ସମ୍ବଲପୁର,୦୫/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ଲାୟନ୍ସ ଇଣ୍ଟରନ୍ୟାସନାଲ୍ ଜିଲ୍ଲା ୩୨୨ସି୨ର ୨୦୨୬-୨୭ ଲାୟନିଷ୍ଟିକ୍ ବର୍ଷର ଦ୍ୱିତୀୟ କ୍ୟାବିନେଟ୍ ବୈଠକ ସମ୍ବଲପୁରସ୍ଥିତ ହୋଟେଲ୍ ହରଜିତ୍ ରେସିଡେନ୍ସିରେ ଅନୁଷ୍ଠିତ ହୋଇଛି। ଜିଲ୍ଲା ଗଭର୍ଣ୍ଣର ଲାୟନ୍ ଚରଣଜିତ୍ କୌର ହୁରା ବୈଠକରେ ଅଧ୍ୟକ୍ଷତା କରିଥିଲେ।ଏଥିରେ ପୂର୍ବତନ ଜିଲ୍ଲା ଗଭର୍ଣ୍ଣର ଲାୟନ୍ ମମତା ଗୌତମ, ପ୍ରଥମ ଉପଜିଲ୍ଲା ଗଭର୍ଣ୍ଣର ଲାୟନ୍ ଦୁର୍ଗେଶ ନନ୍ଦିନୀ, ଦ୍ୱିତୀୟ ଉପଜିଲ୍ଲା ଗଭର୍ଣ୍ଣର ଲାୟନ୍ ଚିତ୍ତରଞ୍ଜନ ଦାଶ, କ୍ୟାବିନେଟ୍ ସଚିବ ଲାୟନ୍ କୁଶପ୍ରୀତ୍ ହୁରା, କ୍ୟାବିନେଟ୍ କୋଷାଧ୍ୟକ୍ଷ ଲାୟନ୍ ରୋହିତ ଅଗ୍ରୱାଲ ଏବଂ ଜିଲ୍ଲା ଜନସମ୍ପର୍କ ଅଧିକାରୀ ଲାୟନ୍ ଶାଲୁ ଚାନ୍ଦେଲ ଯୋଗ ଦେଇଥିଲେ। ପୂର୍ବତନ ଜିଲ୍ଲା ଗଭର୍ଣ୍ଣର ଲାୟନ୍ ପି.ସି. ନାୟକ, ଆର୍.କେ. ସିଂହ, ବ୍ରିଜମୋହନ ଅଗ୍ରୱାଲ, ଅଶୋକ ଜାଲାନ୍ ଓ ଦୁର୍ଗା ଶର୍ମାଙ୍କ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳର କ୍ୟାବିନେଟ୍ ସଦସ୍ୟ ଉପସ୍ଥିତ ଥିଲେ। ରାଉରକେଲାରୁ ଟିଟିଲାଗଡ଼ ପର୍ଯ୍ୟନ୍ତ ବିଭିନ୍ନ ସହରର ଲାୟନ୍ସ କ୍ଲବ୍ର ସଦସ୍ୟ ଓ ସଦସ୍ୟାମାନେ ମଧ୍ୟ ଯୋଗ ଦେଇଥିଲେ।ବୈଠକରେ ବିଭିନ୍ନ ଅଞ୍ଚଳ ଓ ଜୋନ୍ର କାର୍ଯ୍ୟକଳାପ ସମ୍ପର୍କିତ ରିପୋର୍ଟ ଉପସ୍ଥାପନ ସହ ଜିଲ୍ଲାର ସେବାମୂଳକ ପ୍ରକଳ୍ପ ଓ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଥିଲା। ମିଶନ୍ ୧.୫, ଏଲ୍ସିଆଇଏଫ୍, ସେବା କାର୍ଯ୍ୟକ୍ରମ, ସଦସ୍ୟ ସଂଖ୍ୟା ବୃଦ୍ଧି ଏବଂ କ୍ଲବ୍ଗୁଡ଼ିକର ଉତ୍କର୍ଷତା ଉପରେ ଆଲୋଚନା ହୋଇଥିଲା। ଆଗାମୀ ଦିନର କାର୍ଯ୍ୟଯୋଜନା, ଲକ୍ଷ୍ୟ ଓ ରଣନୀତି ନିର୍ଦ୍ଧାରଣ ନେଇ ମଧ୍ୟ ମତବିନିମୟ ହୋଇଥିଲା।ଜିଲ୍ଲା, ଜୋନ୍ ଓ କ୍ଲବ୍ଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରି ସେବା କାର୍ଯ୍ୟକୁ ଅଧିକ ବ୍ୟାପକ ଓ ଫଳପ୍ରଦ କରିବାକୁ ଗୁରୁତ୍ୱ ଦିଆଯାଇଥିଲା। ଜିଲ୍ଲାର ଲକ୍ଷ୍ୟ ଓ କାର୍ଯ୍ୟକ୍ରମକୁ ପ୍ରତ୍ୟେକ କ୍ଲବ୍ରେ ପହଞ୍ଚାଇବା ସହ ସମସ୍ତ ସଦସ୍ୟଙ୍କ ସକ୍ରିୟ ସହଯୋଗ ଓ ଅଂଶଗ୍ରହଣ ପାଇଁ ଆହ୍ୱାନ ଦିଆଯାଇଥିଲା।ଜିଲ୍ଲାର ଚଳିତ ବର୍ଷର ମୂଳମନ୍ତ୍ର ‘ସ୍ପ୍ରେଡିଂ ୱିଙ୍ଗସ୍, ସର୍ଭିଂ ହାର୍ଟସ୍’ ଏବଂ ଅନ୍ତର୍ଜାତୀୟ ମୂଳମନ୍ତ୍ର ‘ରୁଟେଡ୍ ଇନ୍ ସର୍ଭିସ୍’କୁ ସାକାର କରିବା ପାଇଁ ଜିଲ୍ଲା ଗଭର୍ଣ୍ଣର ଲାୟନ୍ ଚରଣଜିତ୍ କୌର ହୁରା ସମସ୍ତଙ୍କୁ ଏକତା, ନିଷ୍ଠା ଓ ସମର୍ପଣର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଥିଲେ। ଜନସେବା ଓ ସାମାଜିକ କଲ୍ୟାଣ କ୍ଷେତ୍ରରେ ଜିଲ୍ଲାକୁ ଅଧିକ ସଫଳ ଓ ପ୍ରଭାବଶାଳୀ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ I

