼ି ଦଳର ପ୍ରତିନିଧିତ୍ବ କରିବା ସହିତ ବଡି ବିଲଡର୍ ମଧ୍ୟ ଥିଲେ। ଗଙ୍ଗାଧର ମେହେର କଲେଜରେ ସ୍ନାତକ ପରେ ଉତ୍କଳ ବିଶ୍ଵବିଦ୍ୟାଳୟରେ ସ୍ନାତକୋତ୍ତର ସମ୍ପୂର୍ଣ କରିଥିଲେ । ୧୯୬୫-୬୬ ମସିହାରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ଦାବି ନେଇ ହୋଇଥିବା ଛାତ୍ର ଆନ୍ଦୋଳନରେ ସକ୍ରିୟ ରହିଥିଲେ । ଏହା ପରେ ସେ ନିଜକୁ ବଡ଼ ବସ୍ ବ୍ୟବସାୟୀ ଭାବରେ ପ୍ରତିଷ୍ଠିତ କରିଥିଲେ। ୭୦ ଦଶକରେ ସମ୍ବଲପୁରରୁ କଟକ ଏବଂ ଭୁବନେଶ୍ଵରକୁ ବସ ଚଳାଚଳ ହେଉନଥିଲା। ସ୍ବର୍ଗତ ପ୍ରଧାନ ପ୍ରଥମ ଥର ପାଇଁ ସମ୍ବଲପୁରରୁ କଟକ, ଭୁବନେଶ୍ୱରକୁ ବସ୍ ଚଳାଚଳ ଆରମ୍ଭ କରିଥିଲେ | ତାଙ୍କ ମାଲିକାନା ସ୍ବତ୍ବରେ ଥିବା ‘ପ୍ରଧାନ ବସ’ ଯାତାୟାତ କ୍ଷେତ୍ରରେ ବେଶ ଚର୍ଚ୍ଚିତ ଥିଲା। ପ୍ରଥମ ଥର ପାଇଁ ତାଙ୍କ ନେତୃତ୍ବରେ ପଶ୍ଚିମ ଓଡ଼ିଶାରେ ଘରୋଇ ବସ ମାଲିକ ସଂଘ ଗଠନ ହୋଇଥିଲା । ଏହାସହିତ ରାଜ୍ୟସ୍ତରୀୟ ରାଇସ୍ ମିଲର ସଂଘରେ ପ୍ରଭାବଶାଳୀ ଭୂମିକା ନିର୍ବାହ କରୁଥିଲେ I ବଲାଙ୍ଗୀରରେ ତାଙ୍କର ରେଗଜିନ୍ ଫ୍ୟାକ୍ସି ଥିଲା, ଯାହା ସେତେବେଳେ ଏସିଆର ସର୍ବବୃହତ ବୋଲି କୁହାଯାଉଥିଲା | କିନ୍ତୁ ପରେ ଏହା ବନ୍ଦ ହୋଇ ଯାଇଥିଲା । ସମ୍ବଲପୁରରେ ସେ ଘରୋଇ ଭାବରେ ବୀର ସୁରେନ୍ଦ୍ର ସାଏ କଲେଜ ଏବଂ ସ୍କୁଲ ପ୍ରତିଷ୍ଠା କରିଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ବିଭିନ୍ନ ବର୍ଗ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ତାଙ୍କର ଅନ୍ୟ ଭାଇ ହେଲେ କୁଞ୍ଜବିହାରୀ ପ୍ରଧାନ, ଗଙ୍ଗାଧର ପ୍ରଧାନ, ରଘୁମଣି ପ୍ରଧାନ ଏବଂ ଅକ୍ଷୟ ପ୍ରଧାନ I